ଡାଟା ପ୍ରୋଟେକସନ ବିଲ୍ ଡ୍ରାଫ୍ଟ‌ ଜାରି, ନିୟମ ଉଲ୍ଲଂଘନ କଲେ ୫୦୦ କୋଟି ଜରିମାନା ବ୍ୟବସ୍ଥା

ନୂଆଦିଲ୍ଲୀ: ସରକାର ଶୁକ୍ରବାର ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍ ଡ୍ରାଫ୍ଟ‌ ଜାରି କରିଛନ୍ତି । ସରକାର ଏଥିରେ ପ୍ରସ୍ତାବିତ ନିୟମ ଉଲ୍ଲଂଘନ ପାଇଁ ଜରିମାନା ପରିମାଣ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

୨୦୧୯ ମସିହାରେ ପ୍ରକାଶିତ ଏହି ଆଇନର ଡ୍ରାଫ୍ଟରେ 15 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା କମ୍ପାନୀର ବିଶ୍ବ କାରବାରର ଚାରି ପ୍ରତିଶତ ଜରିମାନା ପ୍ରସ୍ତାବ ଦିଆଯାଇଥିଲା।

ଏହି ବିଲ୍ ଡ୍ରାଫ୍ଟରେ ଡାଟା ସଂରକ୍ଷଣ ବୋର୍ଡ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ବିଲ୍ ଅନୁଯାୟୀ କାର୍ଯ୍ୟ କରିବ।

ସୂଚନା ଅନୁଯାୟୀ, ବିଲ୍‌ର ଡ୍ରାଫ୍ଟରେ କୁହାଯାଇଛି ଯେ ଯଦି ଅନୁସନ୍ଧାନ ପରେ କୌଣସି ବ୍ୟକ୍ତି ଆଇନ ପାଳନ କରିନାହାନ୍ତି ବା ମାମଲା ଗମ୍ଭୀର ବୋଲି ଯାଞ୍ଚରୁ ଜଣାପଡ଼େ ତେବେ ସେହି ବ୍ୟକ୍ତିଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ । ଦୋଷୀଙ୍କ ଉପରେ ପ୍ରତ୍ୟେକ ମାମଲାରେ ଜରିମାନା ୫୦୦ କୋଟିରୁ ଅଧିକ ହେବ ନାହିଁ।

ଡ୍ରାଫ୍ଟରେ ଏକ ଗ୍ରେଡ୍ ପେନାଲ୍ଟି ବ୍ୟବସ୍ଥା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି | ଯେଉଁ କମ୍ପାନୀ ଲୋକଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ କରେ ଏବଂ ଉକ୍ତ କମ୍ପାନୀ ତରଫରୁ ଅନ୍ୟ କୌଣସି ସଂସ୍ଥା ଡାଟା ପ୍ରୋସେସିଂ କରନ୍ତି, ତେବେ ଡାଟା ଉଲ୍ଲଂଘନ ହେଲେ ଉଭୟ କମ୍ପାନୀର ଭିନ୍ନ ଦାୟିତ୍ବ ରହିବ।

Comments are closed.