ଉପନିର୍ବାଚନର ବାର୍ତ୍ତା

ବିଜନ କୁମାର ମହାପାତ୍ର

ଏକ ଗଣତନ୍ତ୍ରରେ ସରକାର ପ୍ରତି ଜନତାଙ୍କ ଆକ୍ରୋଶ ନିର୍ବାଚନରେ ହିଁ ପ୍ରତିଫଳିତ ହୁଏ । ଗଣତାନ୍ତ୍ରିକ ନିର୍ବାଚନ ଜରିଆରେ ହିଁ ସାଧାରଣ ଲୋକ ଶାସକଙ୍କୁ ସନ୍ଦେଶ ଦିଅନ୍ତି । ନିକଟରେ କିଛି ରାଜ୍ୟରେ ବିଧାନସଭା ଓ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳରୁ ମଧ୍ୟ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଏକ କଡା ସନ୍ଦେଶ ଯାଇଛି । ହିମାଚଳ ପ୍ରଦେଶ ଓ ହରିୟାଣା ସମେତ ଅନେକ ରାଜ୍ୟରେ ଉପନିର୍ବାଚନ ଫଳାଫଳ ବିଜେପି ପାଇଁ ଚିନ୍ତା ବଢାଇଛି । ଆସାମ ଓ ମଧ୍ୟପ୍ରଦେଶରେ ବିଜେପି ସଂଗଠନର ରଣନୀତି ସଫଳ ରହିଥିଲେ ମଧ୍ୟ ହିମାଚଳ ପ୍ରଦେଶ, ହରିୟାଣା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗର ଉପନିର୍ବାଚନ ଫଳାଫଳ ଗୈରିକ ଦଳ ପ୍ରତି ଭୋଟରଙ୍କ ଚରମ ଅସନ୍ତୋଷକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ନିଜର ନୀତି, ଆଭିମୁଖ୍ୟରେ ପୁନର୍ବିଚାର ପାଇଁ ସୁଯୋଗ ଦେଇଛି । ବିଜେପି ଶାସିତ ହିମାଚଳ ପ୍ରଦେଶରେ ବର୍ଷକ ମଧ୍ୟରେ ହେବ ବିଧାନସଭା ନିର୍ବାଚନ । ହେଲେ ରାଜ୍ୟରେ ଗତମାସ ୩୦ ତାରିଖରେ ହୋଇଥିବା ଉପନିର୍ବାଚନର ଫଳାଫଳ ଶାସକ ଦଳ ପ୍ରତି ଶକ୍ତ ଧକ୍‌କା ସଦୃଶ ହୋଇଛି । ମଣ୍ଡି ଲୋକସଭା ଆସନକୁ କଂଗ୍ରେସ କବ୍‌ଜା କରିଛି । ଏଥିସହ କଂଗ୍ରେସ ତିନିଟି ବିଧାନସଭା ଆସନରେ ମଧ୍ୟ ବିଜୟ ହାସଲ କରିଛି । ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହଙ୍କ ଦେହାନ୍ତ ପରେ ରାଜ୍ୟରେ ପ୍ରଥମଥର ପାଇଁ ଯେକୌଣସି ନିର୍ବାଚନ ହୋଇଥିଲା । ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡୁଛି ଯେ, ହିମାଚଳରେ ବୀରଭଦ୍ର ସିଂହଙ୍କର ଲିଗାସି କାଏମ ରହିଛି । କହିବାକୁ ଗଲେ ଅନୁକଂପାମୂଳକ ଭୋଟ୍ ଜରିଆରେ ହେଲେ ମଧ୍ୟ କଂଗ୍ରେସକୁ ବିଜେପି ତୁଳନାରେ ନୂଆ ଶକ୍ତି ମିଳିଛି । ମଣ୍ଡି ଲୋକସଭା ଆସନରେ ସ୍ୱର୍ଗତଃ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ କଂଗ୍ରେସ ଟିକେଟରେ ଲଢି କାରଗିଲ୍ ଯୁଦ୍ଧ ନାୟକ ତଥା ବିଜେପି ପ୍ରାର୍ଥୀ ଅବସରପ୍ରାପ୍ତ ବ୍ରିଗେଡିୟର ଖୁସାଲ ଠାକୁରଙ୍କୁ ହରାଇଛନ୍ତି । ବୀରଭଦ୍ର ସିଂହଙ୍କ ଭଳି ଜଣେ ଟାଣୁଆ ନେତାଙ୍କ ବିୟୋଗ ପରେ ରାଜ୍ୟ କଂଗ୍ରେସକୁ ନିଜର ସ୍ଥିତି ବଜାୟ ପାଇଁ ବେଶ୍ ସଂଘର୍ଷ କରିବାକୁ ପଡିଥିଲା । ଆଉ ମଣ୍ଡି ଲୋକସଭା ଓ ତିନି ବିଧାନସଭା ଆସନରେ ବିଜୟ ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିରରେ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଛି । ଅପରପକ୍ଷରେ ଏହି ଉପନିର୍ବାଚନ ଫଳାଫଳ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପ୍ରତି ସୃଷ୍ଟି କରିଛି ଅନେକ ଆହ୍ୱାନ । ହିମାଚଳ ପ୍ରଦେଶ ଉପନିର୍ବାଚନ ଫଳାଫଳ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କ ପାଇଁ ମଧ୍ୟ ଲଜ୍ଜାଜନକ ହୋଇଛି । କାରଣ ହିମାଚଳ ପ୍ରଦେଶରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ବିଜେପି ସଭାପତି । ତେଣୁ ଉଭୟ ଜୟରାମ ଓ ନଡ୍ଡାଙ୍କ ପାଇଁ ହିମାଚଳ ଉପନିର୍ବାଚନ ପରିଣାମ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଆହ୍ୱାନ ସୃଷ୍ଟି କରିଛି । ଦରଦାମ ବୃଦ୍ଧି ଯୋଗୁଁ ଭୋଟର ବିଜେପି ପ୍ରତି ବିମୁଖ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିର୍ବାଚନ ପରବର୍ତ୍ତୀ ପ୍ରତିକ୍ରିୟା କେନ୍ଦ୍ର ସରକାରଙ୍କ ପାଇଁ ବି ଏକ ବିଚାରଣୀୟ ପ୍ରସଙ୍ଗ ।

ହରିୟାଣାରେ ମଧ୍ୟ ଶାସକ ବିଜେପି ବ୍ୟାକଫୁଟରେ । ରାଜ୍ୟର ଏଲନାବାଦ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଶାସକ ବିଜେପି ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ଆସନରେ ବିରୋଧୀ ଇଣ୍ଡିଆନ ନ୍ୟାସନାଲ ଲୋକଦଳ-ଆଇଏନଏଲଡି ପ୍ରାର୍ଥୀ ଅଭୟ ସିଂହ ଚୌତାଲା ପୁଣି ଥରେ ବିଜୟୀ ହୋଇଛନ୍ତି । ରାଜ୍ୟରେ ଆଇଏନଏଲଡି ପ୍ରତି ସମର୍ଥନ ହ୍ରାସ ପାଇଥିବା ବେଳେ ଚୌତାଲାଙ୍କ ବିଜୟ ଦଳ ପ୍ରତି ଆଶାର କିରଣ ସଦୃଶ ହୋଇଛି । ମନୋହର ଲାଲ୍ ଖଟ୍ଟାରଙ୍କ ନେତୃତ୍ୱାଧିନ ବିଜେପିର ମିଳିତ ସରକାରଙ୍କ ପ୍ରତି ଜନ ଅସନ୍ତୋଷ ଓ ତିନି କୃଷି ଆଇନ ବିରୋଧରେ ଚାଲିଥିବା ଦୀର୍ଘଦିନର କୃଷକ ଆନ୍ଦୋଳନ ରାଜ୍ୟରେ ଉପନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ । ଅପ୍ରତ୍ୟାଶିତ ଦରଦାମ ବୃଦ୍ଧି ମଧ୍ୟ ବିଜେପି ପ୍ରତି ଜନତାଙ୍କ ଆକ୍ରୋଶର କାରଣ ବୋଲି କୁହାଯାଇଛି ।

ଏଣେ କିଛି ରାଜ୍ୟରେ କ୍ଷମତାସୀନ ଦଳ ଓ ସହଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି । ବିଜେପି ଓ ସହଯୋଗୀ ଆସାମ ଏବଂ ପୂର୍ବୋତ୍ତର ରେ ଦୃଢ ପ୍ରଦର୍ଶନ କରିଛନ୍ତି । ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ତୃଣମୂଳ କଂଗ୍ରେସର ବର୍ଚ୍ଚସ୍ୱ କାଏମ ରହିଛି । ରାଜସ୍ଥାନରେ ଶାସକ କଂଗ୍ରେସ ଜିତିଥିବା ବେଳେ ମଧ୍ୟପ୍ରଦେଶରେ ବାଜିମାରିଛି ବିଜେପିି । ମଧ୍ୟପ୍ରଦେଶରେ ବିଜେପିର ବିଜୟ ଫଳରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ଚୌକି ନେଇ ନିଶ୍ଚିତ ରହିପାରିବେ । ସାମଗ୍ରିକ ଭାବେ ଉପନିର୍ବାଚନ ଫଳାଫଳ ବିଜେପି ପାଇଁ ମିଶ୍ରିତ ରହିଛି । କିନ୍ତୁ ଆସନ୍ତାବର୍ଷ ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ତା ପୂର୍ବରୁ ଲୋକସଭା ଓ ବିଧାନସଭା ଉପନିର୍ବାଚନ ଫଳାଫଳ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ହିମାଚଳ ପ୍ରଦେଶର ଉପନିର୍ବାଚନକୁ ତ ରାଜନୈତିକ ବିଶ୍ଲେଷକମାନେ ଆସନ୍ତାବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ସନ୍ଦର୍ଭରେ ସେମିଫାଇନାଲ୍ ମୁକାବିଲା ବୋଲି ଆଖ୍ୟା ଦେଇଥିଲେ । ଆଉ ଏହି ସେମିଫାଇନାଲରେ ବିଜେପିକୁ ମାତ୍ ଦେଇଛି ବିରୋଧୀ କଂଗ୍ରେସ । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜେପିର ଏହି ପରାଜୟ ପାଇଁ ଯଦି ଦରଦାମ ବୃଦ୍ଧିକୁ ଦାୟୀ କରିଛନ୍ତି, ତାହା ହେଲେ ଏହାର ଅର୍ଥ ଯେ, ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । କେବଳ ପେଟ୍ରୋଲ ଡିଜେଲ ନୁହେଁ , ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ପନିପରିବାର ଦରବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ । ଏହା ସ୍ପଷ୍ଟ ଯେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସଦ୍ୟ ସମାପ୍ତ ଉପନିର୍ବାଚନର ଫଳାଫଳକୁ ଅଣଦେଖା କରିପାରିବ ନାହିଁ । କାରଣ ଜନାଦେଶରେ ସାଧାରଣ ଜନତାଙ୍କ ଅଭିବ୍ୟକ୍ତି ଦୃଷ୍ଟିଗୋଚର ହୋଇଛି । ଏଠାରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠିବା ସ୍ୱାଭାବିକ ଯେ,କୃଷକ ଆନ୍ଦୋଳନ ଉପନିର୍ବାଚନର ଫଳାଫଳକୁ କେତେଦୂର ପ୍ରଭାବିତ କରିଛି ? ସାଧାରଣ ଲୋକଙ୍କ ମୌଳିକ ସମସ୍ୟାରୁ ଧ୍ୟାନ ହଟାଇବା ନିର୍ବାଚନରେ ମହଙ୍ଗା ସାବ୍ୟସ୍ତ ହୋଇପରେ ବୋଲି ଉପନିର୍ବାଚନ ଫଳାଫଳରୁ ସନ୍ଦେଶ ମିଳିଛି ବୋଲି କୁହାଯାଇପାରେ ।

( ଲେଖକ ଜଣେ ବରିଷ୍ଠ ସାମ୍ବାଦିକ )

Comments are closed.