ସାଂସଦଙ୍କ ନିଲମ୍ବନକୁ ନେଇ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ, ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ରାଜ୍ୟସଭାରୁ ୧୨ ଜଣ ସାଂସଦଙ୍କୁ ନିଲମ୍ୱିତ କରିବାର ଦିନକ ପରେ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସାଂସଦଙ୍କ ଉପରୁ ନିଲମ୍ବନ ଉଠିବ ନାହିଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ମନା‌କରିବା ପରେ ବାରୋଧୀ ଦଳ ଉଭୟ ଗୃହରୁ ଓ୍ବାକ୍ ଆଉଟ୍ କରିଛନ୍ତି । ସାଂସଦଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରକୁ ଆକ୍ରମଣ କରି କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଏହା ବିରୋଧୀଙ୍କୁ ଡରାଇବା ପାଇଁ ସରକାରଙ୍କ ଏକ ନୂଆ ଚାଲ୍ । ସେ କହିଛନ୍ତି ଯେ ଆପଣ କାହିଁକି ନିଲମ୍ବିତ ସାଂସଦଙ୍କ ଠାରୁ ଜୋର ଜବରଦସ୍ତି କ୍ଷମା ଚାହୁଁଛନ୍ତି? ସରକାରଙ୍କ ଏଭଳି ମନୋଭାବ ପ୍ରଥମ ଥର ଦେଖୁଛୁ |

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଛନ୍ତି। ଭୁଲ୍ ଉପାୟରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି। ନିଲମ୍ବନ ନିଷ୍ପତ୍ତି ଚୂଡାନ୍ତ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ମୁଁ ଆପଣ ସମସ୍ତଙ୍କ କଥା ଶୁଣିଛି, କିନ୍ତୁ ଅଧ୍ୟକ୍ଷଙ୍କର ନିଷ୍ପତ୍ତି ନେବା ଅଧିକାର ଅଛି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଅଧ୍ୟକ୍ଷଙ୍କ ନୁହେଁ ବରଂ ଗୃହର। ଭେଙ୍କୟା ନାଇଡୁ କହିଛନ୍ତି ଯେ ଅଗଷ୍ଟ ୧୧ରେ ଯାହା ଘଟିଲା ଦେଶ ଦେଖିଲା | ରାଜ୍ୟସଭା ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ ଗୃହ ଚଳାଇବା ତାଙ୍କର ଦାୟିତ୍ବ ଅଟେ। ନିୟମାନୁସାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ଉପରୁ ନିଲମ୍ବନ ଉଠିବ ନାହିଁ ବୋଲି ଭେଙ୍କୟା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ମୌସୁମୀ ଅଧିବେଶନରେ ହଙ୍ଗାମା ଓ ବିଶୃଙ୍ଖଳା ପାଇଁ ଚଳିତ ଶୀତକାଳୀନ ଅଧିବେଶନରୁ ବିରୋଧୀ ଦଳର ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ସୋମବାର ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ଏଲାମରାମ କରିମ (ସିପିଏମ), ଫୁଲୋ ଦେବୀ ନେତମ, ଛାୟା ବର୍ମା, ଆର ବୋରା, ରାଜାମଣି ପଟେଲ, ସୟଦ ନାସିର ହୁସେନ୍, ଅଖିଳେଶ ପ୍ରସାଦ ସିଂ (କଂଗ୍ରେସ), ବିନୋଇ ବିଶ୍ୱମ (ସିପିଆଇ), ଡୋଲା ସେନ୍ ଏବଂ ଶାନ୍ତା ଛେତ୍ରୀ (ଟିଏମସି), ପ୍ରିୟଙ୍କା ଚତୁର୍ବେଦୀ ଏବଂ ଅନିଲ ଦେଶାଇ (ଶିବସେନା) |

Comments are closed.