ମା’ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଯାତ୍ରା

ଛତ୍ରପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଜାରି ରହିଛି। ଦ୍ବିତୀୟ ଦିନ ସୋମବାର ସକାଳେ ଜଳପୂର୍ଣ୍ଣ କଳସ ଯାତ୍ରା ସମ୍ପନ୍ନ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରୁଷିକୁଲ୍ୟା ନଦୀର କଂସାରୀ ଗଣ୍ଡରୁ ନିଜ ମୁଣ୍ଡରେ ଜଳପୂର୍ଣ୍ଣ ସୁସଜ୍ଜିତ କଳସ ଧରି ପାହାଚ ଚଢ଼ି ସମସ୍ତଙ୍କ ଗହଣରେ ମନ୍ଦିର ନିକଟକୁ ଆସିଥିଲେ। ଏଥିସହ ଆଜି ଯଜ୍ଞାରମ୍ଭ, ବ୍ରାହ୍ମଣବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର ଓ ପୂଜା ହୋମ ରୀତିନୀତି ସମ୍ପନ୍ନ ହେଉଛି। ମନ୍ଦିରର ମୁଖ୍ୟ ପୂଜକ ବାପୁଜୀ ରଣାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା , ତହସିଲଦାର ନୀତିଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥି ରବିବାରରୁ ଆରମ୍ଭ ହୋଇଛି ଏହି ଆଧ୍ୟାତ୍ମିକ ମହୋତ୍ସବ ଯାହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ରବିବାରରେ ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ ହୋଇଥିବା ବେଳେ ମଙ୍ଗଳବାର ସୂର୍ଯ୍ୟ ପୂଜା, ଗୋପୂଜା, ଚଣ୍ଡିପାଠ, ମହାରୁଦ୍ରାଭିଷେକ, ଧ୍ଵଜ ଓ ତ୍ରିଶୂଳ ସ୍ଥାପନ, ପାର୍ଶ୍ଵ ଦେବାଦେବୀଙ୍କ ସପ୍ତାଧିବାସ ଓ ଧାନ୍ୟାଧିବାସ ସମ୍ପନ୍ନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ ତାରିଖ ବୁଧବାର ଦିନ ଦେବୀଙ୍କ ଏହି ପବିତ୍ର କାର୍ଯ୍ୟରେ ସାମିଲ ହେବେ। ଆଦିଶକ୍ତି ମା’ ତାରାତାରିଣୀଙ୍କ ଏହି ସମାରୋହରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଭକ୍ତଙ୍କ ସମାଗମ ହେଉଛି।

Comments are closed.