ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେରଙ୍କ ଦେହାନ୍ତ 

ମୁମ୍ବାଇ – ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚିତ୍ର ଓ ଧାରାବାହିକରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ସାଧୁ ମେହେରଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ବିଶେଷ କରି ହିନ୍ଦୀ ସମାନ୍ତରାଳ ସିନେମାରେ ସେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅଙ୍କୁର’ ପାଇଁ ସାଧୁ ମେହେରଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଥିଲା ।

୧୯୬୯ରେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଭୁବନ ସୋମ’ ଥିଲା ସାଧୁ ମେହେରଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର। ଏହାପରେ ସେ ନିଶାନ୍ତ, ମନ୍ଥନ, ମୃଗୟା, ଦେବ ଶିଶୁ, ଶୀତରାତି , ଅଭିମାନ, ଭୁଖା ଆଦି ଅନେକ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ବିଭିନ୍ନ ଚଳଚ୍ଚିତ୍ରରେ ବି ନିର୍ଦ୍ଦେଶନା ଦେଇଛନ୍ତି ସାଧୁ ମେହେର । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଫିଲ୍ମ ଥିଲା ୧୯୭୭ ମସିହାର ଅଭିମାନ । ସେ ମଧ୍ୟ ଅପରିଚିତ, ଡିଜାୟର, ବାବୁଲା, ଅଭିଳାଷା ଓ ଗୋପରେ ବଢୁଛି କଳା କହ୍ନାଇ ଫିଲ୍ମର ନିର୍ଦ୍ଦେଶକ ଥିଲେ । ଧାରାବାହିକ ବ୍ୟୋମକେଶ ବକ୍ସିରେ ମଧ୍ୟ ଅଭିନୟ କରିଥିଲେ ସାଧୁ ମେହେର । ୨୦୧୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

Comments are closed.