ଅଟଳ ବିହାରୀ ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ପଙ୍କଜ ତ୍ରିପାଠୀ ନିଭାଇବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭୂମିକା

ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ବାୟୋପିକ ନିର୍ମାଣ ନେଇ ଘୋଷଣା କରାଯାଇଛି । ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ଅର୍ଥାତ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବେ । ଏଭଳି ଜଣେ ମାନବୀୟ ରାଜନେତାଙ୍କ ଭୂମିକାରେ ଅଭିନୟ କରିବା ସମ୍ମାନର ବିଷୟ ବୋଲି ପଙ୍କଜ ତ୍ରିପାଠୀ କହିଛନ୍ତି । ସେ କେବଳ ଜଣେ ରାଜନେତା ନୁହନ୍ତି, ତା’ଠାରୁ ବଳି ଜଣେ ସୁଲେଖକ ଏବଂ ପ୍ରଖ୍ୟାତ କବି ଥିଲେ । ପରଦାରେ ତାଙ୍କ ଭୂମିକାରେ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି ।

ବାଜପେୟୀଙ୍କ ବାୟୋପିକର ନିର୍ମାତାଙ୍କ ଏକ ବିବୃତ୍ତି ଅନୁଯାୟୀ ଉତ୍କର୍ଷ ନୈଥାନୀଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ତିନିଥର ଜାତୀୟ ପୁରସ୍କାର ବିଜେତା ରବି ଯାଦବ ଯିଏକି ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ । ‘ଅଟଳ’ ଶୀର୍ଷକ ଏହି ଫିଲ୍ମ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ତଥା ସହପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ଓ ଜୀବନଯାତ୍ରା ଉପରେ ଆଧାରିତ ।

ନିର୍ମାତା ସନ୍ଦୀପ ସିଂ କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ଏହି ବାୟୋପିକକୁ ତାଙ୍କ ୯୯ତମ ଜନ୍ମଦିନ ତଥା ଖ୍ରୀଷ୍ଟମାସ ୨୦୨୩ରେ ରିଲିଜ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ‌

Comments are closed.