ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଲାଗି ହୋଇଥାଏ ଫୁଲୁରୀ ତେଲ

ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନପୁର୍ଣିମା ତିଥିରେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ କରାଯାଇଥିଲା ପୂର୍ଣ୍ଣସ୍ନାନ ଅର୍ଥାତ ପ୍ରତ୍ୟକ୍ଷ ସ୍ନାନ। ଅତ୍ୟଧିକ ସ୍ନାନ ଯୋଗୁଁ ଲୌକିକ ମତରେ ଶ୍ରୀଜୀଉ ମାନେ ବର୍ତ୍ତମାନ ଜ୍ବରରେ ପୀଡିତ। ଏହି ଜ୍ୱର ର ଉପଶମ ପାଇଁ ଚାଲିଛି ବିଭିନ୍ନ ପ୍ରକ୍ରିୟା। ଜ୍ୱର ଯୋଗୁଁ ପ୍ରଭୁଙ୍କ ଶରୀର ରେ ଅନୁଭୁତ ହେଉଛି ଶାରୀରିକ ଯନ୍ତ୍ରଣା। ଆୟୁର୍ବେଦ ପଦ୍ଧତି ଅନୁସାରେ ତୈଳ ମର୍ଦ୍ଧନ ହେଉଛି ଏହି ଯନ୍ତ୍ରଣା ର ଲାଘବ ପଦ୍ଧତି। ତେଣୁ ପ୍ରଭୁଙ୍କୁ ଲାଗିହେବ ତୈଳ। ଯାହାକୁ ସ୍ଥାନୀୟ ଭାଷାରେ କୁହାଯାଏ ‘ଫୁଲୁରି ତେଲ’।

ପରମ୍ପରା ମୁତାବକ ଅଣସର ପଞ୍ଚମୀ ତିଥିରେ ଶ୍ରୀଜୀଉ ମାନଙ୍କୁ ଫୁଲରୀ ତେଲ ଲାଗି କରାଯାଏ। ଏହି ତେଲ ଲଗାଇବା ପରେ ଶ୍ରୀଜିଉମାନେ ଶରୀର ପୀଡାରୁ ମୁକ୍ତି ପାଆନ୍ତି। ମହାପ୍ରଭୁଙ୍କ ସେବାପାଇଁ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲରୀ ତେଲ ଶ୍ରୀମନ୍ଦିର କୁ ପ୍ରଦାନ କରାଯାଏ । ଏହି ତେଲକୁ ପତି ମହାପାତ୍ର ସଂସ୍କାର କରିବା ପରେ ଶ୍ରୀଜୀଉ ଙ୍କ ଶ୍ରୀଅଙ୍ଗରେ ମାଲିସ୍ କରାଯାଏ ।

ବଡ଼ ଓଡ଼ିଆ ମଠ ପ୍ରଦାନ କରୁଥିବା ଏହି ଫୁଲରୀ ତେଲ ସ୍ୱତନ୍ତ୍ର ପଦ୍ଧତି ରେ ପ୍ରସ୍ତୁତ କରାଯାଇଥାଏ। ଆଷାଢ଼ ଶୁକ୍ଳ ହେରାପଞ୍ଚମୀ ତିଥିରେ ୨ଟି ମାଟି ନିର୍ମିତ ଘୁମାରେ ଘଣାପେଡା ରାଶିତେଲ ସଂଗ୍ରହ କରାଯାଏ। ଏଥିରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ସେଥିରେ ଅନେକ ସୁବାସିତ ଫୁଲ ମିଶ୍ରଣ କରାଯାଇଥାଏ। ଏହି ତେଲକୁ ହେରାପଞ୍ଚମୀ ତିଥିରୁ ବର୍ଷେ ପର୍ଯ୍ୟନ୍ତ ମାଟିତଳେ ପୋତା ଯାଇ ରଖାଯାଇଥାଏ। ଗୋଟିଏ ବର୍ଷ ପରେ ଘୁମାରେ ଥିବା ତେଲକୁ ମାଟିତଳୁ କଢା ଯାଏ। ଯାହାକୁ ଫୁଲରୀ ତେଲ ବୋଲି କୁହା ଯାଇଥାଏ। ପରେ ସେହି ଫୁଲରୀ ତେଲକୁ ଶ୍ରୀଜୀଉ ଙ୍କ ଉଦ୍ଧେଶ୍ୟରେ ଶ୍ରୀମନ୍ଦିର ପ୍ରଦାନ କରା ଯାଏ। ଏହି ଫୁଲୁରି ତେଲରେରେ ମହାପ୍ରଭୁଙ୍କ ସର୍ବାଙ୍ଗ ମାଲିସ ହୋଇଥାଏ। ଏହାପରେ ମହାପ୍ରଭୁ ସୁସ୍ଥତା ଅନୁଭବ କରିଥାନ୍ତି।

ଏହିପରି କ୍ରମାନ୍ଵୟରେ ଦଇତାପତି ସେବକ ଗୋଷ୍ଠୀଗତ ଭାବରେ ୧୫ ଦିନ ଅଣସର ପିଣ୍ଡିରେ ବିଭିନ୍ନ ଉପଚାର ଅର୍ପଣ କରି ମହାପ୍ରଭୁଙ୍କ ଗୁପ୍ତସେବା ସମାପନ କରିଥାନ୍ତି ।

Comments are closed.