ଲେଖକ: ପ୍ରତିଭା ନେପାକ
ବ୍ରହ୍ମପୁର: ଭୌଗୋଳିକ କ୍ଷେତ୍ର ହେଉ ବା ଜନସଂଖ୍ୟା ଅଥବା ରାଜନୈତିକ ଦୃଷ୍ଟିକୋଣ, ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ଗଞ୍ଜାମ। ଇଏ ସେହି ଜିଲ୍ଲା ଯାହା ରାଜ୍ୟ ରାଜନୀତିରେ ଅନେକ ମହତ୍ତ୍ଵ ରଖେ। କାରଣ ଖୋଦ୍ ଏଇ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ଲଗାତାର ଭାବେ ପ୍ରଥମେ ସାଂସଦ ଓ ପରେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ବିଧାନସଭାକୁ ପ୍ରାୟ ୮ ପ୍ରତିଶତ ବିଧାୟକ ଏଇ ଜିଲ୍ଲାରୁ ନିର୍ବାଚିତ ହୋଇଥାନ୍ତି। ତେଣୁ ଏଠି ହେଉଥିବା ପ୍ରତିଟି ନିର୍ବାଚନ ସ୍ବାଭାବିକ ଭାବେ ଚର୍ଚ୍ଚାର ପରିସରକୁ ଆସିଥାଏ। ଏଥର ପାଳି ପଞ୍ଚାୟତ ନିର୍ବାଚନର।
ରାଜ୍ୟର ଅନ୍ୟତମ ସର୍ବାଧିକ ଜିଲ୍ଲା ପରିଷଦ ଜୋନ୍ ୬୯ଟି ଗଞ୍ଜାମରେ ରହିଛି। ସେହିପରି ୭୦୯୯ ୱାର୍ଡ ସଭ୍ୟ ସଭ୍ୟା, ୫୦୩ ସରପଞ୍ଚ ଓ ୫୦୩ ସମିତି ସଭ୍ୟ ସଭ୍ୟା, ୨୨ ବ୍ଲକ୍ ଅଧ୍ୟକ୍ଷ ଅଧ୍ୟକ୍ଷା ପଦ ହିଁ ଦର୍ଶାଉଛି ଯେ ଏଠି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେତେ ଗୁରୁତ୍ଵପୂର୍ଣ୍ଣ। ଏଥର ପଞ୍ଚାୟତ ଲଢେଇରେ ୧୦ ହଜାର ୫୦୮ ୱାର୍ଡମେମ୍ବର, ୧୫୬୩ ସରପଞ୍ଚ, ୧୩୪୮ ସମିତିସଭ୍ୟ ଏବଂ ୨୫୬ ଜଣ ତଥା ମୋଟରେ ୧୩ ହଜାର ୬୭୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଜିଲ୍ଲାର ୭୦୯୯ ବୁଥରେ ୨୪ ଲକ୍ଷ ୪୩ ହଜାର ୬୧୬ ଜଣ ଭୋଟର ଏଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ଏବେ ଆସନ୍ତୁ ନଜର ପକାଇବା ଜିଲ୍ଲାର ଅତୀତ ଓ ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟ ଉପରେ। ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨୦୦୭ ନିର୍ବାଚନରେ ବିଜେଡି ୪୫, ୨୦୧୨ରେ ୬୦ ଓ ୨୦୧୭ରେ ୬୩ ଜୋନ୍ ଦଖଲ କରିଥିଲା। ପ୍ରତି ନିର୍ବାଚନରେ ବିଜେଡି କ୍ରମାଗତ ଭାବେ ଜିଲ୍ଲା ପରିଷଦ ଆସନ ସଂଖ୍ୟା ବୃଦ୍ଧି କରିଛି। ଆଉ ଏଥର ଶାସକ ଦଳ ଶତପ୍ରତିଶତ ସ୍ଥାନରେ ବିଜୟ ଲକ୍ଷ୍ୟ ସ୍ଥିର କରି ରଣନୀତି ପ୍ରସ୍ତୁତ କରିଛି। ଗତ ତିନି ଥରରେ କଂଗ୍ରେସର ଜିଲ୍ଲା ପରିଷଦ ଆସନ ଯଥାକ୍ରମେ ୧୫, ୪ ଓ ୧ ଆସନକୁ ଖସି ଆସିଛି। ଗତଥର ୪ଟି ଜିଲ୍ଲା ପରିଷଦ ଜୋନ୍ରେ ଜିତିଥିବା ବିଜେପି ତାର ସ୍ଥିତାବସ୍ଥା ବଜାୟ ରଖି ଆସିଛି। ୨୦୧୭ରେ ଜଣେ ମହିଳା ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥିର ସମସ୍ତ ୬୯ ଆସନ ହାତେଇବାକୁ ରଣନୀତି ଧାର୍ଯ୍ୟ କରିଥିବା ବିଜେଡି ଅନ୍ୟ ସମସ୍ତ ରାଜନୈତିକ ଦଳକୁ କଡ଼ା ଚ୍ୟାଲେଞ୍ଜ୍ ଦେଉଛି। ପ୍ରାର୍ଥୀ ଚୟନ ଆରମ୍ଭରୁ ପ୍ରଚାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅନ୍ୟ ରାଜନୈତିକ ଦଳଙ୍କ ଠାରୁ ବେଶ୍ କେଇ ପାଦ ଆଗରେ ରହିଛି ବିଜେଡି। ଏପରିକି ବିଜେଡିର ବିଜୟ ରଣକୌଶଳ ଆଗରେ ଅନ୍ୟ ସବୁ ବଡ଼ ଛୋଟ ଦଳର ଯୋଜନା ଫିକା ପଡ଼ି ଯାଇଥିବା ପରିଲକ୍ଷିତ ହୋଇଛି।
ବିଜେଡି ଆରମ୍ଭରୁ ଅର୍ଥାତ୍ ପ୍ରାର୍ଥୀ ଚୟନରୁ ହିଁ ଅନ୍ୟ ଦଳକୁ ପଛରେ ପକାଇ ଦେଇଛି। ଗୋଟିଏ ଆସନକୁ ଛାଡି ଅନ୍ୟ ସବୁ ଜିଲ୍ଲା ପରିଷଦ ଜୋନ୍ରେ ନୂଆ ମୁହଁକୁ ପ୍ରାର୍ଥୀ କରିଛି ବିଜେଡି। କିନ୍ତୁ ଏମାନେ ରାଜନୀତିରେ ନୂଆ ନୁହଁନ୍ତି। କେଉଁଠି ବ୍ଲକ୍ ଅଧ୍ୟକ୍ଷ ତ କେଉଁଠି ସରପଞ୍ଚଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଛି ବିଜେଡି। କାରଣ ଦଳ ପ୍ରାର୍ଥୀଙ୍କ ଲୋକପ୍ରିୟତା, ଜନସେବା, ନିର୍ମଳ ଭାବମୂର୍ତ୍ତି, ରାଜନୈତିକ ଅଭିଜ୍ଞତା ଓ ଦଳ ପ୍ରତି ଅନୁଶାସନକୁ ଫୋକସ୍ କରିଛି।
ଗତ ୩ଟି ପଞ୍ଚାୟତ ନିର୍ବାଚନ ରେକର୍ଡ ଦେଖିଲେ ବିଜେଡିର ଲଗାତର ଶକ୍ତିବୃଦ୍ଧିକୁ ଯେକେହି ସ୍ବୀକାର କରିବେ। ଜିଲ୍ଲା ପରିଷଦ ନିର୍ବାଚନ ଫଳ ପ୍ରାୟତଃ ଏକପାଖିଆ ରହି ଆସୁଥିବା ବେଳେ ୨୦୧୭ରେ ତ କ୍ଲିନ୍ ସ୍ବିପ୍ କରିଥିଲା। ସେହିପରି ୨୨ଟି ବ୍ଲକ୍ ମଧ୍ୟରୁ କେବଳ ଗଞ୍ଜାମକୁ ଛାଡ଼ିଦେଲେ ଅନ୍ୟ ୨୧ଟି ଯାକ ସ୍ଥାନରେ ବିଜେଡି ସମର୍ଥକ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଅପରପକ୍ଷରେ ଏଥର ସମସ୍ତ ୬୯ଟି ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୬୭ଟି ଆସନରେ ପ୍ରାର୍ଥୀ ଠିଆ କରାଇଛି। ସିପିଆଇ ୬, ସିପିଆଇ (ଏମ୍) ୩, ବିଏସ୍ପି ୫, ସ୍ବାଧୀନ ୧୩ ଓ ଅନ୍ୟାନ୍ୟ ୨୪ ପ୍ରାର୍ଥୀ ରହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଏଥର ଜିଲ୍ଲା ପରିଷଦ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ହେଉଥିଲେ ହେଁ ମୁଖ୍ୟ ଟକ୍କର ବିଜେପି- ବିଜେଡି ମଧ୍ୟରେ ହେବାର ଅନୁମାନ କରୁଛନ୍ତି ରାଜନୈତିକ ପଣ୍ଡିତ। କିନ୍ତୁ ଗତଥର ଭଳି ଏଥର ମଧ୍ୟ କଂଗ୍ରେସ ତୃତୀୟ ସ୍ଥାନରେ ରହିବା ଆକଳନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ। ଚଳିତ ପଞ୍ଚାୟତ ନିର୍ବାଚନ ସ୍ଥିତି ମଧ୍ୟ ଅପରିବର୍ତିତ ରହିବା ଅନୁମାନ କରାଯାଇଛି।
ନିର୍ବାଚନ ପୂର୍ବରୁ ବିଜେଡି ତାର ବଳ ଗୋଟାଇବାରେ ଲାଗିଛି। ନିଜକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ଜିଲ୍ଲାର ଅନେକ ରାଜନେତା ନିଜ ଦଳ ଛାଡ଼ିଆଯ ବିଜେଡିରେ ସାମିଲ ହୋଇଛନ୍ତି । ଚିକିଟି ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ଉଦୟନାଥ ପ୍ରଧାନ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଧର୍ମରାକୁ ରେଡ୍ଡୀ ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି। ସେମାନଙ୍କ ବ୍ୟତୀତ ଅନେକ ସ୍ଥାନରେ ବର୍ତ୍ତମାନର ଓ ପୂର୍ବତନ ବହୁସଂଖ୍ୟକ ପଞ୍ଚାୟତ ପ୍ରତିନିଧି ବିଜେଡିରେ ମିଶିଛନ୍ତି। ଏଭଳି ରାଜନୈତିକ ପାଣିପାଗରେ ବିଜେଡି ଚଳିତ ନିର୍ବାଚନରେ ୬୯ରୁ ୬୯ ଜିଲ୍ଲା ପରିଷଦ ଜୋନ୍ କରାୟତ୍ତ କରିବାକୁ ଟାର୍ଗେଟ ରଖିଥିବା ସୂଚନା ମିଳିଛି।
୨୦୧୭ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ଅଂସରକ୍ଷିତ ରହିଥିଲା। କିନ୍ତୁ ବିଜେଡି ରାଜନୈତିକ ଗୋଟିଚାଳନା କରି ଏହି ପଦବିରେ ଜଣେ ପଛୁଆ ବର୍ଗ ନେତା ସୁବାସ ବେହେରାଙ୍କୁ ଆସୀନ କରାଇଥିଲା । ବର୍ଷକ ପରେ ସେ ଛତ୍ରପୁର ବିଧାୟକ ନିର୍ବାଚିତ ହେବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବିରୁ ଇସ୍ତଫା ଦେଇଥିଲେ। ପୁଣି ଜଣେ ପଛୁଆ ବର୍ଗ ମହିଳା ସୋନମ ପଲାଇଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କରାଇଥିଲା ବିଜେଡି। ଏପରିକି ଉପାଧ୍ୟକ୍ଷା ପଦରେ ମଧ୍ୟ ଜଣେ ମହିଳା ଆସୀନ ହୋଇଥିଲେ। ଏଥିରୁ ପଛୁଆ ବର୍ଗ ଓ ମହିଳା ବର୍ଗକୁ ବିଜେଡି କେତେ ଗୁରୁତ୍ବ ଦିଏ ତାହା ସ୍ପଷ୍ଟ ହୋଇଥିଲା। ଚଳିତ ଥର ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ଏହି ଆସନରେ ସାଧାରଣ ବର୍ଗ କିମ୍ବା କୌଣସି ସଂରକ୍ଷିତ ମହିଳା ବସିବାରେ ଅସୁବିଧା ନାହିଁ।
ଗୋଟିଏ ପଟେ ବିରୋଧୀଙ୍କ ହାତରେ ଶାସକ ଦଳ ବିପକ୍ଷରେ କୌଣସି ଅସ୍ତ୍ର ନାହିଁ। କଂଗ୍ରେସ ନିଜ ଅସ୍ତିତ୍ଵ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛି ତ ବିଜେପି ଦରବୃଦ୍ଧି, କୁଶାସନ, ବେକାରୀ ଭଳି ଜନଆକ୍ରୋଶର ସାମନା କିଭଳି କରିବ ସେହି ଚିନ୍ତାରେ ପଡ଼ିଛି। ସେପଟେ କିନ୍ତୁ ବିଜେଡି କେବଳ ଯେ ସାଙ୍ଗଠନିକ ଶକ୍ତିବୃଦ୍ଧି କରିପାରିଛି ତା ନୁହେଁ, ଦଳୀୟ ପ୍ରାର୍ଥୀ ନବୀନ ପଟ୍ଟନାୟକ ସରକାରଙ୍କ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଜନକଲ୍ୟାଣ ଯୋଜନାର ପ୍ରଚାର କରି ଓ ତୃଣମୂଳସ୍ତରର ଲୋକଙ୍କ ନିକଟରେ ତାହାର ସୁଫଳ ପହଞ୍ଚାଇ ନିଜ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି । ଏଣୁ ସେମାନେ ଭୋଟରଙ୍କ ସମର୍ଥନ ହାସଲ କରିବା ନେଇ ଅଧିକ ଆଶାବାଦୀ ଅଛନ୍ତି। ବିଶେଷ କରି କରୋନା ମହାମାରୀ କାଳରେ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ସକାଶେ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ଗ୍ରହଣ କରି ଜୀବନ ଜୀବିକାକୁ ସୁଧାରିଛନ୍ତି, ଶିକ୍ଷା ସେବା ସହ ପ୍ରବାସୀଙ୍କ ପରିଚାଳନା ଓ କୋଭିଡ୍ ମୁକାବିଲା କରିପାରିଛନ୍ତି ସେଥିରେ ରାଜ୍ୟର ଗ୍ରାମାଞ୍ଚଳର ବାସିନ୍ଦା ଯେ ବିଜେଡି ପ୍ରାର୍ଥୀ ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ନିଜ ସମର୍ଥନ ଦେବାର ଆଶା କରାଯାଏ। ବିଜେଡି ନିର୍ବାଚନ ଢେର ପୂର୍ବରୁ ସାଙ୍ଗଠନିକ ବୈଠକରୁ ଆରମ୍ଭ କରି ମିଶ୍ରଣ ପର୍ବ ବାରମ୍ବାର ଆୟୋଜନ କରି ଦଳକୁ ପୂର୍ବାପେକ୍ଷା ଅଧିକ ମଜବୁତ କରିପାରିଛି। ଏହା ଭୋଟରଙ୍କ ମନ ଜିଣିବା ସହ ଦଳ ପାଇଁ ବିଜୟର ପଥକୁ ସୁଗମ କରିବା ଆଶା କରାଯାଇପାରେ। ଯେଉଁ ଜିଲ୍ଲାରେ ୧୩ରୁ ୧୨ ବିଧାନସଭା କ୍ଷେତ୍ର, ୬୯ରୁ ୬୪ଟି ଜିଲ୍ଲା ପରିଷଦ ଜୋନ୍, ୨୨ରୁ ୨୧ ବ୍ଲକ୍ ବିଜେଡି ଦଖଲ କରିଥିଲା, ଏଥର ମଧ୍ୟ ସେହି ସଫଳତା ପୁନରାବୃତ୍ତି କରିବାକୁ ଦୃଢ ଆଶାବାଦୀ ଶାସକ ଦଳ। ତଥାପି ତୃଣମୂଳସ୍ତରରେ ବିଜେଡିର ଦବଦବା ପରିଲକ୍ଷିତ ହେଉଥିଲେ ହେଁ ବିରୋଧୀ ବିଜେପି ଓ କଂଗ୍ରେସ ସହଜରେ ମଇଦାନ ଛାଡ଼ିବା ମୁଡ୍ରେ ନାହାନ୍ତି।
Comments are closed.