ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା, ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ

ବରଗଡ଼: ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସ୍ଥାନୀୟ କୃଷକ ବଜାର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା- ୨୦୨୩ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଇପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର , ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ , ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ ।

ରାଜ୍ୟ ସରକାରଙ୍କ ଦ୍ବାରା କୃଷି ଓ କୃଷକମାନଙ୍କ ନିମିତ୍ତ ପ୍ରଚଳିତ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ରିହାତି ଦରରେ ମିଳୁଥିବା ବିଭିନ୍ନ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଓ ବିକ୍ରୟ ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଆଗାମୀ ୬ ଦିନ ଧରି ଚାଲିଥିବା ଏହି ମେଳାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକମାନେ ଭାଗ ନେଇ ତାଙ୍କର ଆର୍ଥିକ ଭାବରେ ଲାଭାନ୍ବିତ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ଆଚାର୍ଯ୍ୟ ସମନ୍ବିତ ଚାଷ ଓ ଚାଷର ବିବିଧିକରଣ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଜଳର ସଦ- ଉପଯୋଗ ଦ୍ବାରା କୃଷକମାନେ କିପରି କମ ଜଳରେ ଅଧିକ ଉତ୍ପାଦନ କରି ଲାଭାନ୍ବିତ ହୋଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ । ବିଧାୟିକା ଶ୍ରୀମତୀ ଛୁରିଆ ମିଲେଟ ମିଶନ ଓ ଛୋଟ ଅର୍ଥକାରୀ ଫସଲ ଚାଷ କରି ଆର୍ଥିକ ମାନଦଣ୍ଡକୁ ବଢାଇବା ପାଇଁ ଚାଷିମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ , ଶ୍ରୀଯୁକ୍ତ ମିର୍ଦ୍ଧା ଟପ୍ପା ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍ସବରେ କୃଷକମାନଙ୍କ ସହିତ ଜିଲ୍ଲାର ଜନ ପ୍ରତିନିଧି , ବିଭାଗୀୟ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ ।

Comments are closed.