ଫିଫା-ଏଆଇଏଫଏଫ ଟ୍ୟାଲେଣ୍ଟ ଏକାଡେମୀ: ଓଡ଼ିଶାରେ କ୍ରୀଡା ରୂପାନ୍ତରଣର ଆଉ ଏକ ସଫଳ ଅଧ୍ୟାୟ

ଭୁବନେଶ୍ୱର – ଦେଶର କ୍ରୀଡା ରାଜଧାନୀ ଭାବେ ମୁଣ୍ଡ ଟେକିଛି ଭୁବନେଶ୍ୱର । ଆଉ ଓଡ଼ିଶାର ଗର୍ବ ଓ ଗୌରବ ପାଲଟିଛି ଐତିହାସିକ କଳିଙ୍ଗ ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧିନରେ କ୍ରୀଡା କ୍ଷେତ୍ରର ବି ରୂପାନ୍ତରୀକରଣ ହୋଇଛି। ତୃଣମୂଳ ସ୍ତରରେ ପ୍ରତିଭା ଅନ୍ୱେଷଣ ସହ କ୍ରୀଡାର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଖେଳ ପଡିଆ ନିର୍ମାଣ ସହ କ୍ରୀଡାବିତମାନଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣରେ ଅନୁକରଣୀୟ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସବୁ ପ୍ରମୁଖ କ୍ରୀଡାର ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ପଦକ ଜିତି ରାଜ୍ୟର ଗୌରବ ବୃଦ୍ଧି କରୁଥିବା କ୍ରୀଡାବିତଙ୍କୁ ଅର୍ଥ ପୁରସ୍କାର ଦିଆଯାଉଛି । ପ୍ରୋତ୍ସାହିତ କରାଯାଉଛି । ବଡ଼ ବଡ଼ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାକୁ କ୍ରୀଡାବିତମାନଙ୍କୁ ଆଗୁଆ ସହାୟତା ବି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଏହାର ସୁଫଳ ବି ମିଳିବାରେ ଲାଗିଛି ।

ଓଡ଼ିଶାରେ କ୍ରୀଡା କ୍ଷେତ୍ରରେ ରୂପାନ୍ତରଣ ପଛରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଅବଦାନ ଏଡାଇ ହେବ ନାହିଁ। ନିଜେ ଜଣେ କ୍ରୀଡାପ୍ରେମୀ ଭାବେ ଭି.କେ ପାଣ୍ଡିଆନ ପରିଚିତ । ସର୍ଟ ନୋଟିସରେ ୨୦୧୭ର ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ ହେଉ ବା ହକି ବିଶ୍ୱକପ୍ ପାଇଁ ଧାର୍ଯ୍ୟ ସମୟ ମଧ୍ୟରେ ରାଉରକେଲାରେ ବିଶ୍ୱର ବୃହତ ହକି ଷ୍ଟାଡିୟମ ନିର୍ମାଣ ହେଉ, ସବୁଥିରେ ରହିଛି ୫-ଟି ଅଧ୍ୟକ୍ଷଙ୍କ ନିଷ୍ଠା ଓ ବ୍ୟକ୍ତିଗତ ଆଗ୍ରହ । କଳିଙ୍ଗ ଷ୍ଟାଡିୟମର ରୂପାନ୍ତରୀକରଣ ଓ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯଦି ଆଜି ସାରା ବିଶ୍ୱରେ ପ୍ରଶଂସିତ ହେଉଛି, ଏହା ପଛରେ ଭି.କେ ପାଣ୍ଡିଆନଙ୍କ ଉଦ୍ୟମକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଓଡିଶାରେ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବାରେ ଲାଗିଛନ୍ତି ଭି.କେ ପାଣ୍ଡିଆନ ।

ଏବେ ଦେଶର ସ୍ପୋର୍ଟସ କ୍ୟାପିଟାଲରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ଭୁବନେଶ୍ୱରରେ ଆରମ୍ଭ କରାଯାଇଛି ଦେଶର ପ୍ରଥମ ଫିଫା – ଏଆଇଏଫଫ ଫୁଟବଲ ଟ୍ୟାଲେଣ୍ଟ ଏକାଡେମୀ। କିଛି ଦିନ ତଳେ କଳିଙ୍ଗ ଷ୍ଟାଡିୟମରେ ଏହି ଏକାଡେମୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମବଙ୍ଗ, କେରଳ ଓ ଗୋଆ ଭଳି ଅଧିକ ଫୁଟବଲ କ୍ରେଜ୍ ଥିବା ରାଜ୍ୟକୁ ବାଦ୍ ଦେଇ ଫିଫା- ଏଆଇଏଫଏଫ ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ନିଶ୍ଚିତ। ଏହାର ମୁଖ୍ୟ କାରଣ ହେଲା ଫୁଟବଲ ପାଇଁ ଭୁବନେଶ୍ୱରରେ ଉପଲବ୍ଧ ଥିବା ଆବଶ୍ୟକ ଭିତ୍ତିଭୂମି । ବହୁମୁଖୀ କଳିଙ୍ଗ ଷ୍ଟାଡିୟମର ଆଇଏସଏଲ ଓ ଆନ୍ତର୍ଜାତିକ ଫୁଟବଲ ମ୍ୟାଚ ଆୟୋଜନର ଅଭିଜ୍ଞତା ରହିଛି। ଏଥିସହ ଭୁବନେଶ୍ବରରେ ୬ଟି ଫିଫା ମାନ୍ୟତାପ୍ରାପ୍ତ ଫୁଟବଲ ଅଭ୍ୟାସ ପଡ଼ିଆ ରହିଛି। ତେଣୁ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ପାଇଁ ଭୁବନେଶ୍ବରରେ ଚୟନ କରାଯିବା ଅତି ଗୌରବର କଥା । ଫିଫା ଫୁଟବଲ ଡେଭଲପମେଣ୍ଟ ସ୍କିମର ମୁଖ୍ୟ ତଥା ପ୍ରସିଦ୍ଧ ଫୁଟବଲ କୋଚ୍ ଆର୍ସେନ ୱିଙ୍ଗରଙ୍କୁ ବି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ଏଠାରେ ଥିବା ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରଭାବିତ କରିଥିବ ନିଶ୍ଚୟ । ଏସବୁ ପଛରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ। ଗତ ୨୨ ତାରିଖରେ କଳିଙ୍ଗରେ ଫିଫା – ଏଆଇଏଫଏଫ ଟ୍ୟାଲେଣ୍ଟ ଏକାଡେମୀ ଉଦଘାଟନ ଅବସରରେ କିମ୍ବଦନ୍ତୀ କୋଚ୍ ତଥା ଫିଫା ଫୁଟବଲ ଡେଭଲପମେଣ୍ଟ ସ୍କିମ ମୁଖ୍ୟ ଆର୍ସେନ ୱିଙ୍ଗରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସେ ଆର୍ସେନ ୱିଙ୍ଗରଙ୍କୁ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣାଧୀନ ସ୍ପୋର୍ଟସ ସାଇନ୍ସ ସେଣ୍ଟର ଦେଖାଇଥିଲେ । କ୍ରୀଡାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନିଷ୍ଠା ଓ ଉଦ୍ୟମରେ ବେଶ୍ ପ୍ରଭାବିତ ହୋଇଥିଲେ ଆର୍ସେନ ୱିଙ୍ଗର । କିମ୍ବଦନ୍ତୀ ଆର୍ସେନ ୱିଙ୍ଗରଙ୍କୁ ସାକ୍ଷାତ କରିବା ଏକ ସମ୍ମାନର ବିଷୟ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି ୫-ଟି ଅଧ୍ୟକ୍ଷ । ଭୁବନେଶ୍ୱରରେ ଫିଫା ଭାଗିଦାରିରେ ଭାରତୀୟ ଫୁଟବଲ ମହାସଂଘର ଟ୍ୟାଲେଣ୍ଟ ଏକାଡେମୀ ପ୍ରତିଷ୍ଠା ରାଜ୍ୟର କ୍ରୀଡା ରୂପାନ୍ତରଣରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିପାଇଁ ୫-ଟି ଅଧ୍ୟକ୍ଷଙ୍କ ପ୍ରଚେଷ୍ଟା ଓ ନିଷ୍ଠା ପ୍ରଶଂସାର ହକଦାର ନିଶ୍ଚୟ ।

Comments are closed.