ବର୍ଷା ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ

ବ୍ରହ୍ମପୁର: ରାଜ୍ୟରେ ମୌସୁମୀ ପ୍ରବେଶ କରିଲାଣି। ଯଦିଓ ଜୁନ୍ ମାସରେ ସ୍ବାଭାବିକ ବର୍ଷା ହୋଇନି, ତେବେ ଆଗାମୀ ଦିନରେ ଜୋରସୋରରେ ବର୍ଷା ହେବାର ଆକଳନ କରାଯାଉଛି। ଏହି ବର୍ଷା ଋତୁରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ବିଏମ୍‌ସି ପ୍ରଶାସନ ପୃଥକ୍ ବୈଠକ କରି ଏ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି।

ବର୍ଷାଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବ ବିଏମ୍‌ସି। ପୂର୍ବ ବର୍ଷରେ ଯାହା ଦେଖାଯାଇଛି ଯେ ପ୍ରବଳ ବର୍ଷା ହେଲେ ମହାନଗରର ପ୍ରମୁଖ ଡ୍ରେନ୍‌ରୁ ନର୍ଦ୍ଦମା ଓ ବର୍ଷା ଜଳ ଉଛୁଳି ରାସ୍ତାରେ ଭାସୁଛି। ପାଣି ଠିକ୍ ନିଷ୍କାସନ ହୋଇପାରୁନି ଓ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଏଥର ବିଏମ୍‌ସି ନିଷ୍ପତ୍ତି ନେଇଛି ଯେ- ଗ୍ୟାଙ୍ଗ୍ କୁଲି ନିୟୋଜିତ କରି ସହରଯାକର ସମସ୍ତ ନାଳ ସଫା କରାଯିବ। ସଫେଇ ପାଇଁ ୧୦୦ ଜଣିଆ ଟିମ୍ ପ୍ରସ୍ତୁତ ରହିବ। ସହରରେ ୪୮୦ କିଲୋମିଟର ପକ୍କା ଓ କଚ୍ଚା ଡ୍ରେନ୍ ରହିଛି। ତେବେ କେତେକ ଡ୍ରେନ୍ ଆବର୍ଜନା କାରଣରୁ ପୋତି ହୋଇଯାଇଛି। ସେଗୁଡ଼ିକୁ ଚିହ୍ନଟ କରି ପ୍ରଥମେ ସଫା କରାଯିବ। ବାହାନା ନାଳକୁ ସଂଯୋଗ କରୁଥିବା ଛୋଟ ନାଳଗୁଡ଼ିକ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ସହରରେ ଥିବା କିଛି ପ୍ରମୁଖ କଲଭର୍ଟ ଗୁଡ଼ିକରୁ ଛୋଟ ଗଛ ଏବଂ ମାଟିକୁ ବାହାର କରାଯିବ। ସହରରେ ଥିବା ଦୁଇଟି ପ୍ରମୁଖ ନାଳ ବାହାନା ଓ ସାପୁଆ ନାଳରେ ପାଣି ଯେପରି ସୁରୁଖୁରୁରେ ନିଷ୍କାସିତ ହୋଇପାରିବ ସେ ଦିଗରେ ଦୃଷ୍ଟି ଦିଆଯିବ।

ମେୟର ସଂଘମିତ୍ରା ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଶନର ଜେ. ସୋନାଲ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଅତିରିକ୍ତ କମିଶନର ନୀଳମାଧବ ଭୋଇ ମଞ୍ଚାସୀନ ଥିଲେ। ଅପରାହ୍ନ ବୈଠକ ପୂର୍ବରୁ ପୂର୍ବାହ୍ନ ପ୍ରାୟ ୧୧ଟାରେ ବିଏମ୍‌ସି ଅଫିସ୍‌ରେ ୯ ଜଣିଆ ହେଲଥ୍ ଷ୍ଟାଣ୍ଡିଂ କମିଟି ବୈଠକରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Comments are closed.