ସମ୍ଭାବ୍ୟ ବାତ୍ୟା ମୁକାବିଲା: ବ୍ରହ୍ମପୁରର ବସ୍ତି ଉପରେ ନଜର

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବ୍ରହ୍ମପୁର ମହାନଗର ନିଗମ ସଜାଗ ରହିଛି। ଆବଶ୍ୟକ ପ୍ରାକ୍- ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ବିଶେଷ କରି ମହାନଗରର ସମସ୍ତ ବସ୍ତି ଅଞ୍ଚଳ ଉପରେ ଫୋକସ୍ କରାଯିବ। ଆବଶ୍ୟକ ହେଲେ ବସ୍ତିବାସିନ୍ଦାଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ସେମାନଙ୍କ ରହଣୀ, ଖାଦ୍ୟପେୟ ବ୍ୟବସ୍ଥା କରାଯିବ। ବାତ୍ୟା ମୁକାବିଲା ପାଇଁ ପ୍ରତି କର୍ପୋରେଟରଙ୍କ ନେତୃତ୍ୱରେ ମହାନଗର ନିଗମର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୱାର୍ଡ କମିଟି ଗଠନ କରାଯାଇ ପ୍ରସ୍ତୁତି କାର୍ଯ୍ୟ କରାଯିବ। ଏହି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ବର ବଳିରାମ ବୋନ୍ଦାର।

ଶୁକ୍ରବାର ସନ୍ଧ୍ୟାରେ ବିଏମ୍‌ସିର ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ହୋଇଥିଲା। ଯଦିଓ ବାତ୍ୟାର ତୀବ୍ରତା ଓ ଗତିପଥ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ, ତଥାପି ପୂର୍ବ ଅନୁଭୂତିକୁ ଆଧାର କରି ବିଏମ୍‌ସି ପ୍ରାଥମିକ ପ୍ରସ୍ତୁତି ନେଇ ସଜବାଜ ଆରମ୍ଭ କରିଛି। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ମୁକାବିଲା ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରବଳ ବର୍ଷା ହେଲେ ମହାନଗରର ବସ୍ତି ଇଲାକା ଓ ଖାଲୁଆ ଅଞ୍ଚଳରେ ଜଳ ଭର୍ତ୍ତି ହୋଇଯାଉଛି। କେତେକ ସ୍ଥାନରେ ଡ୍ରେନ୍‌ରେ ଜଳ ନିଷ୍କାସନରେ ଉତ୍କଟ ସମସ୍ୟା ଦେଖାଦେଉଛି। ଏହାର ମୁକାବିଲା ନେଇ ପ୍ରସ୍ତୁତି ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ପ୍ରତି ୱାର୍ଡର ଖାଲୁଆ ଅଞ୍ଚଳଗୁଡ଼ିକୁ ଆଗୁଆ ଚିହ୍ନଟ କରାଯିବ। ସେଠାରୁ ଜଳ ନିଷ୍କାସନ ନେଇ ସମସ୍ତ ମେସିନ୍ ଓ ମାନବ ସମ୍ବଳ ପ୍ରସ୍ତୁତ ରଖାଯିବ।

ପ୍ରତି ୱାର୍ଡରେ ଝାଟିମାଟି ଘର, ଦୁର୍ବଳ କାନ୍ଥ ଆଦି ଚିହ୍ନଟ କରାଯିବ। ସେଥିଯୋଗୁଁ ଯେପରି କୌଣସି ଧନଜୀବନ ହାନୀ ନହୁଏ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିବ ବିଏମ୍‌ସି। ଯଦି ବାତ୍ୟା ସହ ଜୋର୍‌ରେ ପବନ ହୁଏ ଓ ଗଛ, ବିଦ୍ୟୁତ୍ ଖୁଣ୍ଟ, ବିଜ୍ଞାପନ ବୋର୍ଡ ଆଦି କିଛି ଭାଙ୍ଗି ରାସ୍ତାରେ ପଡ଼ିଲେ ତୁରନ୍ତ ସଫା କରାଯାଇ ଯାତାୟାତକୁ ଅବରୋଧମୁକ୍ତ କରାଯିବ। ପ୍ରବଳ ବର୍ଷାରେ ବସ୍ତି ଅଞ୍ଚଳ ଗୁଡ଼ିକର ଅବସ୍ଥା ଦୟନୀୟ ହୋଇଯାଉ ଥିବାରୁ ବସ୍ତିବାସିନ୍ଦାଙ୍କ ପ୍ରତି ସ୍ବତନ୍ତ୍ର ନଜର ରଖାଯିବ। ଏବାବଦରେ ବସ୍ତିର ଲୋକଙ୍କୁ ଆଗୁଆ ସତର୍କ କରାଯିବ। ବିଏମ୍‌ସି ଇଞ୍ଜିନିୟରିଂ, ସାନିଟେସନ୍ ୟୁନିଟ୍ ମହାନଗରର ସମସ୍ତ ବସ୍ତି ଏବଂ ଖାଲୁଆ ଅଞ୍ଚଳ ଯାଇ ସମସ୍ୟା ଅନୁଧ୍ୟାନ କରି ମୁକାବିଲା ଆକ୍ସନ୍ ପ୍ଲାନ୍ ତିଆରି କରିବ ବୋଲି କହିଛନ୍ତି ବିଏମ୍‌ସି କମିଶନର ଡ. ବୋନ୍ଦାର।

ଅପରପକ୍ଷରେ ବାତ୍ୟା ଆଶଙ୍କା ଧିରେ ଧିରେ ଘନୀଭୂତ ହେଉଥିବା ବେଳେ ମୁକାବିଲା ପାଇଁ ସଜାଗ ରହିଛି ପ୍ରଶାସନ। ଉପକୂଳିଆ ଅଞ୍ଚଳବାସୀ, ମତ୍ସ୍ୟଜୀବୀ ଏ ନେଇ ଆଶଙ୍କାରେ ରହିଛନ୍ତି। ଜିଲ୍ଲାସ୍ତରରୁ ଆରମ୍ଭ କରି ଉପଖଣ୍ଡ, ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ନିୟନ୍ତ୍ରଣ କକ୍ଷ ଖୋଲାଯାଉଛି। ବେଳାଭୂମି ସହର ଗୋପାଳପୁରରେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପ୍ରତି ରବିବାରର ସାଂସ୍କୃତିକ କାର୍ଯ୍ୟକ୍ରମ ‘ସଣ୍ଡେ ଆଟ୍ ଗୋପାଳପୁର’କୁ ଏଥର ବାତିଲ କରି ଦିଆଯାଇଛି। ବାତ୍ୟା ଟଳିଲା ପର୍ଯ୍ୟନ୍ତ ସମୁଦ୍ର ନିକଟକୁ ନଯିବାକୁ ମତ୍ସ୍ୟଜୀବୀ, ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ।

ସେହିପରି ଘୋଡ଼ାହାଡ଼ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଡ୍ୟାମ୍ ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ବର୍ତ୍ତମାନ ୯୧ ପ୍ରତିଶତ ଅର୍ଥାତ୍ ୧୧୬.୮୭ ମିଟର ଜଳପୂର୍ଣ୍ଣ ରହିଛି। ତେଣୁ ପ୍ରବଳ ବର୍ଷା ହେଲେ ଡ୍ୟାମ୍‌ରେ ପାଣି ଭର୍ତ୍ତି ହୋଇଯିବା ସ୍ଥିତିରେ ଜଳଭଣ୍ଡାରର ସୁରକ୍ଷା ସକାଶେ ଯେକୌଣସି ସମୟରେ ପାଣି ନଦୀକୁ ନିଷ୍କାସନ କରାଯିବ। ଏହି ସମୟରେ ନଦୀ, ନାଳରୁ ଦୂରେଇ ରହିବା ତଥା ଗୃହପାଳିତ ପଶୁମାନଙ୍କୁ ନଦୀ ଗର୍ଭକୁ ନଛାଡ଼ିବା ପାଇଁ ସତର୍କ କରାଇ ଦେଇଛନ୍ତି ଉପନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ। ଡ୍ୟାମ୍ ଆଖପାଖ ଗାଁ କୋଠ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଟଙ୍ଗାଯାଇଛି।

Comments are closed.