ଆଜି ଦେବୀ ଅଷ୍ଟଭୂଜାଙ୍କୁ ବିଦାୟ ଦେବେ ରେଶମ ସହରବାସୀ

ବ୍ରହ୍ମପୁର: ବିଦାୟ ନେବେ ଦେବୀ ଅଷ୍ଟଭୂଜା। ରେଶମ ସହରର ବିଭିନ୍ନ ସୁଦୃଶ୍ୟ ଓ ସୁସଜ୍ଜିତ ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ବେଶ୍ ସମାରୋହରେ ପାଳିତ ହେବା ପରେ ଏବେ ଦେବୀ ଦୁର୍ଗତିନାଶିନୀଙ୍କ ବିଦାୟ ବେଳା ଉପନୀତ। ପୁଣି ଆରବର୍ଷକୁ ଆସିବେ ଦେବୀ। ତେବେ ତା’ ପୂର୍ବରୁ ଯେଭଳି ଯାକଜମକରେ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ସେହିଭଳି ଭବ୍ୟ ପଟୁଆରରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିବା ପାଇଁ ପ୍ରସ୍ତୁତି କରିଛନ୍ତି ସମସ୍ତ ପୂଜା ମଣ୍ଡପ କମିଟି, ପ୍ରଶାସନ ଓ ପୋଲିସ୍। ପରିବେଶ ବିଶେଷ କରି ଜଳଉତ୍ସ ପ୍ରଦୂଷଣକୁ ରୋକିବା ଦୃଷ୍ଟିରୁ ବ୍ରହ୍ମପୁର ଉପଖଣ୍ଡ ଓ ମହାନଗର ନିଗମ ପ୍ରଶାସନ ଦ୍ବାରା ବନ୍ଦୋବସ୍ତ କରାଯାଇଛି। ପୂର୍ବ ବର୍ଷମାନଙ୍କ ଭଳି ଏଥର ମଧ୍ୟ ସହରର ଚାରି ପଟେ ଚାରିଗୋଟି ଅସ୍ଥାୟୀ ପୁଷ୍କରିଣୀ ଖନନ କରାଯାଇଛି ଯେଉଁଠି ମଣ୍ଡପରେ ପୂଜା ପାଉଥିବା ମୂର୍ତ୍ତିକୁ ସସମ୍ମାନେ ଓ ଯତ୍ନର ସହ ବିସର୍ଜନ କରାଯିବ। ଚଳିତ ଥର ସହରରେ ୪୦ରୁ ଅଧିକ ଛୋଟ ବଡ଼ ମଣ୍ଡପରେ ପୂଜା ପାଇଥିଲେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି। ଯଦିଓ ଲଗାଣ ବର୍ଷା ନବମୀ ଓ ଦଶମୀ ତିଥିରେ କିଛିଟା ବାଧକ ସାଜିଥିଲା, ତଥାପି ଶୁକ୍ରବାର ପାଗ ସକାଳୁ ଶୁଖିଲା ରହିଛି। ପ୍ରଶାସନ ଦ୍ବାରା ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଆଜି ସମସ୍ତ ମେଢ଼ର ବିସର୍ଜନ ହେବ। ଯେଉଁମାନେ ଚାହିଁବେ ପ୍ରଶାସନ ଠାରୁ ଆଗୁଆ ଅନୁମତି ନେଇ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିପାରିବେ ବୋଲି ମଧ୍ୟ ପରାମର୍ଶ ଦେଇଥିଲା ପ୍ରଶାସନ। ତେବେ ଆଜି ଅପରାହ୍ନ ୪ଟାରୁ ରାତ୍ର ୯ଟା ମଧ୍ୟରେ ଭସାଣି କାର୍ଯ୍ୟକ୍ରମ ପଟୁଆର ମଧ୍ୟରେ କରିବା ପାଇଁ ଅଧିକାଂଶ ପୂଜା ମଣ୍ଡପ କର୍ମକର୍ତ୍ତା ଆଗ୍ରହବ୍ୟକ୍ତ କରିଥିଲେ। ସେହି ଦୃଷ୍ଟିରୁ ରେଶମ ସହରବାସୀ ଦେବୀଙ୍କ ଶେଷ ଦର୍ଶନ ସହ ବିସର୍ଜନ ପଟୁଆର ଦେଖିବାକୁ ମନସ୍ଥ କରି ସାରିଛନ୍ତି।

ଆଜି ସମସ୍ତ ପୂଜା ମଣ୍ଡପରୁ ଦେବୀ ମହିଷାସୁରମର୍ଦ୍ଦିନୀଙ୍କ ମୂର୍ତ୍ତିକୁ ପଟୁଆରରେ ନିଆଯିବ। ଫାଷ୍ଟଗେଟ୍ ଡେରା ଶ୍ମଶାନ ପଡ଼ିଆ ନିକଟ ଅସ୍ଥାୟୀ ପୋଖରୀ, ଗୋସାଇଁନୂଆଗାଁ ଆଗୁଳ ବନ୍ଧ, ଆମ୍ବପୁଆ ବିବେକ ବିହାର ଏବଂ ଆମ୍ବ ମାର୍କେଟ୍ ନିକଟ ମିଶନ୍ ଶକ୍ତି ଗୃହ ପାଖରେ ଗୋଟିଏ ଲେଖାଏଁ ଅସ୍ଥାୟୀ ପୋଖରୀ ଖୋଳାଯାଇଛି। ମାଟି ଓ ଜଳ ପ୍ରଦୂଷଣକୁ ରୋକିବା ପାଇଁ ବିରାଟକାୟ ଗାତ ଖୋଳାଯିବା ପରେ ମାଟି ଉପରେ ମୋଟା ପଲିଥିନ୍ ପକାଯାଇ ତା ଉପରେ ଯଥେଷ୍ଟ ମାତ୍ରାରେ ପାଣି ଢଳାଯାଇଛି। ଗୋଟିଏ ଗୋଟିଏ ଅସ୍ଥାୟୀ ପୋଖରୀରେ ପ୍ରାୟ ୧୦ଟି ମୂର୍ତ୍ତି ବିସର୍ଜନ କରିହେବ। ପରେ ପ୍ରଶାସନ ସେଠାରୁ ଆବର୍ଜନା ନିଷ୍କାସନ ବ୍ୟବସ୍ଥା କରିବ।

ଆଜି ମା’ଙ୍କୁ ମେଲାଣି ଦେବେ ଶ୍ରଦ୍ଧାଳୁ। ନଅ ଦିନ ଧରି ମଣ୍ଡପରେ ପୂଜା ପାଉଥିବା ମା’ଙ୍କ ବିଦାୟବେଳା ଏବେ ଆଗତ। ପୂର୍ବରୁ ରେଶମ ସହରର ପୁରୁଣା ବସଷ୍ଟାଣ୍ଡ୍‌ରେ ସମସ୍ତ ମେଢ଼ ଏକାଠି ହେଉଥିଲେ। ସେଠାରୁ ଗୋପାଳପୁର ସମୁଦ୍ର କିମ୍ବା ଗଞ୍ଜାମ ନିକଟ ଋଷିକୁଲ୍ୟା ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରୁଥିଲେ। କିନ୍ତୁ ଏହାଦ୍ବାରା ଭୀଷଣ ଟ୍ରାଫିକ୍ ସମସ୍ୟା ହେବା ସହ ପୁରୁଣା ବସ୍‌ଷ୍ଟାଣ୍ଡ୍ ଉଚ୍ଛେଦ ପରଠାରୁ ପ୍ରାୟ ୧୫ ବର୍ଷ ହେବ ମେଲଣ ହେଉନାହିଁ। ପ୍ରଶାସନ ନିର୍ଦ୍ଦେଶପ୍ରକାରେ ପରିବେଶ ସଂରକ୍ଷଣ ଦୃଷ୍ଟିରୁ ଗତ କିଛି ବର୍ଷ ହେଲା ଅସ୍ଥାୟୀ ପୁଷ୍କରିଣୀ କରାଯାଇ ସେଠାରେ ମୂର୍ତ୍ତି ବିସର୍ଜନ କରାଯାଉଛି। ମୂର୍ତ୍ତି କେଉଁ ସମୟରେ କେଉଁ ଠାରୁ ବାହାରି କେଉଁ ରାସ୍ତା ଦେଇ ଅସ୍ଥାୟୀ ପୋଖରୀ ପାଖରେ ପହଞ୍ଚିବ ସେନେଇ ଟ୍ରାଫିକ୍ ଥାନା ଏବଂ ସ୍ଥାନୀୟ ଥାନା ଦ୍ବାରା ରୁଟ୍ ଚାର୍ଟ ଘୋଷିତ ହୋଇସାରିଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ମାର୍ଗରେ ପୋଲିସ ପକ୍ଷରୁ ୧୨୦ ଜଣ ଟ୍ରାଫିକ୍ କର୍ମଚାରୀ ନିୟୋଜିତ ରହିବେ। ୫ ଗୋଟି ପିସିଆର୍ ଭ୍ୟାନ୍ ମଧ୍ୟ କଡ଼ା ନଜର ରଖିବ। ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍, ବିଏମ୍‌ସି କମିଶନର୍ ଜେ.ସୋନାଲ୍ ଓ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ ଙ୍କ ତତ୍ତ୍ଵାବଧାନରେ ସୁରୁଖୁରୁରେ ଭସାଣୀ ଯାତ୍ରା ସମ୍ପନ୍ନ ହେବାକୁ ଯାଉଛି।

Comments are closed.