ଗୁପ୍ତେଶ୍ୱର ଶୈବପୀଠ ପରିଦର୍ଶନ କରି ଉନ୍ନତିକରଣ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ୫-ଟି ସଚିବ

ବୈପାରିଗୁଡ଼ା -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ୱର’ ପରିଦର୍ଶନ କରି ଏହାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଦିନିକିଆ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଗସ୍ତରେ ୫-ଟି ସଚିବ ଗୁପ୍ତେଶ୍ବରଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଛନ୍ତି। ସେ ଦିନ ସାଢେ ଗୋଟାଏ ସମୟରେ ହେଲିକପ୍ଟରରେ ରାମଗିରିରେ ଅବତରଣ କରି ସେଠାରୁ କାର୍ ଯୋଗେ ଗୁପ୍ତେଶ୍ୱର ଯାଇଥିଲେ। ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ସାରି ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ୫-ଟି ସଚିବ ।

ରାସ୍ତା ଏବଂ ଗୃହ ବିଭାଗ ତରଫରୁ ପ୍ରସ୍ତୁତ ନକ୍ସାର ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିବା ସହ ଯଥାଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ୫-ଟି ସଚିବ । ଏହି ଅବସରରେ ବୈପାରିଗୁଡା ଜୋନ୍ -୧ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରିଆ ଏବଂ ଗୁପ୍ତେଶ୍ୱର ପଞ୍ଚାୟତ ସମିତି ସଭ୍ୟ ବିଭୀଷଣ ହନ୍ତାଳ ୫-ଟି ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ୫-ଟି ସଚିବଙ୍କ ସହ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅଖତରଙ୍କ ସମେତ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ରାସ୍ତା ଏବଂ ଗୃହ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ତଥା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.