ବ୍ରହ୍ମପୁରର ହରି ଓ ସତ୍ୟଙ୍କ ନିଆରା ପ୍ରତିଭା: କ୍ଷୁଦ୍ରାତିକ୍ଷୁଦ୍ର ରଥ, ଠାକୁର ନିର୍ମାଣ

ବ୍ରହ୍ମପୁର: ରାଜ୍ୟର ମୋଟ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ରହିଛି ସର୍ବାଧିକ ୨୧୭ଟି ପୀଠ। ଏଇ ଜିଲ୍ଲାର ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ରହିଛି ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ମହକ। ଏହାର ଝଲକ ପୋଲସରା ବ୍ଲକ୍‌ ଅନ୍ତର୍ଗତ ମାରଦାର ଶରଣ ଶ୍ରୀକ୍ଷେତ୍ରରୁ ଆରମ୍ଭ କରି ଜରଡ଼ାର ପାର୍ଥସାରଥୀ ଧାମ, ବିମାନ ମନ୍ଦିର ଢାଞ୍ଚାରେ ନିର୍ମିତ ଧରାକୋଟର ଶ୍ରୀଜଗନ୍ନାଥ ଧାମରୁ ଆରମ୍ଭ କରି ପ୍ରାୟ ୩୦୦ ବର୍ଷ ପ୍ରାଚୀନ ଖଲ୍ଲିକୋଟର ବୃହତ ଶ୍ରୀଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳେ। ଆଉ ଯେତେବେଳେ ଘୋଷଯାତ୍ରା ଆସିଛି, ସେତେବେଳେ ଏଠାକାର ଭକ୍ତ ଓ ଶ୍ରଦ୍ଧାଳୁ ମଧ୍ୟ ଠାକୁରଙ୍କ ଭକ୍ତିରେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ବ୍ରହ୍ମପୁରର କିଛି ଯୁବ ପ୍ରତିଭା ସେମାନଙ୍କ ନିଖୁଣ ପ୍ରତିଭା ପ୍ରଦର୍ଶନ କରି ପ୍ରସ୍ତୁତ କରିଛନ୍ତି କ୍ଷୁଦ୍ରାତିକ୍ଷୁଦ୍ର ଶ୍ରୀମନ୍ଦିର, ବଡ଼ ଠାକୁର, ତିନି ରଥର ପ୍ରତିକୃତି।

ଶ୍ରୀରାମନଗର ନିବାସୀ ଗ୍ୟାରେଜ୍ ମେକାନିକ୍ ହରିଗୋବିନ୍ଦ ମହାରଣା ଫିଟିକିରିରେ କରିଛନ୍ତି ବଡ଼ ଦେଉଳ ଓ ରଥାରୁଢ଼ ତିନି ଠାକୁରଙ୍କ ସୂକ୍ଷ୍ମ ଆକୃତି। ୬ ଇଞ୍ଚ ଉଚ୍ଚ, ୭ ଇଞ୍ଚ ଓସାର ଓ ୯ ଇଞ୍ଚ ଲମ୍ବ ଶ୍ରୀମନ୍ଦିର ପ୍ରତିକୃତିରେ ସ୍ଥାନ ପାଇଛି ବଟ ଜଗନ୍ନାଥ, ମୁକ୍ତି ମଣ୍ଡପ, ଅରୁଣ ସ୍ତମ୍ଭ, ସିଂହଦ୍ଵାର, ମହାଲକ୍ଷ୍ମୀ ମନ୍ଦିର ଭଳି ବଡ଼ଦେଉଳର ବିଭିନ୍ନ ଝଲକ। ଏଥିପାଇଁ ତାଙ୍କୁ ଲାଗିଥିଲା ୩୦ ଘଣ୍ଟା ସମୟ, ସେ ବ୍ୟବହାର କରିଥିଲେ ୭ କେଜି ଓଜନର ଫିଟିକିରି। ଫିଟିକିରି ଓ ଚନ୍ଦନ କାଠରେ ନିର୍ମାଣ କରିଛନ୍ତି ୫.୫ ଇଞ୍ଚର ଦର୍ପଦଳନ, ୬ ଇଞ୍ଚର ନନ୍ଦିଘୋଷ ଓ ୫ ଇଞ୍ଚର ତାଳଧ୍ଵଜ ରଥ। ଏଗୁଡ଼ିକ ଏମିତି ତିଆରି ହୋଇଛି ଯେ ତଳପଟେ ଚକ ଲାଗିଛି ଯାହାକୁ ଘୋଷଯାତ୍ରା ଅବସରରେ ନିଜ ଅଞ୍ଚଳର ମନ୍ଦିରରେ ଟାଣିବେ ଖୋଦ୍ ହରିଗୋବିନ୍ଦ। ଝିଆରୀ ତୃପ୍ତି ମହାରଣା, ନନ୍ଦିନି ମହାରଣା ଓ ବନ୍ଦନା ମହାରଣା ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିବା କହିଛନ୍ତି ହରିଗୋବିନ୍ଦ।

ସେହିପରି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏଥର ବାଉଁଶରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ। ପୂର୍ବରୁ ଚକ୍ ଖଡ଼ି, ମହମବତୀ, କାଗଜ ସମେତ ବାଲୁକା କଳା ଓ ସ୍ମୋକ୍ ଆର୍ଟ ଜରିଆରେ ଶ୍ରୀଜଗନ୍ନାଥଙ୍କ ଏଇ ବାର୍ଷିକ ଯାତ୍ରାର ଝଲକ ପ୍ରସ୍ତୁତ କରି ଆସୁଛନ୍ତି ସତ୍ୟ। ଏଥର ସେ ୨୦ ଇଞ୍ଚ ଉଚ୍ଚ, ୧୩ ଇଞ୍ଚ ଓସାରର ବାଉଁଶ ରଥ ନିର୍ମାଣ କରିଛନ୍ତି। ଏଥିସହ ଆଇସକ୍ରିମ୍ କାଠିରେ ୭ ଇଞ୍ଚ ଉଚ୍ଚ, ୬ ଇଞ୍ଚ ଓସାରର ଆଉ ଏକ ରଥ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୬ଟି ଚକ, ୪ଟି ଘୋଡ଼ା, ଓଲଟ ଶୁଆ, ଦଧନଉତି, ପତିତପାବନ ବାନା ଏବଂ ସାରଥୀ ଶୋଭା ପାଉଛି। ଏଥିପାଇଁ ତାଙ୍କୁ ଲାଗିଥିଲା ୫ ଦିନ ସମୟ। ପୂର୍ବରୁ ସତ୍ୟଙ୍କ ମାତ୍ର ୧ ମିଲିମିଟରର କ୍ଷୁଦ୍ର ରଥ ଏକ୍ସକ୍ଲୁଜିଭ୍ ୱର୍ଲଡ ରେକର୍ଡ, ୧ ସେଣ୍ଟିମିଟରର ନନ୍ଦିଘୋଷ ରଥ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସମେତ ଆହୁରି ଅନେକ ରେକର୍ଡ ବୁକ୍‌ରେ ସ୍ଥାନ ପାଇସାରିଛି।

Comments are closed.