ନିମାପଡ଼ାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର – ବିଜେଡି ପାଇଁ ନିମାପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିମାପଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ନବୀନ ସରକାର ହେଉଛି ଲୋକଙ୍କ ସରକାର । ଚାଷୀଭାଇ ଓ ଯୁବପିଢ଼ିର ସରକାର ।ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ ବୋଲି ପାଣ୍ଡିଆନ କହିଥିଲେ। ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନ କରୁଥିବା ଲୋକମାନଙ୍କୁ ଲୋକମାନେ ମୁହଁତୋଡ଼ ଜବାବ ଦେବେ । ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ନବୀନ ବାବୁଙ୍କୁ ଗାଳି ଦେଉଛନ୍ତି । ନବୀନ ବାବୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନବୀନ ବାବୁ କ୍ୟାବିନେଟ୍‍ ମନ୍ତ୍ରୀ ଥିଲେ । ସେତେବେଳେ ଆସାମ ମୁଖ୍ୟମନ୍ତ୍ରୀ ଓକିଲାତି କରୁଥିଲେ ବୋଲି ପାଣ୍ଡିଆନ ତାଙ୍କୁ ମନେ ପକାଇ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଠାରୁ ସଂସ୍କାର ଶିଖିବା ଦରକାର ବୋଲି ପାଣ୍ଡିଆନ କହିଥିଲେ।

ବିରୋଧୀ ଦଳ ବିଜୁ ଜନତା ଦଳର କର୍ମୀମାନଙ୍କୁ ଧମକ ଦେଉଛନ୍ତି, ଆକ୍ରମଣ କରୁଛନ୍ତି । ଏଇଟା ଭଲ ନୁହେଁ । ବିଜେଡି କୌଣସି କର୍ମୀଙ୍କ ଦେହରେ କାହାକୁ ହାତ ଲଗେଇବାକୁ ଦେବନାହିଁ । ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି ବୋଲି ପାଣ୍ଡିଆନ ସଭାକୁ ସମ୍ବୋଧିତ କରି କହିଥିଲେ।

ମହାପ୍ରଭୁ ଓ ଲୋକମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ମାଲକାନଗିରିରୁ ମୟୁରଭଞ୍ଜ, ସୁନ୍ଦରଗଡ଼ରୁ ଜଗତ୍‍ସିଂହପୁର ପର୍ଯ୍ୟନ୍ତ ଜାଣିଗଲେଣି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼ ପାଇଁ ସେ ପ୍ରଥମେ ଦସ୍ତଖତ କରିବେ । ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ । ବି.ପି.ଏଲ୍‍ କାର୍ଡ ନଥିଲେ ଏପରିକି ସରକାରୀ ଚାକିରିରେ ଥିଲେ ମଧ୍ୟ ସମସ୍ତେ ବି.ଏସ୍‍.କେ.ୱାଇ କାର୍ଡ ପାଇବେ । ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା ପାଇବେ ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପି କହୁଛି ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ଦିନରେ ଲଣ୍ଠନ ଦେଖାଉଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ ବୋଲି ପାଣ୍ଡିଆନ କହିଥିଲେ।

ନିମାପଡ଼ା ପାଇଁ ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଥିଲେ ପାଣ୍ଡିଆନ। ସୋମନାଥ ମନ୍ଦିର ପାଇଁ ୫ କୋଟି ଟଙ୍କା, ଜଟେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା, ଅମରେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା, ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ୧୫ ହଜାର ଟଙ୍କାର ପ୍ୟାକେଜ୍‍, ପାନ ଚାଷ ଲାଗି ସ୍ୱତନ୍ତ୍ର ଯୋଜନା ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନଜର ନିମାପଡ଼ା ଉପରେ ରହିବ ବୋଲି ସେ କହିଥିଲେ।

Comments are closed.