ବାତ୍ୟା ହୋଇ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇଛି ଅସାନି

ଭୁବନେଶ୍ୱର- ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ଏହା ବର୍ତ୍ତମାନ ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଉଛି । ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୫୫୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ପୁରୀଠାରୁ ୬୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ମଛଲିପଟ୍ଟନମ୍ଠାରୁ ୬୦ କିଲୋମିଟର ଓ କାକିନାଡାଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ୧୨ କିଲୋମିଟର ବେଗରେ ଆଗକୁ ବଢୁଛି ।

ଖୁବଶୀଘ୍ର ଏହା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ । ଓଡ଼ିଶା ଉପକୂଳ ସହ ସମାନ୍ତରାଳ ଭାବେ ନୁହେଁ, ବରଂ ବହୁ ଦୂରରେ ଅତି ଦୁର୍ବଳ ଭାବେ ବାତ୍ୟା ଆଗକୁ ବଢିବ । କାକିନାଡାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଏହା ଅବପାତର ରୂପ ନେଇସାରିଥିବ ।ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହେବ । ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଇଏମ୍‌ଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଗଜପତି, ଗଞ୍ଜାମ, ପୁରୀରେ ଆଜି ୭୦ରୁ ୨୦୦ ମିମି ବର୍ଷା ହେବ ବୋଲି ଆକଳନ କରାଯାଇଛି। ୧୨ ତାରିଖ ଦିନ ମଧ୍ୟ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଣୁ ଆସନ୍ତା ୧୨ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଇଏମ୍‌ଡି ପକ୍ଷରୁ ସତର୍କ କରାଯାଇଛି ।

Comments are closed.