ଅତିଥି ଆଗନ୍ତୂକ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ତତ୍ପର ବନ ବିଭାଗ

ବ୍ରହ୍ମପୁର: ଶୀତ ଋତୁ ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଗଞ୍ଜାମ ଜିଲ୍ଲା ବଙ୍ଗୋପସାଗର ଉପକୂଳକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍‌ଲେଙ୍କ ଆଗମନ ଆରମ୍ଭ ହୋଇଯିବ। ସମୁଦ୍ର ବେଳାଭୂମି ତଥା ଋଷିକୁଲ୍ୟା ମୁହାଣରେ ଦେଖିବାକୁ ମିଳିବ ଏହି ଅତିଥି ଆଗନ୍ତୁକଙ୍କ ସମାଗମ। ସାରା ବିଶ୍ବରେ ଏହି ବିରଳ କଇଁଛଙ୍କ ସୁରକ୍ଷିତ ପ୍ରଜନନ ସ୍ଥଳ ପାଲଟିଛି ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ। ସମୁଦ୍ର ମଧ୍ୟରେ ସେମାନଙ୍କ ମିଳନ, ସମୁଦ୍ର ତଟ ବାଲୁକା ଶର୍ଯ୍ୟାରେ ଲକ୍ଷ ଲକ୍ଷ ସଂଖ୍ୟାରେ ମା’ କଇଁଛଙ୍କ ଗଣ ଅଣ୍ଡାଦାନ ଓ ପ୍ରାୟ ଦେଢ଼ ମାସ ପରେ ସେଥିରୁ କୁନି କୁନି କଇଁଛ ଛୁଆ ବାହାରି ଛୋଟ ଛୋଟ ପାଦରେ ସମୁଦ୍ରମୁହାଁ ହେବାର ପ୍ରାକୃତିକ ଦୃଶ୍ୟ ନିଶ୍ଚିତ ଭାବେ ଉଲ୍ଲେଖନୀୟ। ସେମାନଙ୍କୁ ସ୍ବାଗତ ତଥା ସୁରକ୍ଷା କରିବାକୁ ପ୍ରସ୍ତୁତ ବନ ବିଭାଗ ଓ ଜିଲ୍ଲାର ପ୍ରକୃତିପ୍ରେମୀ ତଥା ଜୀବପ୍ରେମୀ।

ବନ ବିଭାଗ ଦ୍ୱାରା ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ମାଛଧରା ଡଙ୍ଗା ଓ ଟ୍ରଲର୍ ଦ୍ବାରା ଅଲିଭ୍ ରିଡ୍‌ଲେଙ୍କ ପ୍ରତି କ୍ଷତି ପହଞ୍ଚିବା ଆଶଙ୍କା ଅଧିକ। ଏଣୁ ସମୁଦ୍ରରେ ଟ୍ରଲର୍ ଚଳାଚଳକୁ ପ୍ରତିହତ କରିବା ପାଇଁ ବନବିଭାଗ ପାଟ୍ରୋଲିଂ ଆରମ୍ଭ କରିବା ସହ ମାଛଧରା ଉପରେ କଟକଣା ଜାରି କରିଛି। ଏଥିସହ ସମୁଦ୍ର ତଟରେ ଉଜ୍ଜ୍ବଳ ଆଲୋକ ଯେପରି ନ ଲାଗିବ, ବେଳାଭୂମି ସଫେଇ କରି ବିରଳ କଇଁଛଙ୍କ ସକାଶେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଆଦି କାର୍ଯ୍ୟ ଆରମ୍ଭ କରିଦେଇଛି ବନ ବିଭାଗ। ସାଧାରଣ ଲୋକ ଯେପରି କଈଁଛ ଆସୁଥିବା ଗଞ୍ଜାମ ବ୍ଲକ୍ ବେଳାଭୂମିରେ ଗହଳି ନ କରିବେ ସେ ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଇଛି। ଅଞ୍ଚଳବାସୀଙ୍କ ସହଯୋଗରେ ପ୍ରତି ବର୍ଷ ଏହି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉଛି। ମାତ୍ର ଚଳିତ ବର୍ଷ ଏହି ବିରଳ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ଋତୁରେ ନୂଆ ଆହ୍ବାନ ସୃଷ୍ଟି ହୋଇଛି। ଚଳିତ ବର୍ଷ ପୁରୁଣାବନ୍ଧ ସମ୍ମୁଖରେ ନୂଆ ମୁହାଣ ଖୋଲିଛି। ଏହି ମୁହାଣ ଦେଇ କଇଁଛଙ୍କ ପ୍ରବେଶ ଓ ଅଣ୍ଡାଦାନର ସମ୍ଭାବନା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ସାମୂହିକ ଅଣ୍ଡାଦାନ ଦୃଷ୍ଟିରୁ ବନ ବିଭାଗ ପୂର୍ବ ପ୍ରସ୍ତୁତି କରିଥିବା ଡିଏଫ୍ଓ ନାୟକ ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଆଗାମୀ ଦିନରେ ବିରଳ ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ମିଳନ ଓ ଗଣଅଣ୍ଡାଦାନ ପାଇଁ ଋଷିକୁଲ୍ୟା ମୁହାଣ ଓ ସମ୍ଭାବ୍ୟ ବେଳାଭୂମି ପ୍ରସ୍ତୁତ ରଖିବାକୁ କହିଥିଲେ।

ଗତ ବର୍ଷ ଗଞ୍ଜାମ ଜିଲ୍ଲା ବଙ୍ଗୋପସାଗର ମୁହାଣକୁ ଏଯାବତ୍ ରେକର୍ଡ ସଂଖ୍ୟକ ସର୍ବାଧିକ ୫.୫ ଲକ୍ଷ କଇଁଛ ଗଣଅଣ୍ଡାଦାନ ପାଇଁ ଆସିଥିଲେ। ଚଳିତ ବର୍ଷ ମଧ୍ୟ ଉଲ୍ଲେଖନୀୟ ଭାବେ ଏହି କଇଁଛଙ୍କ ସାମୂହିକ ଅଣ୍ଡାଦାନ କରିବା ଆଶା କରାଯାଉଛି। ବ୍ରହ୍ମପୁର ବନଖଣ୍ଡ ତଥା ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡ଼ମପେଟା ଠାରୁ ପୁରୁଣାବନ୍ଧ ପର୍ଯ୍ୟନ୍ତ ୫ କିମି ବ୍ୟାପ୍ତ ବେଳାଭୂମି ପାଲଟିଛି ଅଲିଭ୍ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସ୍ଥଳ। ଏଣୁ ବନ ବିଭାଗ ପୋଡ଼ମପେଟା ଠାରୁ ପୁରୁଣାବନ୍ଧ ପର୍ଯ୍ୟନ୍ତ ବେଳାଭୂମିକୁ ୩୦ଟି ଜୋନ୍‌, ନୂଆ ପୋଡ଼ମପେଟା ଠାରୁ ବଟେଶ୍ବର ଏବଂ ବଟେଶ୍ଵର ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ଆଉ ୨୦ଟି ଜୋନ୍ କରାଯାଇଛି। ଏହି ଜୋନ୍‌ରେ ସୁରକ୍ଷିତ ଗଣଅଣ୍ଡାଦାନ ନେଇ ପ୍ରସ୍ତୁତି କରାଯାଇଛି। ପ୍ରତି ଜୋନ୍‌ରେ ୫ ଜଣିଆ ଟିମ୍ କଇଁଛଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ। କୁକୁର, ବିଲୁଆ, କାଉ ଭଳି ପଶୁପକ୍ଷୀ ଯେପରି କଇଁଛଙ୍କ ଅଣ୍ଡା ନଷ୍ଟ କରି ନପାରିବେ ସେଥିପାଇଁ ବେଳାଭୂମିର ଏକ କିଲୋମିଟର ଅଞ୍ଚଳରେ ଜିଆଇ ତାରରେ ସୁରକ୍ଷା ବାଡ଼ ନିର୍ମାଣ କରାଯିବ। ବୈଠକରେ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ, ପରିବେଶବିତ୍, ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ପୁଲିସ ବିଭାଗର ପ୍ରତିନିଧି ଓ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।

Comments are closed.