ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀଜୀଉମାନେ ଭକ୍ତଙ୍କୁ କାଳୀୟ ଦଳନ ବେଶରେ ଦେବେ ଦର୍ଶନ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଶ୍ରୀକୃଷ୍ଣ ଅବତାର ରେ ଘଟିଥିବା ପ୍ରତ୍ୟେକ ଦିବ୍ୟ ଲୀଳାକୁ ଅତି ସୁନ୍ଦର ଭାବରେ ଏବଂ ପାରମ୍ପରିକ ରୀତିରେ ଏଠାରେ ପାଳନ କରାଯାଉଛି। ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ତିଥି। ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତି ଦକ୍ଷିଣିଘର ଭୋଗ ସରିଲେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ଭିତର ସିଂହାସନକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ପାଇ ମହାଜନେ ହାତରେ ବିଜେ କରାଇ କଳ୍ପବଟ ପାଶ୍ୱର୍ରେ ଥିବା ପାଲିଙ୍କିରେ ବିଜେ ହେବେ ।ବିମାନବଡ଼଼ୁମାନେ ପାଲିଙ୍କିକୁ ଦେଉଳରେ ବେଢ଼ାଏ ବୁଲାଇ ଲୋକନାଥ ମାର୍ଗସ୍ଥିତ ଲବଣିଖିଆ ମଣ୍ଡପରେ ବିଜେ କରାଇବେ ।ଏହି ସମୟରେ ବାଟରୁ ମହାଭୋଇ ଘର ବୋହୂମାନେ ଠାକୁରଙ୍କୁ ପାଛୋଟି ନେଇ ସରଲବଣୀ ଭୋଗ ସହିତ ଶୀତଳ ଭୋଗ ଓ ବନ୍ଦାପନା କରିବେ।ପରେ ପୁନଃ ମାର୍କଣ୍ଡ ପୋଖରୀ କୂଳକୁ ଚଳନ୍ତି ବିଗ୍ରହ ଯାତ୍ରା କରିବେ । ସେଠାରେ କାଳୀୟ ଦଳନ ଲୀଳା ଅନୁଷ୍ଠିତ ହେବ । ସେଥିରେ ମାର୍କଣ୍ଡ ପୋଖରୀ ଦିପିଦାଣ୍ଡି ପାଖରେ ପୂର୍ବ ନିର୍ମିିତଗୋଟିଏ ମଞ୍ଚା ଉପରେ କନାରେ ପ୍ରସ୍ତୁତ ହୋଇଥିବା ଏକ ସର୍ପ ଜଣଙ୍କୁ ଆଘାତ କରିବା ପରେ ଅନ୍ୟ ଜଣେ ଗରୁଡ଼ ବେଶରେ ଆସି ଅମୃତ ଲଡ଼ୁ ଦେଇ ବିଷ ଝାଡ଼ିବେ । ଏହା ପରେ ଏଠାରେ କାଳୀୟଦଳନ ପ୍ରସ୍ତୁତ ଲୀଳା ହେବ । କୃଷ୍ଣ ବେଶରେ ଜଣେ କାଳୀନାଗକୁ ଦମନ କରିବେ ।

ଏହି ଲୀଳା ସରିବା ପରେ ବିଗ୍ରହମାନେ ବାହୁଡ଼ା ବିଜେରେଆସି ଜୟବିଜୟ ଦ୍ୱାରଠାରେ ଏକାଦଶୀ ଭୋଗ ହୋଇ ବନ୍ଦାପନା ପରେ ଦକ୍ଷିଣି ଘରକୁ ବିଜେ କରିବେ । ଏହା ପରେ ସିଂହାସନରେ ମହାପ୍ରଭୁଙ୍କ ବାଡ଼ରେ କାଳୀ ଦଳନ ବେଶ ଅନୁଷ୍ଠିତ ହେବ। ଏଥିରେ ସୋଲ ଓ କନାରେ ପ୍ରସ୍ତୁତ ଏକ ବୃହତ୍ କଳା ନାଗର ପ୍ରତିକୃତି ମହାପ୍ରଭୁଙ୍କୁ ବେଢ଼େଇ ହୋଇ ରହିବ। ତାହାର ମସ୍ତକ ମହାପ୍ରଭୁଙ୍କ ପାଦତଳେ ରହିବା ଭଳି ପ୍ରତ୍ୟୟ ହେବ । ଏହି ବେଶରେ ଶ୍ରୀଜୀଉ ଭକ୍ତଂକୁ ଦର୍ଶନ ଦେବେ।

ବେଶ ବଢିବା ପରେ ସନ୍ଧ୍ୟାଧୂପ ପରେ ଦକ୍ଷିଣି ଘରୁ ମଦନମୋହନ ପ୍ରଥମେ ସିଂହାସନକୁ ଏବଂ ତା’ପରେ ଆଜ୍ଞାମାଳ ନେଇ ମହାଜନଙ୍କ ହାତରେ ଜଗମୋହନରେ ଥିବା ଖଟରେ ପୁନଃ ବିଜେ ହେବେ । ଏଠାରେ କୁଣ୍ଢେଇବେଣ୍ଟ ସାହି ଲୋକେ ଧେନୁକାସୁର ବଧ ପ୍ରସ୍ତାବ ଲୀଳା କରିବେ। ଅର୍ଥାତ୍ ଜଣେ ଧେନୁକାସୁର ଓ ଜଣେ କୃଷ୍ଣ ବେଶରେ ଏହି ଲୀଳାରେ କୃଷ୍ଣ ଧେନୁକାସୁର କୁ ବଧ କରିବେ। ଏହାପରେ ଶୀତଳ ଭୋଗ ବଢି ଶ୍ରୀମଦନମୋହନ ଦକ୍ଷିଣ ଘରକୁ ବିଜେ କରିବେ। ଏହାପରେ ଦୈନନ୍ଦିନ ନୀତି ସମ୍ପାଦିତ ହେବ।

Comments are closed.