ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଜନସେବା: ବ୍ରହ୍ମପୁର ଓ ଗୋପାଳପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ସେବାକାର୍ଯ୍ୟ କରିଛନ୍ତି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର ବିଜେଡି ନେତା ଓ କର୍ମୀ। କେକ୍ କାଟି ଖୁସି ତ ମନାଇଥିଲେ, ମନ୍ଦିରରେ ଦୀପଦାନ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ଏଥିସହ ଅନାଥ, ବୃଦ୍ଧ, ଗରିବଙ୍କୁ ଖାଦ୍ୟ ବଣ୍ଟନ ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲା ବିଜେଡି।

ବ୍ରହ୍ମପୁରରେ ବିଜେଡି ନେତା ଓ କର୍ମୀ ସକାଳ ବେଳା ବୁଢ଼ି ଠାକୁରାଣୀ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଖଲାସି ସାହି କଲ୍ୟାଣ ମଣ୍ଡପରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ୨୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଥିଲା। ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସାଂସଦ ଚନ୍ଦ୍ରଶେଖର ସାହୁ, ମେୟର୍ ସଂଘମିତ୍ରା ଦଳେଇ, ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ୫୪ ଥର ପାଇଁ ରକ୍ତଦାନ କରିଥିଲେ କର୍ପୋରେଟର୍ ଦୁର୍ଗା ଲାୟକ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଡ. ଦାଶ। ବିଜୁ ମହିଳା ଜନତା ଦଳ ପକ୍ଷରୁ ଗୋସାଇଁନୂଆଗାଁ ବାଳାଶ୍ରମରେ କେକ୍ କଟା ସହ ସମସ୍ତ ଅନ୍ତେବାସୀଙ୍କୁ ଚାଦର ବଣ୍ଟାଯାଇଥିଲା। ସେହିପରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ରୋଗୀ ଓ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା।

ସେପଟେ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ରକ୍ତଦାନ ଶିବିର, ଜରାଶ୍ରମରେ ଫଳ ଓ ମିଠେଇ ବଣ୍ଟା ସହ କେକ୍ କଟାଯାଇ ଥିଲା। ରକ୍ତଦାନ ଶିବିରରେ ୨୧୫ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି। ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମଙ୍କ ପୌରୋହିତ୍ୟରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ ମୁଖ୍ୟ ଅତିଥି ଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ବ୍ରହ୍ମପୁର ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ବରିଷ୍ଠ ବିଜେଡ଼ି ନେତା ସିଏଚ ଭରତ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ, ବ୍ଲକ ବିଜେଡି ସଭାପତି ଅଜିତ ଦାଶ, ଗୋପାଳପୁର କାଉନସିଲର ମୋହନ, ଏ.ସନ୍ତୋଷ ପାତ୍ର, ଗୋପିଆମ୍ମା ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଣ୍ଡ୍ ଆନିମେସନ୍ କରିଥିଲେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ମୁଖ୍ୟମନ୍ତ୍ରୀଙ୍କ ଛବି ଆନିମେସନ୍‌କୁ ସେ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସତ୍ୟଙ୍କୁ କମେଣ୍ଟ୍ ମାଧ୍ୟମରେ ଧନ୍ୟବାଦ ଜଣାଯାଇଛି।

Comments are closed.