ବୁଢ଼ି ଠାକୁରାଣୀ ମନ୍ଦିର ରୂପାନ୍ତରଣ: ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ବଜେଟ୍‌

ବ୍ରହ୍ମପୁର: ରେଶମ ସହରର ଆରାଧ୍ୟା ମା’ ବୁଢ଼ି ଠାକୁରାଣୀଙ୍କ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ବିସ୍ତୃତ ପ୍ରକଳ ରିପୋର୍ଟ (ଡିପିଆର୍‌) ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ପୀଠର ନବକଳେବର ସକାଶେ ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଛି। କାର୍ଯ୍ୟ ଆରମ୍ଭର ୬ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ସମ୍ପୂର୍ଣ୍ଣ ହେବ। ନବକଳେବର ପ୍ରକ୍ରିୟାକୁ ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ଉନ୍ନୟନ ଭଳି ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ଠାକୁରାଣୀଙ୍କ ପୀଠର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ ହେବ। ଗର୍ଭଗୃହ ଓ ମନ୍ଦିର ଚୁଡ଼ା ରି- ମଡେଲିଂ କରାଯିବ। ମନ୍ଦିରର ଭିତର ଓ ବାହାର ପରିସର ଭଳିକି ଭଳି ସୁନ୍ଦର କଳା ଓ କାରୁକାର୍ଯ୍ୟରେ ଝଲସି ଉଠିବ। ପାରମ୍ପରିକ ନୀତିରେ ସୌନ୍ଦର୍ଯ୍ୟକରଣ ସହ ଦୀପ ଗୃହ, ମନ୍ଦିର ପରିସରରେ ଭକ୍ତଙ୍କ ପରିକ୍ରମା ପାଇଁ ଆବଶ୍ୟକ ସୁବିଧା କରାଯିବ।

ଦ୍ବିତୀୟ ପର୍ଯ୍ୟାୟରେ ପୀଠ ନିକଟସ୍ଫ ଅଞ୍ଚଳ ଓ ଚତୁଃପାର୍ଶ୍ଵକୁ ବିକଶିତ କରାଯିବ। ମନ୍ଦିର ନିକଟସ୍ଥ ପଡ଼ିଆ ଯାହା ଏବେ ପ୍ରାୟତଃ ଅବ୍ୟବହୃତ ଅବସ୍ଥାରେ ରହିଛି ସେଠାରେ ନିର୍ମିତ ହେବ ପୂଜା ମଣ୍ଡପ, ବହୁମୁଖୀ କଲ୍ୟାଣ ମଣ୍ଡପ ତଥା ସଭା ଗୃହ। ଏହାର ସମ୍ମୁଖରେ ନୂଆ ପ୍ରବେଶ ପଥ, ପୂଜା ସାମଗ୍ରୀ ଦୋକାନ ରହିବ। ସେହିପରି ମନ୍ଦିର ବାମ ପାର୍ଶ୍ଵରେ ପୂଜାରୀମାନଙ୍କ କୋଠରୀ ନିର୍ମାଣ ପ୍ରସ୍ତାବ ରହିଛି। ୧୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଅତିରିକ୍ତ ଅନୁଦାନ ମଞ୍ଜୁର ସହ ଦ୍ବିତୀୟ ପର୍ଯ୍ୟାୟ ପାରିପାର୍ଶ୍ବିକ ଉନ୍ନତୀକରଣ କରାଯିବ। ବର୍ତ୍ତମାନ ମନ୍ଦିର ସମ୍ମୁଖ ଓ ପାର୍ଶ୍ଵ ରାସ୍ତା କିଛିଟା ସଂକୀର୍ଣ୍ଣ ରହିଛି। ଅଧିକ ଗହଳି ହେଲେ ଯାତାୟାତ, ଯାନବାହନ ପାର୍କିଂରେ ସମସ୍ୟା ଉପୁଜୁଛି। ଏଣୁ ଏହାର ନିରାକରଣ ଦୃଷ୍ଟିରୁ ପୀଠ ରୂପାନ୍ତରଣ ବେଳେ ଭକ୍ତ, ପର୍ଯ୍ୟଟକଙ୍କ ଯାତାୟତ ଦୃଷ୍ଟିରୁ ପୀଠ ଚତୁଃପାର୍ଶ୍ଵରେ ଓସାରିଆ ସଡ଼କ ପଥ ନିର୍ମିତ ହେବ। ଏଥିସକାଶେ ବର୍ତ୍ତମାନ ସେଠାରେ ଥିବା ଦୋକାନୀମାନଙ୍କୁ ଆଗୁଆ ଥଇଥାନ କରାଯିବ। ସର୍ଭେ କରାଯାଇ ସମ୍ଭାବ୍ୟ ବିସ୍ଥାପିତ ପରିବାର ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ନିକଟସ୍ଥ ଜମିରେ କୋଠା ନିର୍ମାଣ କରି ଥଇଥାନ କରାଯିବ।

ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପ୍ରସ୍ତୁତ ଡିପିଆର୍‌ ଦାଖଲ ପରେ ତାହା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅନୁମୋଦନ ସହ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ସୂଚନା ଦେଇଛନ୍ତି ବିଡିଏ ଉପାଧ୍ଯକ୍ଷ ତଥା ବିଏମ୍‌ସି କମିଶନର ଜେ.ସୋନାଲ୍‌। ରାଜ୍ୟ ସରକାରଙ୍କ ଠାରୁ ଡିପିଆର୍‌ ଅନୁମୋଦନ ଓ ଆର୍ଥିକ ଅନୁଦାନ ମଞ୍ଜୁରୀ ପରେ ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ କରାଯାଇ ୬ ମାସ ମଧ୍ୟରେ ସ୍ୂର୍ଣଣ କରାଯିବ। ପ୍ରକାଶ ଥାଉକି ଏବେ ରାଜ୍ୟର ପ୍ରମୁଖ ମନ୍ଦିର, ଧାର୍ମିକ ପୀଠଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରୁ ଆରମ୍ଭ ହୋଇଥିବା ଆଧ୍ୟାତ୍ମିକ ରୂପାନ୍ତରଣ ଭୁବନେଶ୍ଵର ଶ୍ରୀଲିଙ୍ଗରାଜ, ସମ୍ବଲପୁର ମା’ ସମଲେଶ୍ଵରୀ, ପୁରୁଷୋତ୍ତମପୁର ମା’ ତାରାତାରିଣୀ, କଟକ ଚଣ୍ତି ସମେତ ବିଭିନ୍ନ ଜିଲ୍ଲାରେ ସେଠାକାର ପ୍ରମୁଖ ମନ୍ଦିର ବା ପୂଜା ସ୍ଥଳୀକୁ ବିକଶିତ କରାଯାଉଛି। ଗତ ଏପ୍ରିଲ୍‌ ମାସ ୩୦ ତାରିଖରେ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା ଦର୍ଶନ ସକାଶେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ବୁଢ଼ି ଠାକୁରାଣୀ ପୀଠର ରୂପାନ୍ତରୀକରଣ ଘୋଷଣା କରିଥଲେ।

Comments are closed.