ବିଧାନସଭା ଶୀତ ଅଧିବେଶନ ଆରମ୍ଭ, ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହ ଅପରାହ୍ନ ୫ଟା ଯାଏଁ ମୁଲତବୀ

ଭୁବନେଶ୍ୱର – ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଏବଂ ଅନ୍ୟ ତିନି ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆଗତ ଶୋକ ପ୍ରସ୍ତାବ ଗୃହୀତ ହୋଇଛି। ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଅପରାହ୍ନ ୫ଟା ଯାଏଁ ମୁଲତବୀ ରଖାଯାଇଛି।

ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇଦିନ ଧରି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଏହାପରେ ଡିସେମ୍ବର ୨ ତାରିଖ ଦିନ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ହୋଇ ବିଲ୍ ପାରିତ ହେବ । ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି ।

Comments are closed.