ଆଜି ପବିତ୍ର ମାଘ ସପ୍ତମୀ: ସୂର୍ଯ୍ୟ ଦେବତାଙ୍କର ଜନ୍ମତିଥି ,  କୋଣାର୍କ ଚନ୍ଦ୍ରଭାଗାରେ ମାଘବୁଡ଼

ମାଘମାସ ଶୁକ୍ଳପକ୍ଷ ସପ୍ତମୀ ଦିନ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଉପାସନା କରି ଶ୍ରଦ୍ଧାଳୁମାନେ ବୁଡ଼ ପକେଇଥାଆନ୍ତି । ଉକ୍ତ ଦିବସ ଅବସରରେ ସେଠାରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ ।

ମାଘ ସପ୍ତମୀ ଦିନଟି ସୂର୍ଯ୍ୟ ଦେବତାଙ୍କର ଜନ୍ମତିଥି ଦୃଷ୍ଟିରୁ ମଧ୍ୟ ଏକ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ । ସୂର୍ଯ୍ୟ ପୂଜା ଉଦ୍ଦେଶ୍ୟର ଲାଙ୍ଗୁଳା ନରସିଂହ ଦେବ ୧୨ବର୍ଷ କାଳ ୧୨ଶହ ବଢେ଼ଇ ନିଯୁକ୍ତ କରି ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ପ୍ରତିଷ୍ଠା ଦିବସଟି ଥିଲା ମାଘମାସ ଶୁକ୍ଲପକ୍ଷ ସପ୍ତମୀ ତିଥି । । ମୂଳ ସୂର୍ଯ୍ୟ ମନ୍ଦିର ୧୬୨୧-୧୬୨୭ ମସିହା ମଧ୍ୟ ରେ ସାମୁଦ୍ରିକ ଝଡ଼ ପ୍ରଭାବରୁ ଭାଙ୍ଗି ଯାଇଥିଲା । କେତେକ ଐତିହାସିକମାନଙ୍କ ମତରେ ଏହାକୁ କଳା ପାହାଡ଼ ଷୋଡଶ ଶତାବ୍ଦୀରେ ଭାଙ୍ଗି ଦେଇ ଥିଲା । ଆଉ କେହି କୁହନ୍ତି ବ୍ରିଟିଶ ପଣ୍ୟବାହୀ ଜାହଜର ଚୁମ୍ବକୀୟ ପ୍ରଭାବରୁ ଏହା ଭାଙ୍ଗିପଡ଼ି ଥିଲା । ତେବେ ଯାହାହେଉ କଉଁ ଅତୀତ କାଳରୁ ଏଠାରେ ମାଘମେଳା ଚାଲିଛି, ବୁଡ଼ ପଡୁଛି ଏବଂ ସେହି ଧାର୍ମିକ ବିଶ୍ୱାସରେ ପାପ କ୍ଷୟ ହେଉଛି । ମହାଭାରତରେ ବର୍ଣ୍ଣିତ ଅଛି ଯେ ଏଠାରେ ମାଘ ସପ୍ତମୀ ତିଥିରେ ରାତ୍ରୀ ଉଜାଗର ରହି ସକାଳୁ ସୂର୍ଯ୍ୟ ଦର୍ଶନ ପୂର୍ବକ ସ୍ନାନ,ଦାନ ଓ ଧର୍ମ ଯିଏ କରେ, ତା’ଠୁ ବଳି ପୁଣ୍ୟାତ୍ମା ସଂସାରେ କେହି ନାହିଁ । ସପ୍ତମୀର ସ୍ନାନ, ଦାନ, ଧର୍ମ ଯେହୁ କରେ ତାହା ସମ ପୁଣ୍ୟାତ୍ମା କେହି ନାହିଁ ।

ଏ ସଂସାରେ କୋଣାର୍କ ବୋଲିଣ ଯେହୁ ଅଟେ
ତୀର୍ଥ ଗୋଟି ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି କୋଟି ଗୋରୁଦାନ କୋଟି ଅଶ୍ୱଗଜ କୋଟି ଏକ କନ୍ୟା ପୁଣି କୋଟି ଏକ ରାଜ୍ୟ । କୋଟି ପର୍ବତ ସମ ଦାନ ଦେଲେ ହୀରା ତଥାପି ସମ ନୋହିବେ ଅର୍କତୀର୍ଥ ପରା !

କୋଣାର୍କର ସୂର୍ଯ୍ୟମନ୍ଦିର ହେଉଛି ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ଏହାକୁ ଅର୍କକ୍ଷେତ୍ର ବୋଲି କୁହାଯାଏ । ଏହା ସୂର୍ଯ୍ୟଙ୍କର ପୂଜାସ୍ଥଳୀ । “ଅର୍କ’ ନାମରେ ଗୋଟିଏ ଦୈତ୍ୟ ଥିଲା । ସେ ଅର୍କ ଦୈତ୍ୟକୁ ସୂର୍ଯ୍ୟ ଏହି ସ୍ଥାନରେ ବଧ କରି ଥିଲେ । ଏହି ଦୃଷ୍ଟିରୁ ଏହାକୁ ଅର୍କକ୍ଷେତ୍ର ବୋଲି ମଧ୍ୟ ଲୋକେ କୁହନ୍ତି । ଏହି କ୍ଷେତ୍ରଟି ଏକ ପବିତ୍ର କ୍ଷେତ୍ର । କ୍ଷେତ୍ରର ଉତ୍ତରରେ ମହୋଦଧି ବା ସମୁଦ୍ର । ଦକ୍ଷିଣରେ ଓଡ଼ିଶା ବିଖ୍ୟାତ ଚନ୍ଦ୍ରଭାଗା ନଦୀ । ଏମାନଙ୍କର ମଧ୍ୟବର୍ତ୍ତୀ ସ୍ଥାନହିଁ କୋଣାର୍କ । ଏହା ଜମ୍ବୁଦ୍ୱୀପର ଅଗ୍ନିକୋଣରେ ଅବସ୍ଥିତ । ଏଠାରେ ଗଙ୍ଗା କୋଟିତୀର୍ଥ ଧରି ପ୍ରବାହିତ ହୁଅନ୍ତି ଏଠାରେ ସ୍ନାନକରି ଯିଏ ସୂର୍ଯ୍ୟଙ୍କ ଦର୍ଶନ କରନ୍ତି, ସେମାନଙ୍କ ର କୋଟିପାପ ନାଶହୁଏ ଓ ମନସ୍କାମନା ପୂର୍ଣ୍ଣ ହୁଏ । କୋଣାର୍କ ସୂର୍ଯ୍ୟ ଉପାସନାର ପୌରାଣିକ ମତେ ଏକ ଶ୍ରେଷ୍ଠସ୍ଥାନ । ଓଡ଼ିଆମାନଙ୍କର ଧର୍ମ-ଧାରଣା ଓ ବିଶ୍ୱାସର ପରମ୍ପରାକୁ ନେଇ ବୋଧହୁଏ ତ୍ରୟୋ ଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ ଏଠା ରେ ସୂର୍ଯ୍ୟମନ୍ଦିର ସ୍ଥାପନ କରିବାର ଏକ ମୁଖ୍ୟ କାରଣ ହୋଇପାରେ ।

ଅନ୍ୟଏକ କିମ୍ବଦନ୍ତୀ ଅନୁସାରେ ଏକଦା ଚନ୍ଦ୍ରଙ୍କ ସହିତ ସମକକ୍ଷ ହୋଇପାରି ନଥିବାରୁ ଜଳପତି ଙ୍କର ମନକଷ୍ଟ ଥିଲା । ସେ ଏହି ସ୍ଥାନରେ ଥିବା ଏକ କଳ୍ପବଟ ମୂଳେ ନଅଲକ୍ଷ ବର୍ଷ ସୂର୍ଯ୍ୟଙ୍କୁ ନଦେଖି ତପସ୍ୟା କଲେ । ଏକଦା ଅର୍କଦୈତ୍ୟ ବୁଲୁବୁଲୁ ସେ ସ୍ଥାନରେ ପହଞ୍ଚିଲା ଏବଂ ଜଳପତି ଙ୍କୁ ଖାଇବାକୁ ଉଦ୍ୟତ ହେଲା । ସୂର୍ଯ୍ୟ ଏହାକୁ ଦେଖି ତାକୁ ବାରଣ କଲେ । କିନ୍ତୁ ସେ ଶୁଣିଲା ନାହିଁ । ପ୍ରଥମେ ଏ ଜାଗାଟିର ଦାବୀଦାର ନେଇ ଯୁଦ୍ଧ ଆରମ୍ଭ ହେଲା । ତା’ପରେ ଅର୍କଦୈତ୍ୟର ଜଳପତିଙ୍କୁ ନେଇ ଖାଦ୍ୟ । ଏନେଇ ଘମାଘୋଟ ଯୁଦ୍ଧ ହେଲା । ଦୈତ୍ୟ ସହଜେ ମଲା ନାହିଁ । ଶେଷରେ ସେହି ଚନ୍ଦ୍ରଭାଗାର କଳ୍ପବଟ ସ୍ଥାନରେ ସୂର୍ଯ୍ୟଦେବତା ଅର୍କଦୈତ୍ୟର ଛାତିରେ ମାଡ଼ିବସି ପ୍ରାଣ ନେଲେ । ଏ ସ୍ଥାନଟି ଅଗ୍ନିକୋଣରେ ଅବସ୍ଥିତ । ଏଥିପାଇଁ ଅଗ୍ନିକୋଣର ସୂର୍ଯ୍ୟଦେବତା ଅର୍କଦୈତ୍ୟକୁ ମାରିଥିବାରୁ ଏହାର ନାମ କୋଣାର୍କରେ ନାମିତ ହୋଇଅଛି ।

ମହାଭାରତର ଶାନ୍ତି ପର୍ବରେ ଲେଖାଅଛି : ପୃଥ୍ୱୀ ଅଗ୍ନିକୋଣେ ଯହୁଁ ଦୈତ୍ୟ ହେଲା ହତ ତେଣୁ ସେ କୋଣାର୍କ ନାମେ ହୋଇଛି ବିଖ୍ୟାତ । ପୌରାଣିକ କଥାବସ୍ତୁ ଆଧାରରେ ଏକଦା ଭଗବାନ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ ଶାପଗସ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ।ପରବର୍ତ୍ତୀ ସମୟରେ ଋଷି ମୁନୀଙ୍କ ପରାମର୍ଶ କ୍ରମେ ପବିତ୍ର ଚନ୍ଦ୍ରଭାଗା କୂଳରେ ଭଗବାନ ଶ୍ରୀ ସୂର୍ଯ୍ୟ ଦେବଙ୍କ ଆରାଧନା କରି ଶାପମୁକ୍ତ ହୋଇଥିଲେ। ପରମ୍ପରା ଅନୁଯାୟୀ ନିକଟସ୍ଥ ଗ୍ରାମର ତିନି ମହାଦେବ ଚନ୍ଦ୍ରଭାଗା ରେ ସ୍ନାନ କରି ସରିବା ପରେ ଶ୍ରଦ୍ଧଳୁ ମାନେ ବୁଡ଼ କାର୍ଯ୍ୟ ସମ୍ପାଦିତ କରିଥାନ୍ତି।

ଆଜିର ଏ ପବିତ୍ର ତିଥିରେ ପାବନ ଶ୍ରୀ ଚନ୍ଦ୍ରଭାଗା ରେ ସ୍ନାନ କରି ଦାନପୁଣ୍ୟ କଲେ ଅନେକ ଦୁରାରୋଗ୍ୟ ରୁ ମୁକ୍ତି ମିଳିବା ସହିତ ଜୀବନ ସୁଖମୟ ହୋଇଥାଏ।

Comments are closed.