ଦେଶକୁ ଦେଶ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ୍, ୧୪ଟି ଦେଶରେ ମିଳିଲାଣି ମାମଲା

ନୂଆଦିଲ୍ଲୀ: କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ଦେଶକୁ ଦେଶ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | କରୋନାର ଅନ୍ୟ ଷ୍ଟ୍ରେନ୍ ଅପେକ୍ଷା ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଥିବା ଏହି ଭାରିଆଣ୍ଟ ଏବେ ପ୍ରାୟ ୧୪ଟି ଦେଶକୁ ବ୍ୟାପିଲାଣି। ଓମିକ୍ରନ୍ ଭୟ ଯୋଗୁଁ ଅନେକ ଦେଶ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି | ଡେଲଟା ଭାରିଆଣ୍ଟର ତାଣ୍ଡବ ବିଶ୍ଵ ଦେଖିଥିଲା | ଏବେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସବୁ ଦେଶ ସଜାଗ ରହିଛନ୍ତି । ଆମେରିକା ସରକାରଙ୍କ ବରିଷ୍ଠ ଚିକିତ୍ସା ପରାମର୍ଶଦାତା ଆନ୍ଥୋନି ଫୌସି ଭାଇରସର ନୂଆ ପ୍ରଜାତି ଭୟଙ୍କର ସ୍ଥିତି ସୃଷ୍ଟି କରିବାର କ୍ଷମତା ରଖିଛି ବୋଲି ଚେତାଇଛନ୍ତି ।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ଖୁବ୍ ଶୀଘ୍ର ଏହି ଷ୍ଟ୍ରେନ୍ ୧୪ଟି ଦେଶକୁ ବ୍ୟାପିଗଲାଣି | କରୋନା ଟିକାର ଉଭୟ ଡୋଜ ନେଇଥିବା ଲୋକ ବି ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହେଉଛନ୍ତି |

ଜର୍ମାନୀ, ଇଟାଲୀ, ବେଲଜିୟମ, ଇସ୍ରାଏଲ୍ ଏବଂ ହଂକଂରେ ଓମିକ୍ରନ୍ ଭାରିଆଣ୍ଟ ଭାଇରସର ମାମଲା ମଧ୍ୟ ରିପୋର୍ଟ କରାଯାଇଛି। ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀମାନଙ୍କୁ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ନିରନ୍ତର ଅନୁସନ୍ଧାନ ଚାଲିଛି | ଆଫ୍ରିକାର ଆଠଟି ଦେଶରୁ ଯାତ୍ରୀଙ୍କ ଉପରେ ଥାଇଲ୍ୟାଣ୍ଡ କଟକଣା ଲଗାଇଛି।

ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି । ଡିସେମ୍ବର ୧ରୁ ନୂଆ ଗାଇଡ ଲାଇନ୍ ଲାଗୁ ହେବ ବୋଲି କୁହାଯାଇଛି । ‘ବିପଦସଙ୍କୁଳ’ ଦେଶ ଭାବରେ ଚିହ୍ନଟ ଦେଶଗୁଡିକରୁ ଭାରତକୁ ପହଞ୍ଚିବା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ କରିବାକୁ ପଡିବ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ୍ ଟେଷ୍ଟ ବ୍ୟତୀତ ଯାତ୍ରୀଙ୍କ ଯଦି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ ଅନୁଯାୟୀ କ୍ବାରେଣ୍ଟାଇନ ଏବଂ ଚିକିତ୍ସା କରାଯିବ | ଏହା ବ୍ୟତୀତ, ସେମାନଙ୍କର ନମୁନାଗୁଡ଼ିକ ଜିନୋମ ସ୍ବିକ୍ବେନ୍ସି ପାଇଁ ମଧ୍ୟ ପଠାଯିବ | ନେଗେଟିଭ୍ ପାଇଥିବା ଯାତ୍ରୀମାନେ ବିମାନ ବନ୍ଦର ଛାଡିବାକୁ ଅନୁମତି ମିଳିବ । କିନ୍ତୁ ସେମାନଙ୍କୁ ମଧ୍ୟ ୭ ଦିନ ପାଇଁ ଘରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ |

Comments are closed.