ଝାରସୁଗୁଡ଼ାରେ ଜଷ୍ଟିସ ଜେପି ଦାସ ଓ ଡିଜିପିଙ୍କ ନବ ହତ୍ୟାକାଣ୍ଡର ତଦନ୍ତ ସମୀକ୍ଷା

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଅଗ୍ରଗତିର ସମୀକ୍ଷା ପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ତଦନ୍ତ ମନିଟରିଂ ଦାୟିତ୍ବରେ ଥିବା ଜଷ୍ଟିସ ଜେପି ଦାସ ଓ ପୁଲିସ ଡିଜିପି ସୁନୀଳ ବଂଶଲ। ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା ଏବଂ ଏଡିଜି ଆର୍ କେ ଶର୍ମା ମଧ୍ଯ ବିମାନ ଯୋଗେ ଆସି ପହଞ୍ଚିଛନ୍ତି।ଗତକାଲି ସନ୍ଧ୍ୟାରେ ଏହି ଟିମ୍ ପହଞ୍ଚିବା ପରେ ଆଜିଠାରୁ ଘଟଣାର ତଦନ୍ତ ଅଗ୍ରଗତିର ସମୀକ୍ଷା ଆରମ୍ଭ କରିଛନ୍ତି।

ଜଷ୍ଟିସ ଦାସ ତଦନ୍ତ ପରେ କ’ଣ ସବୁ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି ସେସବୁ ସଂପର୍କରେ ଟିଖିନିଖି ତଥ୍ୟ ପଚାରି ବୁଝିବା ସହ ଘଟଣାସ୍ଥଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ବେଙ୍ଗାଲୁରୁରୁ ଆସିଥିବା ନିମହାନ୍ସ ଟିମ ମଧ୍ୟ ତଦନ୍ତରେ ସହାୟତା କରିଛି। ଅଭିଯୁକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଛି। ଗୁଜୁରାତ ଗାନ୍ଧୀନଗରରୁ ଆସିଥିବା ଫରେନସିକ ଟିମ ସଦସ୍ୟ ସିନ୍ ରିକ୍ରିଏସନ୍ ପରେ ଗଣମାଧ୍ୟମକୁ କହିଥିଲେ ଯେ, ସେମାନଙ୍କୁ ସିନ ରିକ୍ରିଏସନ ସମୟର ଦୃଶ୍ୟକୁ ନେଇ ଅଭିଯୁକ୍ତର ସଂପୃକ୍ତି ତଥା ଘଟଣାର ଏନାଲିସିସ କରିବାକୁ ଯେଉଁ ଦାୟିତ୍ବ ଦିଆଯାଇଛି ତାହା ସମୟସାପେକ୍ଷ। ଏନେଇ ଏନାଲିସିସ ଶେଷ ହେବା ପରେ ସେମାନେ ରିପୋର୍ଟ ଦାଖଲ କରିବେ ବୋଲି ଡିଏଫଏସ୍ ଗାନ୍ଧୀନଗର, ଗୁଜୁରାଟର ଉପନିର୍ଦ୍ଦେଶକ ତଥା ଫରେନସିକ୍ ବିଶେଷଜ୍ଞ ବି.ବି ପଟେଲ ପ୍ରକାଶ କରିଛନ୍ତି।

Comments are closed.