ଜନସଂଖ୍ୟା ଝମେଲା

ବିଜନ କୁମାର ମହାପାତ୍ର

ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ଦେଶ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ କଥା ଉଠିଲେ ଅନେକ ବାଦ ବିବାଦ ସୃଷ୍ଟି ହୁଏ । କାରଣ ଜନସଂଖ୍ୟା ନିୟନ୍ତ୍ରଣ ଆମ ଦେଶରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଛି । ଦେଶର ସବୁ ନାଗରିକଙ୍କୁ ବଂଶବୃଦ୍ଧି କରିବା ପାଇଁ ଅଧିକାର ରହିଛି । କେତେ ସନ୍ତାନସନ୍ତତି ଜନ୍ମ କରିପାରିବେ, ଏହା ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ । ଏଥିପାଇଁ କୌଣସି ଆଇନ ଆମଦେଶରେ ନାହିଁ । କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମଦେଶରେ ବହୁ ଆଗରୁ ଉଦ୍ୟମ ହୋଇଛି । ‘ଆମେ ଦୁଇ, ଆମର ଦୁଇ’ ଏବଂ ‘ଛୋଟ ପରିବାର, ସୁଖୀ ପରିବାର’ ଭଳି ସ୍ଲୋଗାନ ଦିଆଯାଇ ପରିବାର ନିୟୋଜନ ପାଇଁ ପ୍ରୟାସ ହୋଇଛି । କିନ୍ତୁ ଧାର୍ମିକ ଦିଗ ଓ ଭୋଟବ୍ୟାଙ୍କ ପଲିଟିକ୍ସ ଏହିଭଳି ଯୋଜନାର ସଫଳତାରେ ପ୍ରତିବନ୍ଧକ ସୃଷ୍ଟି କରିଛି, ଯାହାର ପରିଣାମ ସ୍ୱରୂପ ଦେଶ ଜନସଂଖ୍ୟା ବିସ୍ଫୋରଣର ସାମନା କରୁଛି । ଏହା ମସ୍ତବଡ ଆହ୍ୱାନ ସୃଷ୍ଟି କରିବା ସହ ଦେଶର ଅର୍ଥନୈତିକ ଓ ସାମାଜିକ ବିକାଶଧାରାକୁ ପ୍ରଭାବିତ କରିଛି ।

ଦେଶରେ କେତେକ ରାଜ୍ୟ ସରକାର ସରକାର ‘ଦୁଇ ସନ୍ତାନ ନୀତି’ ନେଇ ନୂଆ ନିୟମ ପ୍ରସ୍ତୁତ କରିଛନ୍ତି । କିଛି ରାଜ୍ୟରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଂଚାୟତ ଓ ପୌର ନିର୍ବାଚନ ଲଢିବାକୁ ବାରଣ କରାଯାଇଛି । ଏଥିସହ ଆଉ କିଛି କଟକଣା ମଧ୍ୟ ରହିଛି । ନିକଟରେ ଆସାମ ସରକାର ଏହି ପ୍ରସଙ୍ଗ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ କୌଣସି ସରକାରୀ ଚାକିରି ଦିଆଯିବ ନାହିଁ ବୋଲି ଆସାମ ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶ ମଧ୍ୟ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡିଛି ।

ଦେଶରେ ବଢି ଚାଲିଥିବା ଜନସଂଖ୍ୟାର କୁପରିଣାମ କଣ ହେବ,ତାହା ସହଜରେ ଅନୁମେୟ । ଆସନ୍ତା ୨୫ରୁ ୩୦ ବର୍ଷ ମଧ୍ୟରେ ପରିସ୍ଥିତି ଅତି ବିଷମ ରୂପ ନେବ । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶର ପ୍ରାକୃତିକ ସମ୍ବଳ ଓ ମାନବ ସମ୍ବଳର ଘୋର ଅଭାବ ଦେଖାଯିବ । ବିଶାଳ ଜନସଂଖ୍ୟା ଅନୁପାତରେ ମୌଳିକ ସୁବିଧାସୁଯୋଗ ଯୋଗାଇବା ବି କଷ୍ଟକର ହୋଇପଡିବ । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅନେକ କ୍ଷେତ୍ରରେ ବିଶେଷ ଭାବେ ପ୍ରଭାବିତ ହେବ । ବେକାରୀ ଓ ସ୍ୱାସ୍ଥ୍ୟ ସମସ୍ୟା ଚରମ ସୀମୀରେ ପହଂଚିବ । ସାଂପ୍ରତିକ କୋରୋନା ସଂକଟରେ ବର୍ଦ୍ଧିତ ଜନସଂଖ୍ୟାର ଦୁଷ୍ପରିଣାମ ସାରାଦେଶରେ ଅନୁଭୂତ ହୋଇଛି ବୋଲି କହିଲେ ଭୁଲ୍ ହେବ ନାହିଁ ।

ଜନସଂଖ୍ୟା ବୃଦ୍ଧିର କୁପ୍ରଭାବକୁ ବହୁ ବର୍ଷ ଆଗରୁ ହିଁ ଠଉରାଇ ନେଇଥିଲା ଚୀନ୍ ଭଳିି ଦେଶ । ଆଉ ଏହାର ସମାଧାନ ପାଇଁ ‘ଏକ ସନ୍ତାନ ନୀତି’ ଆପଣାଇଥିଲା । ୧୯୭୦ ଦଶକରେ ଅହେତୁକ ଭାବେ ବୃଦ୍ଧି ପାଉଥିବା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି କଠୋର ଯୋଜନା କାର୍ଯ୍ୟକାରୀ କରିଥିଲା କମ୍ୟୁନିଷ୍ଟ ଚୀନ୍ । ଏହି ନୀତି ଅନୁସାରେ ସହରାଂଚଳ ଦଂପତ୍ତିଙ୍କ ପାଇଁ ଗୋଟିଏ ଓ ଗ୍ରାମାଞ୍ଚଳ ଦଂପତ୍ତିଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ପାଇଁ ହିଁ ଅନୁମତି ଦିଆଯାଇଥିଲା । ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବର୍ଷ ବର୍ଷର ଦରମା କାଟି ଦିଆଯାଉଥିଲା । ଏପରିକି ଜେଲ୍ ଦଣ୍ଡର ବ୍ୟବସ୍ଥା ଥିଲା । କୁହାଯାଉଛି ଯେ, ଏହି ‘ଗୋଟିଏ ସନ୍ତାନ ନୀତି’ ଦ୍ୱାରା ଚୀନ୍ ୪୦ କୋଟି ଛୁଆଙ୍କ ଜନ୍ମକୁ ରୋକିପାରିଥିଲା । ଆଉ ଏହା ସେ ଦେଶର ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥିଲା ।

କିନ୍ତୁ ଆମଦେଶ ଚୀନ୍ ନୁହେଁ । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଜନସଂଖ୍ୟା ନିୟନ୍ତ୍ରଣ ନେଇ କୌଣସି ନୀତିନିୟମ ଲୋକଙ୍କ ଉପରେ ଜୋର୍ ଜବରଦସ୍ତି ଥୋପି ହେବ ନାହିଁ । ଭାରତରେ ଜନ୍ମ ନିୟନ୍ତ୍ରଣ ପାଇଁ ‘ଦୁଇ ସନ୍ତାନ ନୀତି’ ପ୍ରସଙ୍ଗ ଉଠିଲେ ସଙ୍ଗେ ସଙ୍ଗେ ବିବାଦ ଓ ବିତର୍କ ମୁଣ୍ଡ ଟେକିବା ଆରମ୍ଭ ହୋଇଯାଏ । ଏହାକୁ ନେଇ ଅଜବ ବ୍ୟାଖ୍ୟା ଆରମ୍ଭ ହୋଇଯାଏ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କୌଣସି ଯୋଜନା ପ୍ରସ୍ତୁତ ହେଲେ ତାହା ଧାର୍ମିକ ଦୃୃଷ୍ଟିକୋଣରୁ ଦେଖାଯାଏ । ପ୍ରାୟତଃ ସବୁ ଧର୍ମର ଲୋକେ ‘ଦୁଇ ସନ୍ତାନ ନୀତି’କୁ ବିରୋଧ କରିଆସିଛନ୍ତି । ଏହାଛଡା ଦେଶରେ ଭୋଟ୍‌ବ୍ୟାଙ୍କ ରାଜନୀତି କାରଣରୁ ସ୍ୱାଧୀନତାର ବର୍ଷ ବର୍ଷ ପରେ ବି କୌଣସି ସରକାର ବା ରାଜନୈତିକ ଦଳ ଜନସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ କରିବା ତ ଦୂରର କଥା, ବରଂ ଏହି ପ୍ରସଙ୍ଗ ଉପରେ ଗମ୍ଭୀରତାର ସହ ବିଚାର କରିବା ପାଇଁ ବି ଉଚିତ ମନେ କରିନାହାନ୍ତି ।

୧୯୬୦ ଦଶକରେ ଭାରତରେ ଗୋଟିଏ ପରିବାରରେ ହାରାହାରି ୫ରୁ ୬ ବା ଅଧିକ ପିଲା ଜନ୍ମ ହେଉଥିଲେ । ଜନସଂଖ୍ୟା ବଢି ଚାଲିଲା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଇନ୍ଦିରା ଗାନ୍ଧି ସରକାର ପଦକ୍ଷେପ ନେଇଥିଲେ । କିନ୍ତୁ ରାଜନୈତିକ ବାଧ୍ୟବାଧକତା ଇନ୍ଦିରା ଗାନ୍ଧିଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଥିଲା । ଏହା ପରେ ‘ଆମେ ଦୁଇ, ଆମର ଦୁଇ’ ଓ ‘ଛୋଟ ପରିବାର, ସୁଖୀ ପରିବାର’ ସ୍ଲୋଗାନ ବହୁ ବର୍ଷ ଧରି ଚାଲିଥିଲା ।
ଆମଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କୌଣସି କେନ୍ଦ୍ରୀୟ ଆଇନ୍ ନାହିଁ । କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟସ୍ତରରେ ପ୍ରୟାସ କରାଯାଇଛି । ବିଭିନ୍ନ ରାଜ୍ୟରେ ‘ଦୁଇ ସନ୍ତାନ ନୀତି’ କାର୍ଯ୍ୟକାରୀ କରାଯାଇ ଜନସଂଖ୍ୟା ବୃଦ୍ଧିକୁ ନିରୁତ୍ସାହିତ ପାଇଁ ପ୍ରୟାସ କରାଯାଇଛି । ଓଡିଶା, ବିହାର, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଭଳି କିଛି ରାଜ୍ୟରେ ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ପଂଚାୟତ ଓ ଅନ୍ୟ ସ୍ଥାନୀୟ ନିର୍ବାଚନରେ ଲଢିବା ପାଇଁ ବାରଣ କରାଯାଇଛି । କିନ୍ତୁ ଏବେ ଆସାମ ଓ ଅନ୍ୟ କିଛି ରାଜ୍ୟ ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ସୁବିଧାସୁଯୋଗରୁ ବଂଚିତ କରିବା ଓ ସରକାରୀ ଚାକିରୀ ପାଇଁ ଅଯୋଗ୍ୟ ଘୋଷଣା କରିବା ଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଆଉ ଏହା ରାଜନୈତିକ ବିବାଦ ସୃଷ୍ଟି କରିବା ସହ କିଛି ଏଭଳି ପଦକ୍ଷେପ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି ।

ପରିତାପର ବିଷୟ ଯେ, ଜନସଂଖ୍ୟା ବିସ୍ଫୋରଣ ନେଇ ସବୁ ରାଜନୈତିକ ଦଳ ବିଭିନ୍ନ ସମୟରେ ଉଦବେଗ ପ୍ରକାଶ କରୁଛନ୍ତି । କିନ୍ତୁ ଜନସଂଖ୍ୟା ସଂପର୍କିତ ଆଇନ୍ ପ୍ରଣୟନ ପାଇଁ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି ।

କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣର ଅନ୍ୟ ଏକ ଦିଗ ରହିଛି । ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚୀନ୍‌ର ଉଦାହରଣ ଦିଆଯାଇପାରେ । ଚୀନ୍‌ରେ ବହୁବର୍ଷ ଧରି ଚାଲିଥିବା ‘ଗୋଟିଏ ସନ୍ତାନ ନୀତି’ ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ସୃଷ୍ଟି କରିଥିଲା । ଏହି ନୀତି କାରଣରୁ ଚୀନ୍‌ରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଲା ଓ ପରିଶ୍ରମ କରିପାରୁଥିବା ଯୁବକଙ୍କ ସଂଖ୍ୟା ହ୍ରାସ ପାଇଲା । ଜନସଂଖ୍ୟାରେ ବୟସ୍କ ବୃଦ୍ଧଙ୍କ ବୃଦ୍ଧି ଆର୍ଥିକ ଦୃଷ୍ଟିରୁ ଚୀନ ପାଇଁ ଚିନ୍ତାର କାରଣ ହେବାରୁ ୨୦୧୬ରେ ‘ଗୋଟିଏ ସନ୍ତାନ ନୀତି’ରୁ ଓହରି ‘ଦୁଇ ସନ୍ତାନ ନୀତି’ ଆପଣାଇଥିଲେ କମ୍ୟୁନିଷ୍ଟ ସରକାର । କିନ୍ତୁ ବିଶେଷ ଫାଇଦା ହୋଇ ନ ଥିଲା । ଏବେ ଚୀନ୍ ସରକାର ଦଂପତ୍ତିଙ୍କୁ ତିନି ସନ୍ତାନ ଜନ୍ମ କରିବା ପାଇଁ ଅନୁମତି ଦେଇଛନ୍ତି । ବିଗତ କିଛି ଦଶକରେ ଚୀନର ଜନସଂଖ୍ୟା ସବୁଠୁ ମନ୍ଥର ଗତିରେ ବଢୁଥିବା ଜଣାପଡିବା ପରେ କମ୍ୟୁନିଷ୍ଟ ସରକାର ନିକଟରେ ତିନି ସନ୍ତାନ ନୀତି କାର୍ଯ୍ୟକାରୀ କରିଛନ୍ତି ।

ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଭାରତ ପାଇଁ ବି କଣ ସେଭଳି ସ୍ଥିତି ରହିବ କି ? ୨୧୦୦ ମସିହା ବେଳକୁ ଚୀନକୁ ପଛରେ ପକାଇ ଭାରତ ବିଶ୍ୱର ଜନବହୁଳ ଦେଶରେ ପରିଣତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ, ୨୦୫୦ ମସିହା ବେଳକୁ ଭାରତରେ ବୟସ୍କ ନାଗରିକଙ୍କ ସଂଖ୍ୟା ୩୧ କୋଟିରୁ ଅଧିକ ହୋଇଯିବ । ଦେଶରେ ବୟସ୍କ ନାଗରିକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ତୁଳନାରେ ଏହି ସଂଖ୍ୟା ୨୦୫୦ରେ ପାଖାପାଖି ତିନି ଗୁଣା ହେବ ।

ଭାରତରେ ଜନସଂଖ୍ୟା ସଂପର୍କିତ ନୀତି କିପରି ହେବ, ସେ ନେଇ ଦେଶବ୍ୟାପୀ ସୁସ୍ଥ ବିତର୍କ ହେବା ଆବଶ୍ୟକ ରହିଛି । ବିତର୍କରେ ରାଜନୈତିକ ଦଳ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଧର୍ମଗୁରୁ ସମସ୍ତଙ୍କୁ ସାମିଲ କରି ମତାମତ ନେବା ଜରୁରୀ । ଜନସଂଖ୍ୟା ବିସ୍ଫୋରଣର ଭୟାବହତା ଓ ଦେଶର ବିକାଶଧାରାରେ ଏହାର କୁ୍‌ପ୍ରଭାବ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ବି ହାତକୁ ନେବା ଆବଶ୍ୟକ ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ
ବ୍ରହ୍ମପୁର -୭୬୦୦୦୮
ମୋ-୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।

Comments are closed.