ପଶ୍ଚିମରେ ପ୍ରଗତିର ନବୀନ ସ୍ବାକ୍ଷର

ଆଞ୍ଚଳିକ ବୈଷମ୍ୟ ଦୂରୀକରଣର ଶୀର୍ଷ ସୋପାନରେ ପଶ୍ଚିମ ଓଡ଼ିଶା

ସମ୍ବଲପୁର : ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ଏବଂ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଆକାଶ ପାତାଳର ଫରକ । ଦିନେ ଦାରିଦ୍ର୍ୟର ଅପବାଦ ମୁଣ୍ଡାଇ ଚାଲିଥିବା ଓଡ଼ିଶା ଏବେ ବିକାଶର ନୂଆଁ ପରିଭାଷାର ବାର୍ତ୍ତାବହ ସାଜି ପାରିଛି । ଏହାର ବିକାଶ ଧାରା ସାରା ଦେଶ ପାଇଁ ଅନୁକରଣୀୟ ହୋଇପାରିଛି । ଆଉ ଏହି ଏହି ବିକାଶର ବିନ୍ଧାଣୀ ସାଜି ସାରା ଦେଶର ରାଷ୍ଟ୍ରନୀତିଜ୍ଞ ତଥା ରାଜନେତାଙ୍କ ପାଇଁ ଆଦର୍ଶ ସାଜି ପାରିଛନ୍ତି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ଦୀର୍ଘ ଦଶନ୍ଧି ଧରି ବିକାଶ କ୍ଷେତ୍ରରେ ପଛୁଆ ପଡ଼ିବା ଯୋଗୁଁ ପଶ୍ଚିମ ଓଡ଼ିଶାରେ ମୁଣ୍ଡ ଟେକିଥିବା ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ନଦୀନ ବାବୁ ଅନେକ ମାତ୍ରାରେ ସଫଳ ହୋଇପାରିଛନ୍ତି । ତାଙ୍କ ଦୁଇ ଦଶନ୍ଧିର ଶାସନ କାଳରେ ପଶ୍ଚିମ ଓଡ଼ିଶାରେ ହୋଇଥିବା ବିକାଶର ତାଲିବା ଏତେ ଲମ୍ବା ହୋଇଛି ଯେ , ଏହାର ବର୍ଣନା ବି ସମ୍ଭବପର ନୁହେଁ । ତାଙ୍କ ପବିତ୍ର ଜନ୍ମଦିବସ ଅବସରରେ ପଶ୍ଚିମ ଓଡ଼ିଶାରେ ବିକାଶର କିଛି ଉଲ୍ଲେଖନୀୟ ସ୍ବାକ୍ଷରକୁ ନେଇ ସତନ୍ତ୍ର ଉପସ୍ଥାପନା…

ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାର ପଶ୍ଚିମ ପ୍ରାନ୍ତ ବିକାଶ କ୍ଷେତ୍ରରେ ଅବହେଳିତ ହୋଇ ଆସିଥିଲା । ଏହାର କାରଣ ସରୂପ , ପଶ୍ଚିମ ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟ ଦିନକୁ ଦିନ ଚିନ୍ତାର ବିଷୟ ଭାବେ ପ୍ରତିଟି ଲୋକଙ୍କ ମଧ୍ୟରେ ବସା ବାନ୍ଧୁଥିଲା । ବଲାଙ୍ଗୀର ଜିଲ୍ଲାର ଫାନସ ପୁଞ୍ଜି ଭଳି ଶିଶୁ ବିକ୍ରି ଅପବାଦ ରାଜୀବ ଗାନ୍ଧୀ ସରକାରଙ୍କୁ ବି ଦୋହଲାଇ ଦେଇଥିଲା । ଦାରିଦ୍ର୍ୟ , ଦାଦନ , ଅନାହାର , ଅପପୃଷ୍ଟି ଭଳି ଅପବାଦ ମୁଣ୍ଡାଇ ଚାଲିଥିଲା ଏହି ଇଲାକା । ତେବେ , ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖମନ୍ତ୍ରୀତ୍ବ ସମୟରେ ଏହି ଅଞ୍ଚଳ ପାଇଁ ଅନେକ ବିକାଶମୂଳକ ପଦକ୍ଷେପ ହାତକୁ ନିଆଯାଇଥିଲା । ହେଲେ ତାଙ୍କ ପରେ କଂଗ୍ରେସ କ୍ଷମତାକୁ ଆସିବା ପରେ ପୁଣି ପଶ୍ଚିମ ଓଡ଼ିଶା ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଆସିଥିଲା । କିନ୍ତୁ , ଗତ ୨୦୦୦ ମସିହା ପରଠାରୁ ପଶ୍ଚିମ ଓଡ଼ିଶା ପାଇଁ ନୂତନ ସୂର୍ଯ୍ୟର ଉଦୟ ପରି ବିକାଶର ନୂଆ ଯାତ୍ରା ଆରମ୍ଭ ହୋଇଥିଲା ବିଜୁ ବାବୁଙ୍କ ସୁପୁତ୍ର ନବୀନ ବାବୁଙ୍କ ହାତରେ । ଆଉ ଏହି ଦୁଇ ଦଶନ୍ଧି ମଧ୍ୟରେ ଏହି ଯାତ୍ରା ବିକାଶର ନୂଆ ଦିଗନ୍ତ ସୃଷ୍ଟି କରିସାରିଛି । କୃଷି , ଶିକ୍ଷା , ସ୍ୱାସ୍ଥ୍ୟ , ଜଳସେଚନ , ପର୍ଯ୍ୟଟନ , ଗମନାଗମନ ଆଦି ପ୍ରତିଟି କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ବିକାଶ ଏକ ନୂଆ ଇତିହାସ ସୃଷ୍ଟି କରିପାରିଛି ।

ଶିକ୍ଷା-:

ଏହି ଦୁଇ ଦଶନ୍ଧି ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିଛି । କେନ୍ଦ୍ରର ସବୁ ଅବହେଳା ସତ୍ତ୍ବେ ନବୀନ ବାବୁଙ୍କ ଉଦ୍ୟମରେ ଆଜି ପଶ୍ଚିମ ଓଡ଼ିଶାରେ ଅନେକ କେନ୍ଦ୍ରୀୟ ପ୍ରତିଷ୍ଠାନ ସ୍ଥାପିତ ହୋଇପାରିଛି । ଏପରିକି ରାଜରକେଲାର ରେଜିଓନାଲ୍ ଇଞ୍ଜିନିଅରିଂ କଲେଜ ( ଆର୍‌ଇସି ) କୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ( ଏନ୍‌ଆଇଟି ) ରେ ଉନ୍ନୀତ କରିବାରେ ନବୀନ ବାବୁଙ୍କ ଭୂମିକାକୁ କେହି ଭୁଲି ପାରିବେ ନାହିଁ । ସେହିପରି କେନ୍ଦ୍ର ସବୁ ଚାଲକୁ ଫସର ଫଟାଇ ସମ୍ବଲପୁରରେ ଆଇଆଇଏମ୍‌ ପ୍ରତିଷ୍ଠା ସହିତ ବରଗଡ଼ରେ ଜାତୀୟ ହସ୍ତତନ୍ତ୍ର ତାଲିମ ପ୍ରତିଷ୍ଠାନ ( ଏନ୍‌ଆଇଏଚ୍‌ଟି ) ପ୍ରତିଷ୍ଠା ନବୀନ ପଟ୍ଟନାୟକଙ୍କ ଅନ୍ୟତମ ପ୍ରମୁଖ ଉପଲବ୍ଧି । ଏହାବାଦ୍ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ମହାବିଦ୍ୟାଳୟ ସମ୍ବଲପୁରର ଜିଏମ୍ କଲେଜ ସମେତ ବଲାଙ୍ଗୀରର ରାଜେନ୍ଦ୍ର କଲେଜ ଏବଂ ଭବାନୀପାଟଣା କଲେଜକୁ ଇତିମଧ୍ୟରେ ଏକକ ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ କରିସାରିଛନ୍ତି । ସେହିପରି ବୁର୍ଲା ସ୍ଥିତ ୟୁନିଭର୍ସିଟି କଲେଜ ଅଫ୍‌ ଇଞ୍ଜିନିଅରିଂ ( ୟୁସିଇ ) କୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପରିଣତ କରି ନବୀନ ବାବୁ ଏହି ଭୂଖଣ୍ଡରେ ଶିକ୍ଷାର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରମାଣ ଦେଖାଇ ସାରିଛନ୍ତି । ଏହାଛଡ଼ା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ପଶ୍ଚିମ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶହ ଶହ କୋଟି ଟଙ୍କା ବ୍ୟୟ କରି ଏକ ଆକର୍ଷଣୀୟ କ୍ୟାମ୍ପସ୍ ସୃଷ୍ଟି କରିସାରିଛନ୍ତି । ଆଉ ବର୍ତମାନ ୫ଟି ଉପକ୍ରମରେ ରାଜ୍ୟର ଗୋଟିଏ ପରେ ଗୋଟିଏ କରି ପଶ୍ଚିମ ଓଡ଼ିଶାର ଶତାଧିକ ସରକାରୀ ହାଇସ୍କୁଲର ରୂପାନ୍ତରଣ ହୋଇ ଆଭିଜାତ୍ୟପୂର୍ଣ ଘରୋଇ ସ୍କୁଲର ଭିତ୍ତିଭୂମି ଠାରୁ ବି ଅଧିକ ଚମକି ଉଠୁଛି । ଏହାବାଦ୍ ମଧ୍ୟାହ୍ନ ଭୋଜନ , ମୋ ସାଇକେଲ ଯୋଜନାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ପର୍ଯ୍ୟନ୍ତ ଯୋଗାଇବାର ଦାୟିତ୍ବ ନବୀନ ବାବୁ ଉଠାଇ ଚାଲିଛନ୍ତି ।

ସ୍ବାସ୍ଥ୍ୟ-:

ଗତ ଦୁଇ ଦଶନ୍ଧି ମଧ୍ୟରେ ପଶ୍ଚିମ ଓଡ଼ିଶାର ସାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଆଜି ଲୋକଙ୍କୁ ଆଶ୍ବସ୍ତି ଦେଇଛି । ପଶ୍ଚିମ ଓଡ଼ିଶାର ସାସ୍ଥ୍ୟସେବାର ପ୍ରମୁଖ କେନ୍ଦ୍ର କୁହାଯାଉଥିବା ବୁର୍ଲା ମେଡିକାଲକୁ ସ୍ବୟଂଶାସିତ ମାନ୍ୟତା କରି ଭିମସାରରେ ରୂପାନ୍ତରିତ କରା ଯାଇଛି । ଆଉ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିପୁଳ ଅର୍ଥ ବିନିଯୋଗ କରାଯାଉଛି । ଏହାବାଦ୍ ବଲାଙ୍ଗୀରରେ ଭୀମ ଭୋଇ ମେଡିକାଲ କଲେଜ ସ୍ଥାପନ ସହିତ ଭବାନୀପାଟଣାରେ ମେଡିକାଲ କଲେଜ ସ୍ଥାପନ , ଝାରସୁଗୁଡ଼ାରେ କ୍ୟାନସର ଏବଂ ହୃଦରୋଗ ହସପିଟାଲ ସ୍ଥାପନ ନବୀନଙ୍କ ଅନ୍ୟତମ ଉପଲବ୍ଧି । ସେହିପରି ବରଗଡ଼ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଇ ଏକ ସତନ୍ତ୍ର କ୍ୟାନସର୍‌ ହସିପିଟାଲ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ , କରୋନା ମହାମାରୀ ସମୟରେ ମାତ୍ର ମାସ କେଇଟା ମଧ୍ୟରେ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ବିରାଟ ଭିତ୍ତିଭୂମି ଛିଡ଼ା କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବାରେ ନବୀନ ସଫଳ ହୋଇଛନ୍ତି । ଆଉ ବର୍ତ୍ତମାନ ବିଏସ୍‌କେଓ୍ବାଇ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ଏହି ସରକାରର ଏକ ଅନ୍ୟତମ ମାଇଲଷ୍ଟୋନ୍ ଭାବେ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଛି ।

ଜଳସେଚନ -:

ପଶ୍ଚିମ ଓଡ଼ିଶାର ଅର୍ଥନୀତି ସଂପୂର୍ଣ ଭାବେ କୃଷିଭିତ୍ତିକ । ହେଲେ ଜଳସେଚନ କ୍ଷେତ୍ରରେ ୨ ଦଶନ୍ଧି ପୂର୍ବରୁ ରହି ଆସିଥିବା ସମସ୍ୟା ଅନେକ ମାତ୍ରାରେ ଇତିମଧ୍ୟରେ ଦୂର ହୋଇସାରିଛି । ନବୀନ ବାବୁ ସବୁ ବେଳେ କୃଷି ଏବଂ କୃଷକଙ୍କ ପ୍ରତି ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଇ ଆସିଛନ୍ତି । ଏପରିକି କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଠାରୁ ଅଧିକ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରି ଲକଡାଇନ୍ ବେଳେ ବିରାଟ ଆଶ୍ୱସ୍ତି ଦେଇଛନ୍ତି । ତେବେ , କୃଷି କ୍ଷେତ୍ର ପ୍ରତି ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି ଏହି ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହୋଇଥିବା ଶତାଧିକ ଜଳସେଚନ ପ୍ରକଳ୍ପ । ସେଗୁଡିକ ମଧ୍ୟରୁ ଚିର ମରୁଡିଗ୍ରସ୍ତ ନୂଆପଡା ଜିଲ୍ଲାର ଜଳସେଚନ ପାଇଁ ଉଦ୍ଧିଷ୍ଟ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି , ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭାତହାଣ୍ଡିରେ ପରିଣତ ହୋଇପାରିଛି । ସେହିପରି ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଏବଂ ଗଂଗାଧର ସେଚ ପ୍ରକଳ୍ପ ନବୀନ ବାବୁଙ୍କ ଆଉ ଏକ ପ୍ରତିବଦ୍ଧତାର ପ୍ରମାଣ ବୋଲି କୁହାଯାଇଛି । ଏହାଛଡା ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଉପଖଣ୍ଡକୁ ଜଳସେଚିତ କରିବାକୁ ରୁକୁରା ଡ୍ୟାମ୍ ପ୍ରକଳ୍ପ ସେହି ଅଂଚଳ ପାଇଁ ବର୍ତ୍ତମାନ ବରଦାନ ସାବ୍ୟସ୍ତ ହୋଇଛି । ଖାଲି ସେତିକି ନୁହେଁ , ଦୀର୍ଘ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ପଡି ରହିଥିବା ବରଗଡ଼ ଏବଂ ଶାସନ କେନାଲର ଉନ୍ନତି ପାଇଁ ଗତ ୨୦୦୮ ମସିହାରେ ନବୀନ ବାବୁ ୨୦୦ କୋଟି ଟଙ୍କା ଦେଇଥିବା ବେଳେ ଏହାର ସଂପୂର୍ଣ ନବୀକରଣ ପାଇଁ ବର୍ତ୍ତମାନ ୩୬୦ କୋଟି ମଞ୍ଜୁର କରିସାରିଛନ୍ତି ।

ଗମନାଗମନ-:

ଗମନାଗମନକୁ ସବୁ ବେଳେ ବିକାଶର ପ୍ରମୁଖ ଆଧାର ବୋଲି କୁହାଯାଇଥାଏ । ଏହି ପରିପ୍ରେକ୍ଷୀରେ ଦଶନ୍ଧି ଦଶନ୍ଧି ଧରି ଅପହଞ୍ଚ ଇଲାକା ଭାବେ ପରିଣତ ଥିବା ଅନେକ ଅଞ୍ଚକ ଏହି ଦୁଇ ଦଶନ୍ଧି ମଧ୍ୟରେ ହାତ ପାଆନ୍ତାରେ । ଏହି ଦୁଇ ଦଶନ୍ଧି ମଧ୍ୟରେ ହଜାର ହଜାର ରାସ୍ତା ପ୍ରକଳ୍ପ ସମେତ ପୋଲ ନିର୍ମାଣ ହୋଇସାରିଛି । ସେଥି ମଧ୍ୟରେ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ସଂଯୋଗ କରୁଥିବା ଇବ ନଦୀର ରମ୍ପେଲା ସେତୁ , ଝାରସୁଗୁଡା ଏବଂ ବରଗଡ଼ ଜିଲ୍ଲାର ସୀମାନ୍ତକୁ ଯୋଡୁଥିବା ମହାନଦୀର ମହୁଲପାଲି ସେତୁ , ସମ୍ବଲପୁର ସହରରୁ ଚାଉଁରପୁର ପଟକୁ ଯୋଡୁଥିବା ଚାଉଁରପୁର ସେତୁ , ସମ୍ବଲପୁରରେ ଦ୍ଵିତୀୟ ଫ୍ଲାଏଓଭର ଏବଂ ଦୀର୍ଘ ୭ ଦଶନ୍ଧି ଧରି ଦ୍ବୀପ ମଧ୍ୟରେ ରହି ଜନବନ୍ଦୀ ଯନ୍ତ୍ରଣା ଭୋଗୁଥିବା ସମ୍ବଲପୁର ଜିଲ୍ଲାର କୁଦଗୁଣ୍ଟେରପୂରକୁ ସେତୁ ସଂଯୋଗ ଏହି ସରକାରର ଅନ୍ୟତମ ଉପଲବ୍ଧି । ଏହବାଦ , ବେଲପାହାଡ ଫ୍ଲାଏଓଭର ସାଙ୍ଗକୁ ସମ୍ବଲପୁର- ରାଉରକେଲା ବିଜୁ ଏକ୍ସପ୍ରେସ୍ , ବଗଗଡ଼ ନୂଆପଡ଼ାକୁ ବିଜୁ ଏକ୍ସପ୍ରେସ୍ ଓ୍ବେ ଭଳି ବହୁ ପ୍ରକଳ୍ପ ସମଗ୍ର ପଶ୍ଚିମ ଓଡ଼ିଶାର ଉନ୍ନତିର ପ୍ରମୁଖ ଆଧାର ଭାବେ ବିବେଚନା କରାଯାଉଛି ।

File Photo

ପର୍ଯ୍ୟଟନ-:

ଏହି ସରକାର ଅମଳରେ ପର୍ଯ୍ୟଟନର ବିକାଶକୁ ଅନ୍ୟତମ ଗୁରୁତ୍ବପୂର୍ଣ ଦିଗ ଭାବେ ଗ୍ରହଣ କରାଯାଇଛି । ଏ ଦିଗରେ ହୀରାକୁଦ ବନ୍ଧ ଏବଂ ଏହାର ସଂଲଗ୍ନ ଅଞ୍ଚଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଣତ କରିବାକୁ ସରକାର ଅଣ୍ଟା ଭିଡିସାରିଛନ୍ତି । ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମାଁ ସମଲେଇଙ୍କ କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର ସମଲେଇ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ହରିଶଙ୍କର ଏବଂ ନୃସିଂହନାଥକୁ ନେଇ ଏକ ପର୍ଯ୍ୟଟନ ହବ୍ କରିବା ସହିତ ସମଗ୍ର ପଶ୍ଚିମ ଓଡିଶାକୁ ଏକ ପର୍ଯ୍ୟଟନର ପ୍ରବେଶ ପଥ ଭାବେ ଗଢି ତୋଳିବାକୁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିସାରିଛନ୍ତି । ଏହାବାଦ୍ ସରକାର ସମସ୍ତ ଜିଲ୍ଲାରେ ଥିବା ପର୍ଯ୍ୟଟନ ପୀଠର ବିକାଶ ପାଇଁ ବିପୁଳ ଅର୍ଥବରାଦ କରି ରୂପରେଖରେ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି । ଏହାଦ୍ଵାରା ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି ।

କେନ୍ଦୁପତ୍ର ଓ ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ଯୋଜନା-:

ପଶ୍ଚିମ ଓଡିଶାର ଅର୍ଥନୀତିକୁ କୃଷି ବ୍ୟତୀତ କେନ୍ଦୁପତ୍ର ଏବଂ ହସ୍ତତନ୍ତ ମଧ୍ୟ ଅନେକ ମାତ୍ରାରେ ନିୟନ୍ତ୍ରିତ କରି ଆସିଛି । ରାଜ୍ୟ ସରକାର ସବୁ ବେଳେ ଏହି ଦୁଇଟି କ୍ଷେତ୍ରରେ ନିଯୋଜିତ ପରିବାରର ଆର୍ଥିକ ଏବଂ ସାମାଜିକ ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ହାତକୁ ନେଇଛନ୍ତି । ଏମାନଙ୍କ ଶିକ୍ଷା , ସ୍ବାସ୍ଥ୍ୟରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ କେନ୍ଦ୍ର ସରକାର ଏହି ଦୁଇଟି କ୍ଷେତ୍ରରେ ଜିଏସ୍‌ଟି ଲାଗୁ କରି ଲକ୍ଷ ଲକ୍ଷ ପରିବାରର ପେଟରେ ଲାତ ମାରୁଥିବା ଅଭିଯୋଗ ହୋଇଆସୁଛି । ମୋଟ ଉପରେ କହିବାକୁ ଗଲେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ସେବା ଉଦ୍ଦେଶ୍ୟରେ ମମତାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ କରି ଆସୁଥିବା ନବୀନଙ୍କ ହାତରେ ହୋଇଥିବା ବିକାଶର ତାଲିକା ଉଲ୍ଲେଖ କରିବା ନିହାତି ଭାବେ ଏକ କାଠିକର ପାଠ । ହେଲେ ଗୋଟିଏ କଥା ସ୍ପଷ୍ଟ ଯେ , ପଶ୍ଚିମ ଓଡିଶା ପ୍ରତି ନବୀନ ବାବୁ ତାଙ୍କ ଭଲ ପାଇବାର ନିଦର୍ଶନ ତାଙ୍କ ଦ୍ୱାରା ହୋଇଥିବା ବିକାଶର ତାଲିକା ହିଁ ବୟାନ କରୁଛି । ଜନ୍ମଦିନରେ ଏହି ରାଷ୍ଟ୍ରନାୟକଙ୍କୁ ଅଜସ୍ର ଅଭିନନ୍ଦନ ।

Comments are closed.