ଗଦର-୨ରେ ଫଲି ରେକର୍ଡିଷ୍ଟ ଦାୟିତ୍ବ ତୁଲାଇଛନ୍ତି ଓଡ଼ିଆ ଯୁବକ ବରୁଣ

ଫୁଲବାଣୀ: ମାୟା ନଗରୀ ମୁମ୍ବାଇରେ ପ୍ରଶଂସା ସାଉଁଟିଛନ୍ତି ଆଉ ଜଣେ ଓଡ଼ିଆ ଯୁବକ। ବଲିଉଡରେ ପୁଣି କମାଲ୍ ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ବରୁଣ ବିଷୋୟୀ। ଗଦର-୨ ଚଳଚ୍ଚିତ୍ରରେ ଫଲି ରେକର୍ଡିଷ୍ଟ ଭାବେ ସୂଚାରୁରୂପେ ଦାୟିତ୍ବ ନିର୍ବାହ କରିଛନ୍ତି ସେ।

 

ଦାରିଙ୍ଗବାଡ଼ି ତିନି ଛକର ବରୁଣ ପୂର୍ବରୁ ଓଲିଉଡର ଚର୍ଚ୍ଚିତ ସିନେମା ଦମନରେ ମଧ୍ୟ ନିଜ ବୈଷୟିକ ପ୍ରତିଭାର ନିଦର୍ଶନ ଦେଖାଇଥିଲେ। ଏଥିସହ ଗୁଜୁରାଟୀ, ମରାଠୀ, ତେଲୁଗୁ ଭାଷାରେ ଫଲି ରେକର୍ଡିଷ୍ଟ ଭାବେ ତାଙ୍କର ଖ୍ୟାତି ରହିଛି। ୨୦୦୭ରୁ ଫଲି ରେକର୍ଡିଷ୍ଟ ଭାବେ କାର୍ଯ୍ୟ କରି ଆସୁଥିବା ବରୁଣ ନିଜ ପ୍ରତିଭା ବଳରେ ଏବେ ସଫଳତାର ଆଉ ଏକ ସୋପାନ ଚଢିଛନ୍ତି। ଫଲି ରେକର୍ଡିଷ୍ଟଙ୍କ କାମ ହେଉଛି ନାୟକ ଠାରୁ ଆରମ୍ଭ କରି ସିନେମାରେ ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ଚାଲିଚଳଣୀ ଅନୁରୂପ ଶବ୍ଦର ପ୍ରୟୋଗ କରି ଚଳଚ୍ଚିତ୍ରରେ ତାହାକୁ ଜୀବନ୍ତ କରି ଫୁଟାଇବା। ଶବ୍ଦକୁ ଅବିକଳ କରିବା ଯଥା ଚାଲିବା, ଦୌଡ଼ିବା, ଖାସିବା, କବାଟ ଝରକା ବନ୍ଦ କରିବା କିମ୍ବା ଖୋଲିବା, କାଚ ଭାଙ୍ଗିବା ଭଳି ସମସ୍ତ ପ୍ରକାର ଶବ୍ଦକୁ ଏମାନେ ରେକର୍ଡ କରି ସିନେମାରେ ଅବିକଳ ପ୍ରୟୋଗ କରି ତାହାକୁ ଦର୍ଶକଙ୍କ ସକାଶେ ବାସ୍ତବ ରୂପାୟନ କରିବା। ଫଲି ରେକର୍ଡିଷ୍ଟ ପରଦା ପଛରେ ରହି ଦୃଶ୍ୟକୁ ଶବ୍ଦ ସହ ଯୋଡ଼ି ଜୀବନ୍ତ ରୂପ ଦେଇଥାନ୍ତି।

ଦାରିଙ୍ଗବାଡିର ଶ୍ରୀବତ୍ସ ବିଶୋୟୀଙ୍କ ତୃତୀୟ ପୁତ୍ର ବରୁଣ। ୧୯୯୬ରେ ଅଷ୍ଟମ ଶ୍ରେଣୀର ଛାତ୍ର ଥିବା ସମୟରେ ପିତାଙ୍କର ମୃତ୍ୟୁ ପରେ ଟେଲରିଂ କାମ କରି ପରିବାର ପୋଷୁଥିଲେ। ହେଲେ ମାୟା ନଗରୀର ଆକର୍ଷଣ ତାଙ୍କୁ ଦାରିଙ୍ଗବାଡି ଛାଡ଼ିବାକୁ ବାଧ୍ୟ କରିଥିଲା। ବଲିଉଡରେ କେମିତି ସୁଯୋଗ ମିଳିବ ସେ ରାସ୍ତା ବି ଖୋଜୁଥିଲେ ସେ। ୨୦୦୧ ଡ଼ିସେମ୍ବର ୩୧ରେ ଆରମ୍ଭ ହୋଇଥିଲା ତାଙ୍କର ନୂଆ ଜୀବନ ଯାତ୍ରା। ଷ୍ଟେସନରୁ ଓହ୍ଲାଇ ଅଟୋରେ ଯାଇ ଅନ୍ଧେରୀରେ ଥିବା ନଟରାଜ ଷ୍ଟୁଡିଓରେ ପହଞ୍ଚିଥିଲେ। ହେଲେ ତୁରନ୍ତ ସୁଯୋଗ ତାଙ୍କୁ ମିଳି ନଥିଲା।ଷ୍ଟୁଡିଓର କ୍ୟାଣ୍ଟିନରେ ସପ୍ଲାଏ ବୟ ଭାବେ କାମ କରିବା ସହ ଷ୍ଟୁଡିଓକୁ ଖାଦ୍ୟ ନେବା ଆଣିବା କରୁଥିଲେ। ପରବର୍ତ୍ତୀ ସମୟରେ ନିକଟସ୍ଥ ଆରାଧନା ଷ୍ଟୁଡିଓରେ ଅଫିସ ବୟ ଭାବେ ୨୦୦୫ରେ ଯୋଗ ଦେବା ସହ‌ ନିଜ ଆଗ୍ରହରେ ପରେ ଫଲି ରେକର୍ଡିଷ୍ଟ ଓ ଅନ୍ୟାନ୍ୟ ଟେକ୍ନିକାଲ୍ କୌଶଳ ଶିଖି ଥିଲେ। ୨୦୦୭ରେ ସେ ଫଲି ରେକର୍ଡିଷ୍ଟ ଭାବେ କାମ କରିବାକୁ ସୁଯୋଗ ପାଇଥିଲେ। ସେବେଠାରୁ ଆଜି ମଧ୍ୟରେ ସେ ନିଜ ନିଷ୍ଠା, ପରିଶ୍ରମ ବଳରେ ଜଣେ ସଫଳ ଫଲି ରେକର୍ଡିଷ୍ଟ ଭାବେ ସ୍ଵୀକୃତି ହାସଲ କରିପାରିଛନ୍ତି।

Comments are closed.