୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍… ସାମଗ୍ରୀକ ବିକାଶର ଅନୁଭୂତି

ଲେଖକ: ପ୍ରତିଭା ନେପାକ

ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ହାଇସ୍କୁଲ ଶିକ୍ଷାରେ କୌଣସି ଫରକ ରହିବନି। ସହରାଞ୍ଚଳର ବଡ଼ ବଡ଼ ଘରୋଇ ଇଂରାଜୀ କିମ୍ବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ କୌଣସି ଗୁଣରେ କମ୍ ହେବନି ଉପାନ୍ତ ଗ୍ରାମାଞ୍ଚଳର ଉଚ୍ଚବିଦ୍ୟାଳୟ। ମଫସଲ ଅଞ୍ଚଳର ଛାତ୍ରଛାତ୍ରୀ ବି ପାଇବେ ଯୁଗପଯୋଗୀ ଶିକ୍ଷା, ତା ପୁଣି ଅତ୍ୟାଧୁନିକ ସୁବିଧା ସୁଯୋଗ ସହ। କମ୍ପ୍ୟୁଟର ଲ୍ୟାବ୍ ହେଉ କି ସମସ୍ତ ସାଜସରଞ୍ଜାମ ସମ୍ବଳିତ ଅତ୍ୟାଧୁନିକ ବିଜ୍ଞାନାଗାର, ଗାଁର ଛାତ୍ରଛାତ୍ରୀଙ୍କୁ ବି ମିଳିବ ଅଡିଓ-ଭିଜୁଆଲ ମାଧ୍ୟମରେ ଡିଜିଟାଲ୍ ଶିକ୍ଷା। ଆଉ ସ୍ମାର୍ଟ କ୍ଲାସ୍ ଓ ଇ-ଲାଇବ୍ରେରୀରେ ବସି ସେମାନେ ପଲ୍ଲୀରୁ ଦିଲ୍ଲୀ, ଗାଁରୁ ବିଶ୍ୱ ପର୍ଯ୍ୟନ୍ତ ଜ୍ଞାନ ଆହରଣ କରିପାରିବେ। ଗାଁରେ ରହି ମଧ୍ୟ ସେମାନଙ୍କ ଜ୍ଞାନ ରାଜ୍ୟ ଓ ଦେଶର ସୀମା ପାର କରି ସାରା ବିଶ୍ୱ ପର୍ଯ୍ୟନ୍ତ ପ୍ରସାର ହୋଇପାରିବ। ଏହା ବିଦ୍ୟାର୍ଥୀଙ୍କୁ ସ୍ମାର୍ଟ କରିବ, ସେମାନଙ୍କୁ ଆଗାମୀ ଦିନର ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ଏବେଠୁ ପ୍ରସ୍ତୁତ କରି ତୋଳିବ। ଏଭଳି କିଛି ଉଚ୍ଚାକାଂକ୍ଷା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମର ଲୋକାର୍ପଣ ପର୍ବ ଆରମ୍ଭ କରିଛନ୍ତି।

କେବଳ ପୋଥିଗତ ଶିକ୍ଷାରେ ସୀମିତ ରହିବନି ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟ। ସେମାନେ ଇଣ୍ଟରନେଟ୍ ଜରିଆରେ ଦୁନିଆ ଯାକର ଜ୍ଞାନ ଆହରଣ ସୁଯୋଗ ପାଇପାରିବେ। କମ୍ପ୍ୟୁଟର୍ ଚାଳନାରେ ପାରଙ୍ଗମ ହେବେ। ମଧୁ ଆପ୍ ହେଉ ବା ଦୀକ୍ଷା ଆପ୍, ସମସ୍ତ ଶିକ୍ଷା ସମ୍ବନ୍ଧୀୟ ଜ୍ଞାନକୌଶଳକୁ ଉପଯୋଗୀ କରାଇବେ। ତା ସହ ବିଜ୍ଞାନାଗାରରେ ନିଜେ ପ୍ରାକ୍ଟିକାଲ୍ ବା ଗବେଷଣା କରି ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ। ଦିନ ଥିଲା କେବଳ ଶ୍ରେଣୀରେ ଶୁଣି ଶୁଣି ବା ବହିରେ ଚିତ୍ର ଦେଖି ଅଧ୍ୟୟନ କରି ଯେତେବେଳେ ଦଶମ ଶ୍ରେଣୀ ପାସ୍ ପରେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ପାଦ ଦେଉଥିଲେ, ସେମାନେ କଲେଜ ଶିକ୍ଷାର କୂଳଥଳ ଧରିବାରେ ଅନେକ ସମୟରେ ଅସମର୍ଥ ହେଉଥିଲେ। କଲେଜ ଶିକ୍ଷା ସେମାନଙ୍କୁ ନୂଆ ଲାଗୁଥିଲା। ଗ୍ରାମାଞ୍ଚଳରେ ଏମିତି ବି ଅନେକ ବିଦ୍ୟାର୍ଥୀ ରହୁଥିଲେ ଯେଉଁମାନେ ସାଇନ୍ସ ଲ୍ୟାବ୍ ପ୍ରଥମ ଥର ଦେଖୁଥିଲେ। ହେଲେ ଏବେ ସେସବୁ ସେମାନଙ୍କ ହାତ ପାଆନ୍ତାରେ ରହିବ। ହାଇସ୍କୁଲରୁ ହିଁ ଏତେ ଉନ୍ନତ ଶିକ୍ଷା ସେମାନେ ପାଇପାରିବେ ଯେ ଯୁକ୍ତ ଦୁଇ ବା କଲେଜ ଶିକ୍ଷା ସେମାନଙ୍କ ପାଇଁ ସହଜବୋଧ ହୋଇପାରିବ। ଏହାବାଦେ କ୍ରୀଡ଼ା କ୍ଷେତ୍ର ହେଉ ବା ବିଦ୍ୟାଳୟର ସୁନ୍ଦର ଓ ସବୁଜ ପରିବେଶ, ଉନ୍ନତ ଶୌଚାଳୟ ସାଙ୍ଗକୁ ବିଶୁଦ୍ଧ ପାନୀୟ ଜଳ ସେମାନଙ୍କୁ ଏତେ ଦକ୍ଷ ଓ ସ୍ମାର୍ଟ କରିବ ଯେ ଯେତେବେଳେ ବି ସେମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ୟ ତଥାକଥିତ ସହରର ଘରୋଇ ଇଂରାଜୀ ବା ଓଡ଼ିଆ ମାଧ୍ୟମ ସ୍କୁଲର ବିଦ୍ୟାର୍ଥୀଙ୍କ ସହ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇବେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ରହିଥିବ। ସେମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳର ପୂର୍ବ ଭଳି ପଛୁଆ ପଣ ତିଳେ ହେଁ ରହିନଥିବ।

ଆଉ ଏକ କଥା ଲକ୍ଷ୍ୟ କରିବାର ଯେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ଏହି ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ଚଳିତ ବର୍ଷ ହିଁ ସାରା ରାଜ୍ୟର ପ୍ରାୟ ୧୦୦୦ ହାଇସ୍କୁଲ ଏହି ଧାରାରେ ସାମିଲ ହୋଇପାରିବେ। ଆଗାମୀ ୩ ବର୍ଷରେ ରାଜ୍ୟର ପ୍ରାୟ ୫୦୦୦ରୁ ଅଧିକ ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟାରେ ଉନ୍ନତ, ଆଧୁନିକ, ଯୁଗପଯୋଗୀ ଶିକ୍ଷାୟତନ ରୂପେ ଗଢ଼ି ଉଠିବ। ହିଞ୍ଜିଳି ନିର୍ବାଚନମଣ୍ଡଳୀର ସମସ୍ତ ୫୦ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ସାରା ରାଜ୍ୟର ଉଚ୍ଚବିଦ୍ୟାଳୟର କାୟାକଳ୍ପ ପରିବର୍ତ୍ତନ ପାଇଁ ମାର୍ଗଦର୍ଶନ ସାଜିବ। କେବଳ ଗୋଟିଏ ନିର୍ବାଚନମଣ୍ଡଳୀ ବା ଦୁଇଟି ବ୍ଲକରେ ସୀମିତ ନରହି ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ସ୍ମାର୍ଟ ସ୍କୁଲର ସୁବିଧା ସୁଯୋଗ ପାଇ ନିଜକୁ ଦକ୍ଷ ଓ ଯୋଗ୍ୟ ବିଦ୍ୟାର୍ଥୀରେ ପରିଣତ କରିପାରିବେ। ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟି ହିଁ ଓଡ଼ିଶାର ହାଇସ୍କୁଲ ଶିକ୍ଷାକୁ ସାରା ଦେଶରେ ରୋଲ୍ ମଡେଲ୍ କରିପାରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମଗ୍ରୀକ ବିକାଶର ଚିନ୍ତାଧାରା ଏତେ ସଶକ୍ତ ଓ ବ୍ୟାପକ ଯେ ସେ ବେଶ୍ ଚିନ୍ତା କରି ବିସ୍ତୃତ ବିଚାରବିମର୍ଷ ପରେ ରାଜ୍ୟର ବିଧାୟକମାନଙ୍କୁ ଏହି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଲୋକାର୍ପଣ ପର୍ବର ପ୍ରତ୍ୟକ୍ଷଦର୍ଶୀ ହେବାକୁ ସୁଯୋଗ ଆଣି ଦେଇଛନ୍ତି। ହିଞ୍ଜିଳି ଓ ଶେରଗଡ଼ ବ୍ଲକର ହାଇସ୍କୁଲଗୁଡ଼ିକୁ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସାଙ୍ଗରେ ଆଲୋଚନାପୂର୍ବକ ବିଧାୟକମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିବେ ତାହାକୁ ଆଧାର କରି ନିଜ ନିଜ ନିର୍ବାଚନମଣ୍ଡଳୀରେ ତାହାର ପ୍ରୟୋଗ କରିବେ। ନିଜ ନିଜ ଅଞ୍ଚଳର ସହର ଓ ଗାଁରେ ଏଭଳି ଉନ୍ନତ, ସ୍ମାର୍ଟ ଓ ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଯୋଜନାକୁ ବାସ୍ତବ ରୂପ ଦେଇପାରିବେ। ଫଳରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀ ଏକ ସମାନ ଢଙ୍ଗରେ ଉନ୍ନତ ଶିକ୍ଷାର ହିତାଧିକାରୀ ସାଜିପାରିବେ।

Comments are closed.