ତାରାତାରିଣୀ ପୀଠରେ ଧ୍ଵଜା ଓ ତ୍ରିଶୂଳ ସ୍ଥାପିତ: ପ୍ରତିଷ୍ଠା ଉତ୍ସବ ସମାରୋପ

ଛତ୍ରପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ୬ ଦିନିଆ ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ସମାରୋପ ଘଟିଛି। ଶେଷ ସନ୍ଧ୍ୟାରେ ମନ୍ଦିର ଚୂଡାରେ ସ୍ଥାପିତ ହୋଇଛି ପବିତ୍ର ତ୍ରିଶୂଳ ଓ ଧ୍ଵଜା। ସମ୍ପନ୍ନ ହୋଇଛି ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା ମହୋତ୍ସବ। ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ସାଙ୍ଗକୁ ଦେବୀଙ୍କ ରତ୍ନ ସିଂହାସନ ବିଜେ ପ୍ରକ୍ରିୟାର ପୂର୍ଣ୍ଣାହୂତି ହୋଇଛି।

ଗତ ୬ ଦିନ ଧରି ୧୦୮ରୁ ଊର୍ଦ୍ଧ୍ବ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ତାରାତାରିଣୀ ପୀଠ କମ୍ପି ଉଠୁଥିଲା। ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଭବ୍ୟ ଆଧ୍ୟାତ୍ମିକ ଉତ୍ସବରେ ସାମିଲ ହୋଇ ଦେବୀଙ୍କ ପୂଜାର୍ଚ୍ଚନା କରି ସାରା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଥିଲେ। ପ୍ରତିଷ୍ଠା ଉତ୍ସବର ଶେଷ ସନ୍ଧ୍ୟା ମଧ୍ୟ ଉତ୍ସବମୁଖର ହୋଇଥିଲା। ହଜାର ହଜାର ଭକ୍ତ ପ୍ରତିଷ୍ଠା ଉତ୍ସବ ସମାରୋପରେ ଶ୍ରଦ୍ଧାଭାବ ସହ ସାମିଲ ହୋଇଥିଲେ।

ଯଜ୍ଞସ୍ଥଳରେ ବେଦ ପାଠ, ଘଣ୍ଟ ଧ୍ୱନି, ହୁଳହୁଳିରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଭକ୍ତଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ସମାପ୍ତି ଘଟିଛି। ଇଷ୍ଟ ଦେବୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସାଙ୍ଗକୁ ଧ୍ଵଜ ଓ ତ୍ରିଶୂଳ ସ୍ଥାପନ ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ଏହି ସମୟରେ ଉପସ୍ଥିତ ସହସ୍ରାଧିକ ଶ୍ରଦ୍ଧାଳୁ ଜୟ ମା’ ତାରାତାରିଣୀ ବୋଲି ଧ୍ୱନି, ହୁଳହୁଳି ଦେଇଥିଲେ। ଏହି ସମୟରେ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ପୁରୋଧା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସପତ୍ନୀକ ଉପସ୍ଥିତ ଥିଲେ। ମନ୍ଦିରର ସମସ୍ତ ସେବାୟତ ପୂର୍ଣ୍ଣପ୍ରାଣରେ ପ୍ରତିଷ୍ଠା ଉତ୍ସବ ସମାପନରେ ସହଯୋଗ କରିଥିଲେ।

Comments are closed.