ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ 

ଛତ୍ରପୁର: ପୁଣି ଲୋକ କଳାରେ ଦୁଲୁକି ଉଠିବ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି। ଶନିବାର ସନ୍ଧ୍ୟାରୁ ପାଞ୍ଚ ଦିନ କାଳ ସମୁଦ୍ର ତଟ ମଞ୍ଚ ଉପରେ ପରିବେଷିତ ହେବ ରାଜ୍ୟ ଓ ରାଜ୍ୟ ବାହାରର ଲୋକ କଳା ସମେତ ସ୍ଥାନୀୟ ସ୍ତରରୁ ଆରମ୍ଭ କରି ଓଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ। ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଭଳିକି ଭଳି ସାମଗ୍ରୀର ପସରା ମେଲିବ। ଏଥିସହ ମିଶନ୍ ଶକ୍ତି ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶିତ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ୍, ବିଭିନ୍ନ ସରକାରୀ ବିଭାଗର ଯୋଜନା ଓ ସଫଳତା ବର୍ଣ୍ଣନା କରୁଥିବା ଷ୍ଟଲ୍। ନିଜ ଦ୍ବାରା ଉତ୍ପାଦିତ ହସ୍ତତନ୍ତ ଓ ଅନ୍ୟ ସାମଗ୍ରୀ ବିକ୍ରିବଟାର ଭଲ ସୁଯୋଗ ପାଇବେ ମହିଳା ଏସ୍ଏଚଜି।

ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୮ରେ ଉଦ୍‌ଯାପିତ ହେଉଥିବା ମହୋତ୍ସବରେ ସବୁଦିନ ଦେଖିବାକୁ ମିଳିବ ଆଧୁନିକ ଓ ଲୋକ ନୃତ୍ୟର ଝଲକ। ମଞ୍ଚ ଉପରୁ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡ୍ ଏବଂ ଓଲିଉଡ୍ ତାରକା। ପର୍ଯ୍ୟଟକଙ୍କ ମନ କିଣିବା ପାଇଁ ବେଳାଭୂମି ମହୋତ୍ସବ ସାଙ୍ଗକୁ ସମୁଦ୍ର ତଟରେ ପ୍ରାକୃତିକ ଶୋଭା, ପିଲାଙ୍କ ସକାଶେ ପାର୍କ, ବୟସ୍କଙ୍କ ପାଇଁ ଆଡଭେଞ୍ଚର୍ ପାର୍କ ଆଦିର ବ୍ୟବସ୍ଥା ଉପଲବ୍ଧ। ମୀନା ବଜାରରେ‌ମଧ୍ୟ ଜମିବ ବେଶ୍ ଭିଡ଼। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ରାଜ୍ୟ ବିଧାନ ସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ମହୋତ୍ସବକୁ ଉଦଘାଟନ କରିବେ। ତାଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେବେ। ଜିଲ୍ଲା ପ୍ରଶାସନ ଏଥର ସ୍ଥାନୀୟ ସାଂସ୍କୃତିକ ଦଳ ଓ ଲୋକକଳା ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଇଛି। ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ନୃତ୍ୟ ସାଙ୍ଗକୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ କନ୍ଧ ନୃତ୍ୟ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସହ କେରଳର କଥକଲି ନୃତ୍ୟ ଦର୍ଶକଙ୍କୁ ଆହୋଜିତ କରିବେ। ପୁଣି ଓଲିଉଡ୍ ଷ୍ଟାର୍ ମଣ୍ଟୁ ଛୁରୀୟା, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ କାର୍ଯ୍ୟକ୍ରମ ପ୍ରଥମ ସନ୍ଧ୍ୟାରେ ରହିଛି।

ମହୋତ୍ସବ ଦୃଷ୍ଟିରୁ ବ୍ରହ୍ମପୁର- ଗୋପାଳପୁର ମୁଖ୍ୟ ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି। ବେଳାଭୂମି ମହୋତ୍ସବ ସ୍ଥଳରେ ତୋରଣ ଓ ସୈାରଶକ୍ତି ଚାଳିତ ଆଲୋକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ପୁଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା କହିଛନ୍ତି ଏସ୍‌ପି ଡା.ସର୍ବଣା ବିବେକ ଏମ୍। ମହୋତ୍ସବରେ ମୁତୟନ ରହିବେ ୧୨ ପ୍ଲାଟୁନ୍ ଫୋର୍ସ, ୫ ଡିଏସ୍‌ପି , ୨ ଏଏସ୍‌ପି, ୧୮ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ। ଛତ୍ରପୁର ଓ ବ୍ରହ୍ମପୁର ପଟୁ ଲୋକଙ୍କ ଯାଆସ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜାଗାରେ ଦୁଇ ଚକିଆ ଓ ଚାରି ଚକିଆ ଯାନବାହନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଦୁଇ ଚକିଆ ଯାନ ନାରାୟଣପୁର ଛକରୁ ବାମ ପାର୍ଶ୍ଵରେ ଯାଇ ହରିପୁର ଛକରେ ପାର୍କିଂ କରିବେ। ଚାରି ଚକିଆ ଯାନ ଗୋପାଳପୁର ବସ୍ ଷ୍ଟାଣ୍ଡରେରେ ପାର୍କିଂ କରିବେ। ମଞ୍ଚ ସଜ୍ଜା ସରିଛି। ପଲ୍ଲୀଶ୍ରୀ ମେଳା ପାଇଁ ବିଭିନ୍ନ ସ୍ଥାନରୁ ଏସ୍ଏଚ୍‌ଜି ଗ୍ରୁପ୍ ପହଞ୍ଚିଛନ୍ତି। ଆଉ କିଛି ଘଣ୍ଟା ପରେ ପର୍ଯ୍ୟଟକ ଓ ଦେଖଣାହାରୀଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିବ ଗୋପାଳପୁର ବେଳାଭୂମି ମହୋତ୍ସବ ସ୍ଥଳ।

Comments are closed.