ଆସୁଛି ନାକ୍ ଟିମ୍: ସଜେଇ ହୋଇଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍

ବ୍ରହ୍ମପୁର: ରାଜ୍ୟର ବିଶ୍ଵବିଦ୍ୟାଳୟ ମଧ୍ୟରୁ ଗ୍ରୀନ୍ କ୍ୟାମ୍ପସ୍ ଭାବେ ପରିଚିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ଅର୍ଥାତ୍ ଭଞ୍ଜବିହାର ନୂଆ ରୂପରେ ସଜେଇ ହୋଇଛି। ପ୍ରବେଶ ପଥରୁ ଆରମ୍ଭ କରି ସାରା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଏବେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ସଜାଇ ହୋଇଛି। ସତେ ଯେମିତି ଭଞ୍ଜବିହାର ପରିସରର ନବକଳେବର କରାଯାଇଛି। ବିଶ୍ବବିଦ୍ୟାଳୟ ଅତିଥି ଭବନ ଛକରେ ହାଉସ୍‌ ଛକରେ ଚିଙ୍ଗୁଡ଼ି, ଗୃହ ବିଜ୍ଞାନ ବିଭାଗ ଛକରେ ଡଲ୍‌ଫିନ୍, ଆନନ୍ଦ ବଜାର ଛକରେ ଡଙ୍ଗା, ଗ୍ରନ୍ଥାଗାର ଛକରେ ଅଧ୍ୟୟନରତ କୁନି ଛାତ୍ରଛାତ୍ରୀ, ସ୍ନାତକୋତ୍ତର କୋଠା ନିକଟରେ ଛକ ଠାରେ ବ୍ରହ୍ମପୁର ୟୁନିଭର୍ସିଟି ଘଡ଼ି, ଭଞ୍ଜ ଆହାର କେନ୍ଦ୍ର ପାଖରେ କଇଁଛ, କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଛକରେ ଯନ୍ତ୍ରପାତିର ପ୍ରତିକୃତି ସ୍ଥାପନ କରାଯାଇଛି। ସବୁଠାରୁ ଆକର୍ଷଣୀୟ ହୋଇଛି ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ସ୍ଥାପିତ ଆଇ ଲଭ୍ ବ୍ରହ୍ମପୁର ୟୁନିଭର୍ସିଟି ଲୋଗୋ ଓ ଚତୁଃପାର୍ଶ୍ଵରେ ଘୁରି ବୁଲୁଥିବା ଢାଞ୍ଚାରେ ହରିଣ ପ୍ରତିମୂର୍ତ୍ତି। ଏଠି ଫଟୋ ଉଠାଇବାକୁ ସୁସଜ୍ଜିତ ସେଲ୍‌ଫି ପଏଣ୍ଟ୍ ନିକଟରେ ପ୍ରାର ଛାତ୍ରଛାତ୍ରୀଙ୍କ ସମାଗମ ଦେଖିବାକୁ ମିଳୁଛି। ପ୍ରଶାସନ କୋଠା ନିକଟରେ ୨ଟି କୃତ୍ରିମ ଝରଣା ବ୍ୟବସ୍ଥା କରାଯାଇଛି।

କେବଳ ଏତିକି ନୁହେଁ, ନାଲ୍‌କୋ ଗେଟ୍ ସମ୍ମୁଖରେ ଶ୍ରୀ ବିନାୟକ ଓ ୨ ନୃତ୍ୟାଙ୍ଗନାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ସେହିପରି ନାଲକୋ ଗେଟ୍ ଓ ପ୍ରଶାସନିକ କୋଠାକୁ ଉଜ୍ଜଳ ଆଲୋକରେ ସୁସଜ୍ଜିତ କରାଯାଇଛି। ଚୂନ ଲିପାପୋଛା ସାଙ୍ଗକୁ ସମଗ୍ର କ୍ୟାମ୍ପସ୍ ସଫାସୁତରା କରାଯାଇଛି। ବଗିଚା ଗୁଡ଼ିକୁ ଘାସରେ ସଜାଯିବା ସହ ବିଭିନ୍ନ ପ୍ରକାର ସୁନ୍ଦର ଗଛ ଲଗାଯାଇ ଚାରିପଟେ ସୁରକ୍ଷା ଜାଲି ପୋତାଯାଇଛି। ତେବେ କେବଳ ବାହ୍ୟ ସୌନ୍ଦର୍ଯ୍ୟକରଣ ନୁହେଁ ବରଂ ଶୈକ୍ଷିକ ଗୁରୁତ୍ବ ବୃଦ୍ଧି ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ପ୍ରତି ବିଭାଗରେ ଆଣ୍ଟି- ରାଗିଂ ପୋଷ୍ଟର୍, ନ୍ୟୁଜ୍ ଲେଟର୍‌ ଲଗାଯିବା ସହ ଆଡ୍‌ମିଶନ୍ ଓ ସେମିନାର୍ ରେଜିଷ୍ଟାର୍ ତଥା ସିଲାବସ୍ ପ୍ରସ୍ତୁତି, ରୁଟିନ୍ ଖଞ୍ଜାଯିବା ସାଙ୍ଗକୁ ଡଷ୍ଟବିନ୍‌ ରଖାଯାଇ ସ୍ବଚ୍ଛତା ପ୍ରତି ନଜର ରଖାଯାଇଛି। ବିଶ୍ୱବିଦ୍ୟାଳୟ ପାଚେରୀରେ ବିଭିନ୍ନ ସୁନ୍ଦର କଳାକୃତି ଅଙ୍କାଯାଇ ସମସ୍ତଙ୍କୁ ଆକୃଷ୍ଟ କରାଯିବା ପ୍ରୟାସ କରାଯାଇଛି। ଫଳରେ ଯେକେହି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଥରେ ବୁଲି ଆସିଲେ ଆମୋଦିତ ବା ପ୍ରସନ୍ନ ହେବା ଥୟ।

ବାସ୍ତବରେ ଏସବୁ ପ୍ରସ୍ତୁତି ହେଉଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ବୁଧବାରରୁ ତିନିଦିନିଆ ଗସ୍ତରେ ଆସୁଥିବା ୫ ଜଣିଆ ନାକ୍ ଟିମକୁ ସ୍ବାଗତ କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତିର ରୂପରେଖ। ଏଥିପାଇଁ ବିଶ୍ବବିଦ୍ୟାଳୟ ପରିସର ବେଶ୍ ସଜେଇ ହୋଇ ଚମକୁଛି। ନାକ୍ ପ୍ରତିନିଧି ଦଳର ପରିଦର୍ଶନ ସକାଶେ ଶିକ୍ଷା, ଗବେଷଣା ଓ ପରିବେଶ ଉପରେ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ। ବୁଧବାର ପୂର୍ବାହ୍ନରେ ନାକ୍ ଦଳକୁ ବିଶ୍ବବିଦ୍ୟାଳୟ ପ୍ରଶାସନ କୋଠା ନିକଟରେ ବିଧିବଦ୍ଧ ସ୍ବାଗତ କରାଯିବା କାର୍ଯ୍ୟକ୍ରମ ରହିଛି। ନାକ୍ ଟିମ୍ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟ, ଗବେଷଣା ଭିତ୍ତିଭୂମି, ଗ୍ରନ୍ଥାଗାର, ହଷ୍ଟେଲ୍, ଫାଇନାନ୍ସ ଓ ପରୀକ୍ଷା ବିଭାଗ, କ୍ରୀଡ଼ା ପରିଷଦ ଆଦି ବୁଲି ତର୍ଜମା କରିବେ। ଛାତ୍ରଛାତ୍ରୀଙ୍କ ସକାଶେ ଅଧ୍ୟୟନ ଜନିତ ପରିବେଶ କେତେ ଉନ୍ନତ ଓ ଉତ୍ତମ ତାହା ପରଖିବ। ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ସହ ଆଲୋଚନା କରିବ। ଏହି ଗସ୍ତ ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ସାରିଛନ୍ତି। ଆସନ୍ତାକାଲି ନାକ୍ ଟିମ୍ ଆଗମନକୁ ସମସ୍ତଙ୍କ ଅପେକ୍ଷା। ଏଥିସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନାକ୍ ମାନ୍ୟତା ଅଧିକ ଉଚ୍ଚକୁ ଉଠିବା ଆଶା ଉଜ୍ଜ୍ବଳ ହୋଇଛି।

Comments are closed.