ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭରଙ୍କୁ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ଅପିଲ

ଭୁବନେଶ୍ୱର – ତିନିମାସ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଡ୍ରାଇଭର ଏକତା ମଞ୍ଚ ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରତ୍ୟାହାର କରିନାହିଁ। ଏଣେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡ୍ରାଇଭର ଏକତା ମଞ୍ଚକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ। ଡିଜିପି ସୁନୀଲ ବଂଶଲଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଆନ୍ଦୋଳନରେ ଏବେ ଅଣଡ୍ରାଇଭର ପଶି ହିଂସା ପ୍ରଦର୍ଶନ କରୁଛନ୍ତି । ଏଥିପ୍ରତି ଡ୍ରାଇଭର ମହାସଂଘ ଦୃଷ୍ଟି ଦେବା ଦରକାର । ଦେଶର ୩ଟି ରାଜ୍ୟ ଡ୍ରାଇଭରଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଦାବି ପୂରଣର ପ୍ରତିଶ୍ରୁତି ଦେଇଛନ୍ତି । ଡ୍ରାଇଭରମାନେ ଧର୍ମଘଟରୁ ଓହରି ଯାଆନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଡ୍ରାଇଭରଙ୍କୁ ପୋଲିସ ଡିଜି ମଧ୍ୟ ସମାନ ଅପିଲ କରିଛନ୍ତି । ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ, ଆନ୍ଦୋଳନ ବେଳେ କିଛି ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । କିଛି ଅସାମାଜିକ ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ଓ ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଛି । ହରତାଳ ନାଁ ରାଜରାସ୍ତା ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଇନ ହାତକୁ ନେଲେ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନ ଠିକ୍‌ ନୁହେଁ ବୋଲି ଡିଜିପି କହିଛନ୍ତି।

Comments are closed.