ଶିଖିଲେ, ଏବେ ରୋଜଗାର କରିବେ କାରାଗାର ଅନ୍ତେବାସୀ

ଲେଖକ: ପ୍ରତିଭା ନେପାକ

ରାଜ୍ୟ ସରକାରଙ୍କ କାରାଗାର ସଂସ୍କାରର ସୁଫଳ ଏବେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଜେଲରେ ବନ୍ଦୀ ଜୀବନ ଏବେ ଶିକ୍ଷଣୀୟ ହୋଇପାରିଛି। କେବଳ ଖାଇବା, ନିତ୍ୟକର୍ମ ସାରିବା ଓ ଅଯଥାରେ ସମୟ ନଷ୍ଟ କରିବା ବଦଳରେ କାରାଗାର ଅନ୍ତେବାସୀ ଏବେ କିଛି ସାର୍ଥକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆରମ୍ଭ କରିଛନ୍ତି। ଫଳରେ କିଛି ନୂଆ ଜିନିଷ ତିଆରି କରିପାରୁଛନ୍ତି ଯାହାକୁ ବଜାରରେ ବିକ୍ରି କରି ସତମାର୍ଗରେ ତଥା ପରିଶ୍ରମ କରି ଅର୍ଥ ଉପାର୍ଜନର ପନ୍ଥା ହାସଲ କରିପାରିଛନ୍ତି ବହୁ କଏଦୀ। ଅନ୍ତେବାସୀଙ୍କୁ ଏଭଳି ସଂସ୍କାରମୂଳକ ମାର୍ଗର ବାଟ ବତାଇବାରେ ସକ୍ଷମ ହୋଇଛନ୍ତି ଛତ୍ରପୁର ସବ୍-ଜେଲ୍ କର୍ତ୍ତୃପକ୍ଷ। ପ୍ରଥମେ ତାଲିମ ଦେଲେ ଆଉ ଏବେ ସେମାନଙ୍କ ପ୍ରତିଭା, କୌଶଳର ବିନିଯୋଗ କରି ତିଆରି କରୁଛନ୍ତି ଝାଡୁ, ମିକ୍ସଚର୍, ଆଳୁ ଚିପ୍ସ ଓ ରଙ୍ଗବେରଙ୍ଗ ଚିତ୍ରିତ ମାଟିହାଣ୍ଡି। ଏଥିସହ ଜେଲ୍ ସଂସ୍କାରର ଆଉ ଏକ ଅଧ୍ୟାୟ ଲେଖିବାରେ ସଫଳ ହୋଇଛି ଛତ୍ରପୁର ଉପକାରାଗାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ।

କାରାଗାରର କଏଦୀ ରଙ୍ଗ ତୁଳୀ ଧରି ମାଟି ହାଣ୍ଡିରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କନ୍ତି, ତାହାକୁ ରଙ୍ଗୀନ ଓ ଆକର୍ଷଣୀୟ କରନ୍ତି। ସେହି ମାଟି ହାଣ୍ଡିରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଗୁଡ଼ ଭର୍ତ୍ତି କରାଯାଏ। ତାହାକୁ ଓରମାସ୍, ମିଶନ୍ ଶକ୍ତି ସହଯୋଗରେ ବଜାରରେ ବିକ୍ରି କରାଯାଏ। ହାଣ୍ଡି ପିଛା ୧୫ ଟଙ୍କା ପାଆନ୍ତି ଉପକାରାଗାରର ଚିତ୍ରକର। ଏ କ୍ଷେତ୍ରରେ ନେତୃତ୍ବ ନେଉଥିବା ଆର୍.ଚିତ୍ତରଞ୍ଜନ ଏ ମଧ୍ୟରେ ୮୦୦ ମାଟି ହାଣ୍ଡିକୁ ରଙ୍ଗୀନ କରିଲେଣି। କାମ ବଢୁଥିବାରୁ ସେ ଅନ୍ୟ ଅନ୍ତେବାସୀଙ୍କୁ ସାଥି କରି ଏହି କାମ କରିବାରେ ଲାଗିଲେଣି। ଅନ୍ୟ କଏଦୀମାନେ ମଧ୍ୟ ନିଜ ସମୟର ସଦ୍‌ବିନିଯୋଗ କରି ଆର୍ଥିକ ଲାଭ ପାଇବା ଆରମ୍ଭ କଲେଣି। ପୁଣି ଫୁଲ ଝାଡୁ ତିଆରି ପାଇଁ କଞ୍ଚାମାଲ ଜେଲ୍ ଅନ୍ତେବାସୀମାନଙ୍କୁ ଯୋଗାଇ ଦିଆଯିବ। ସେମାନେ ଝଡୁ ତିଆରି କଲେ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥାପିତ ଗୃହିଣୀ ପ୍ରଡକ୍ଟସ୍ ମାର୍କେଟିଂ ଲିମିଟେଡ୍ ଏହାକୁ ‘ଗଞ୍ଜାମ ହାଟ’ରେ ବିକ୍ରୀ କରିବ। ପ୍ରତି ଝାଡୁ ପିଛା କଏଦୀଙ୍କୁ ମିଳିବ ୭ ଟଙ୍କା । ବର୍ତ୍ତମାନ ୫୦୦ ଝାଡୁ ପ୍ରସ୍ତୁତି ପାଇଁ ଲକ୍ଷ୍ୟ ଦିଆଯାଇଥିବା ସୂଚନା ଦେଇଛନ୍ତି ସବ୍‌ଜେଲର ସସ୍ମିତା ବିଶ୍ଵାଳ। ଏଥିପାଇଁ ନିକଟରେ ପ୍ରାୟ ୫୦ କଏଦୀଙ୍କୁ ନେଇ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଆଳୁ ଚିପ୍ସ ଏବଂ ମିକ୍ସଚର ଜେଲ୍ କ୍ୟାଣ୍ଟିନରେ ବିକ୍ରି ଓ ବ୍ୟବହାର ଉଦ୍ଦେଶ୍ୟରେ ରଖାଯାଉଛି। ବର୍ତ୍ତମାନ ଅନ୍ୟ ଅନ୍ତେବାସୀ ମଧ୍ୟ ଏଭଳି କାର୍ଯ୍ୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ଅତୀତରେ ନିଜେ କରିଥିବା ଭୁଲ କର୍ମ ପାଇଁ ପଶ୍ଚାତାପ ସହ ଏବେ ବାଟ ବଦଳାଇ ସତ୍-ପନ୍ଥା ଅବଲମ୍ବନ କରି ସମୟ ବିତାଇବା ଓ ଅର୍ଥ ଉପାର୍ଜନ ଆରମ୍ଭ କରିଛନ୍ତି।

ଛତ୍ରପୁର ଉପକାରାଗାର ଜେଲ୍ ସଂସ୍କାର କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ନଜିର ସୃଷ୍ଟି କରିବାକୁ ଯାଉଛି। ଜିଲ୍ଲା ପ୍ରଶାସନ, ଓରମାସ୍, ମିଶନ୍ ଶକ୍ତି ସହଯୋଗରେ ଏଠିକାର ଅନ୍ତେବାସୀ ବିଭିନ୍ନ ହସ୍ତଶିଳ୍ପ ଶିକ୍ଷା ପାଇଛନ୍ତି। ଯଦି ବି କେହି ଜେଲର ୪ କାନ୍ଥରୁ ମୁକ୍ତି ପାଇଯାଏ, ତେବେ ବାହାର ଦୁନିଆରେ ମଧ୍ୟ ସେ ସାବଲମ୍ବୀ ଓ ସ୍ଵାଭିମାନୀ ଜୀବନ ଯାପନ କରିବାରେ କୌଣସି ସମସ୍ୟା ରହିବନି। ଜେଲରେ ବିଚାରାଧୀନ ବନ୍ଦୀଙ୍କ ନିକଟରେ ଏହି ପ୍ରକାର କୌଶଳ ଓ ଦକ୍ଷତାର ବିକାଶ କରି ସେଥିରୁ ସେମାନଙ୍କ ପାଇଁ ହିଁ ଅର୍ଥ ଉପାର୍ଜନର ବାଟ ଦେଖାଇଛନ୍ତି ସବଜେଲ ପ୍ରଶାସନ। ଜେଲ ଅନ୍ତେବାସୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ବିକ୍ରୀ ପାଇଁ ପ୍ରଶାସନ ଦାୟିତ୍ବ ନେବାର ପରିକଳ୍ପନା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଶ୍ଚିତ ଭାବେ ଏହି ପ୍ରୟୋଗ, ପରିକଳ୍ପନା ଜେଲ ସଂସ୍କାର କ୍ଷେତ୍ରରେ ଭିନ୍ନ ଏକ ଉଦାହରଣ ସାଜିବ ବୋଲି ଆଶା କରାଯାଇ ପାରେ।

Comments are closed.