ଝାରସୁଗୁଡା ଫଳାଫଳ, ୨୪ ସମର ପୂର୍ବରୁ ପଶ୍ଚିମ ଓଡିଶା ବିଜେପିକୁ ଶକ୍ତ ଧକ୍କା 

ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନ ଫଳାଫଳକୁ ସବୁ ରାଜନୈତିକ ତଥ୍ୟାଭିଜ୍ଞ ମହଲ ତୀଲ ନଜର ରଖି ଆସିଥିଲେ। ପଦ୍ମପୁର ପରେ ଏହି ଉପ ନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ଥିଲା। ଏହାର କାରଣ ହେଲା ଯେ, ଆସନ୍ତା ୨୦୨୪ ପୂର୍ବରୁ ସମ୍ଭବତଃ ଏହା ଶେଷ ଉପ ନିର୍ବାଚନ ଥିବାରୁ ସବୁ ଦଳ ଏହାକୁ ଏକପ୍ରକାର ସେମିଫାଇନାଲ ଭାବେ ବିବେଚନା କରିଥିଲେ। ଏପରିକି ଏହି ଫଳାଫଳ କେବଳ ଝାରସୁଗୁଡା ନୁହେଁ, ବରଂ ସମଗ୍ର ପଶ୍ଚିମ ଓଡିଶାର ରାଜନୀତିକୁ ଅନେକ ମାତ୍ରାରେ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ସବୁ ଦଳ ବି ବିଶେଷ ଗୁରୁତ୍ବ ଦେଇଥିଲେ। ଏଭଳି ସ୍ଥିତିରେ ଆଜିର ଫଳାଫଳରେ ବିଜେଡିର ଏକପାଖିଆ ବିଜୟ ଉଭୟ ବିରୋଧୀ ଶିବିରକୁ ଶକ୍ତ ଧକ୍କା ଦେଇଛି। ଖାଲି ସେତିକି ନୁହେଁ, କେବଳ ପଶ୍ଚିମ ଓଡିଶାରେ ହିଁ ବିଜେପିର ସ୍ଥିତି ଭଲ ରହି ଆସିବା ସତ୍ତ୍ବେ ଏଠାରେ ଗୋଟିଏ ପରେ ଗୋଟିଏ ବାଜିରେ ଦଳର ଶୋଚନୀୟ ପରାଜୟ ସବୁ କର୍ମୀଙ୍କ ମଧ୍ୟରେ ଏକପ୍ରକାର ହତାଶାର ଛାଇ ଖେଳି ଯାଇଛି। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଝାରସୁଗୁଡାର ପରାଜୟ ପରେ ପୁଣି ଥରେ ବିଜେପିର ଅନ୍ତର୍ଦ୍ବନ୍ଦ୍ବ ବଢିଥିବା ଚର୍ଚ୍ଚ। ଆରମ୍ଭ ହେଲାଣି।

ବିଜେଡିର ଅଢେଇ ଦଶନ୍ଧିର ଶାସନରେ କେବଳ ଧାମନଗରକୁ ବାଦ୍ ଦେଲେ କୌଣସି ଉପ ନିର୍ବାଚନ ଦଳ ପରାଜୟର ସ୍ବାଦ ଚାଖିନାହିଁ। ତାହା ବିଜେପୁର, ବ୍ରଜରାଜନଗର, ବାଲେଶ୍ବର, ପିପିଲି, ପାଟକୁରା, ପଦ୍ମପୁରରୁ ସ୍ପଷ୍ଟ ହୋଇସାରିଛି। ଆଉ ଆଜି ପ୍ରକାଶିତ ଝାରସୁଗୁଡା ଉପ ନିର୍ବାଚନର ଫଳାଫଳ ବିଜେଡିର ସଫଳତାର ଯାତ୍ରାରେ ଆଉ ଏକ ଅପ୍ରତିଦ୍ବନ୍ଦ୍ବୀ ଟ୍ୟାଗ୍ ଯୋଡିଛି। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଗତ ୨୦୧୯ ନିର୍ବାଚନ ଠାରୁ ବି ବିଜେଡି ଏଠାରେ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ତେବେ, ଏହି ଫଳାଫଳ ବିଶେଷ କରି ବିଜେପି ଶିବିରରେ ଏକପ୍ରକାର ନିରବତାର ଛାଇ ଖେଳାଇ ଦେଇଛି।

ଏହାର ପ୍ରମୁଖ କାରଣ ମଧ୍ୟରେ ନୂଆ କରି ରାଜ୍ୟ ସଭାପତି ଦାୟିତ୍ବ ଗ୍ରହଣ କରିବା ପରେ ମନମୋହନ ସାମଲଙ୍କ ପାଇଁ ଏହା ପ୍ରଥମ ଉପନିର୍ବାଚନ ଥିଲା। ଦ୍ବିତୀୟରେ ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନଙ୍କ ଏକାନ୍ତ ଅନୁଗତ ଭାବେ ଟିକଟ ହାତେଇଥିବା ବେଳେ ଶ୍ରୀ ପ୍ରଧାନ ନିଜେ ପ୍ରଚାରରେ ସାମିଲ ହୋଇଥିଲେ। ତାଙ୍କ ସହିତ ଓଡିଶାର ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପିର ସବୁ ଛାମୁଆ ବି ପ୍ରଚାରକୁ ସରଗରମ କରିଥିଲେ। ସେମିତିରେ ଦଳ ବି ପୁଳା ପୁଳା ଟଙ୍କା ସାରିଥିଲା। ପ୍ରଚାର ସମୟରେ ବିଜେପି କର୍ମୀ ଟଙ୍କା ବାଣ୍ଟିବା ବେଳେ ଧରା ପଡିବା ଘଟଣାରୁ ଏହା ସ୍ପଷ୍ଟ ହୋଇଥିଲା। ଏତିକି ଉଦ୍ୟମ ସତ୍ତ୍ବେ ୪୮ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଦଳର ପରାଜୟ ଏବେ ସାରା ପଶ୍ଚିମ ଓଡିଶାର ବିଜେପି ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ନିରାଶାର ଛାଇ ଖେଳି ଯାଇଛି।

ବିଶେଷ କରି ପଶ୍ଚିମ ଓଡିଶାରେ ଗତ ୨୦୧୯ରେ ସମସ୍ତ ୫ଟି ଲୋକସଭା ଆସନକୁ ବିଜେପି ହାତେଇବା ସହିତ ୭ଟି ବିଧାନସଭା ଆସନ ବି ହାତେଇଥିଲା। ହେଲେ କୌଣସି ସ୍ଥାନରେ ଆଖିଦୃଶିଆ ବିକାଶ ହୋଇନଥିବାରୁ ଲୋକେ ବିଜେପି ପ୍ରତି ବିମୁଖ ହୋଇଥିବା ନେଇ ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ସାରା ପଶ୍ଚିମ ଓଡିଶାରେ ବିଜେପି ପଂଚାୟତ ଭୋଟରେ ଧୂଳି ଚାଟିଥିଲା। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏଠାରୁ ପ୍ରତିନିଧିତ୍ବ କରୁଥିବା ୫ ଜଣ ବିଜେପି ସାଂସଦ ଆଜି ସୁଦ୍ଧା ଏହି ଅଞ୍ଚଳ ପାଇଁ କେନ୍ଦ୍ର ସରକାର ଠାରୁ କୌଣସି ଆଖିଦୃଶିଆ ବିକାଶ ପ୍ରକଳ୍ପ ଆଣିବାରେ ସକ୍ଷମ ନ ହେବା ଅସନ୍ତୋଷର କାରଣ ପାଲଟିଛି। ଏପରିକି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ବର୍ଷ।ଧିକ ସମୟ ଧରି ନିଜ ନିର୍ବାଚନ ମଣ୍ଡଳୀରୁ ଗାଏବ ରହିବା ଘଟଣା ବି ସମସ୍ତଙ୍କୁ ବ୍ୟଥିତ କରୁଛି।

ଏହି ପରିପ୍ରେକ୍ଷୀରେ ଗତ ପଞ୍ଚାୟତ ଭୋଟ ପରେ ପଶ୍ଚିମ ଓଡିଶାରେ ଅନୁଷ୍ଠିତ ସବୁ ଉପ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଦଳର କର୍ମୀ ମହଲରେ ଘୋର ହତାଶା ଖେଳାଇବା ସ୍ବାଭାବିକ ବୋଲି ଚର୍ଚ୍ଚ। ହେଉଛି। ଆଉ ଆଜିର ଝାରସୁଗୁଡା ଫଳାଫଳ ୨୦୨୪ ଉପ ନିର୍ବାଚନ ପୂର୍ବରୁ ବିଜେପିକୁ ବଳ ଗୋଟାଇବା ପୂର୍ବରୁ ଶକ୍ତ ଧକ୍କା ଲାଗିଥିବା କୁହାଯାଉଛି।

Comments are closed.