କଞ୍ଝାୱାଲା ମାମଲା: ୧୧ ପୋଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କଞ୍ଝାୱାଲା ମାମଲାରେ ଦିଲ୍ଲୀ ପୋଲିସ ୧୧ ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରିଛି । ଯେଉଁ ରୁଟରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୁତୟନ ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଦୁଇ ସବ୍-ଇନ୍ସପେକ୍ଟର, ୪ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୪ ହେଡ୍ କନଷ୍ଟେବଳ, ୧ କନଷ୍ଟେବଳ ଅଛନ୍ତି । ନିଲମ୍ବିତ ପୋଲିସଙ୍କ ମଧ୍ୟରୁ ୬ ଜଣ ପିସିଆର୍ ଡ୍ୟୁଟିରେ ଏବଂ ୫ ଜଣ ପୋଲିସ ପିକେଟିଂରେ ମୁତୟନ ହୋଇଥିଲେ।

ଏହାପୂର୍ବରୁ କଞ୍ଝାୱାଲା ମାମଲାରେ ଗୃହ ମନ୍ତ୍ରଣାଳୟ ଗୁରୁବାର ତିନିଟି ପିସିଆର ଭ୍ୟାନ ଏବଂ ଦୁଇଟି ପିକେଟିଂରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲା । ଏହାଛଡ଼ା କାର୍ଯ୍ୟରେ ଅବହେଳା ପାଇଁ ଚେକ୍ ପୋଷ୍ଟର ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ମଧ୍ୟ ଗୃହ ମନ୍ତ୍ରଣାଳୟ ସୁପାରିସ କରିଥିବା ଜଣାପଡ଼ିଛି।

ଡିସେମ୍ବର ୩୧ ରାତିରେ ଦିଲ୍ଲୀର ସୁଲତାନପୁରୀ ଥାନା ଅନ୍ତର୍ଗତ କଞ୍ଝାଓ୍ବାଲା ଅଞ୍ଚଳରେ ସ୍କୁଟିରେ ଯାଉଥିବା ଅଞ୍ଜଳି ସିଂ (୨୦) ନାମ୍ନୀ ଜଣେ ଯୁବତୀଙ୍କୁ ଏକ କାର୍ ଧକ୍କା ଦେଇଥିଲା ‌। ଏହାପରେ ସେ କାର୍ ତଳେ ଲାଖି ଯାଇଥିଲେ । କାରରେ ଥିବା ପାଞ୍ଚ ଜଣ ଯୁବକ ଏ‌ହା ଜାଣିବା ସତ୍ତ୍ୱେ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ଘୋଷାଡି ନେଇଥିଲେ । ମୁଣ୍ଡ, ମେରୁଦଣ୍ଡ ଓ ଅଣ୍ଟାରେ ଆଘାତ ଯୋଗୁଁ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ପୋଲିସ ପୂର୍ବରୁ ଦୀପକ ଖାନ୍ନା (୨୬), ଅମିତ ଖାନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬) ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରିଥିଲା। ପରେ ପ୍ରମାଣ ନଷ୍ଟ ଅଭିଯୋଗରେ ଆଉ ଦୁଇଜଣ ବ୍ୟକ୍ତି ଆଶୁତୋଷ ଓ ଅଙ୍କୁଷ ଖାନ୍ନାଙ୍କୁ ଗିରଫ କରାଯାଇଥିଲା।

Comments are closed.