ଏସିଆ କପ୍‌ରୁ ଓହରିବ ପାକିସ୍ତାନ ! ପିସିବିର ‘ହାଇବ୍ରିଡ୍ ମଡେଲ୍’କୁ ଖାରଜ କଲେ ତିନି କ୍ରିକେଟ୍ ବୋର୍ଡ

ନୂଆଦିଲ୍ଲୀ: ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ପ୍ରସ୍ତାବିତ ‘ହାଇବ୍ରିଡ୍ ମଡେଲ୍’କୁ ଖାରଜ କରିବା ପରେ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରୁ ଆୟୋଜକ ପାକିସ୍ତାନ ଓହରି ଯାଇପାରେ । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ନଜମ ସେଠୀଙ୍କ ଦ୍ବାରା ପ୍ରସ୍ତାବିତ ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ପାକିସ୍ତାନରେ ଏସିଆ କପ୍‌ର ତିନି କିମ୍ବା ଚାରିଟି ମ୍ୟାଚ୍ ହେବାକୁ ଥିବାବେଳେ ଭାରତର ମ୍ୟାଚ୍ ଗୁଡ଼ିକ ଏକ ନିରପେକ୍ଷ ଭେନ୍ୟୁରେ ଖେଳାଯାଇଥାନ୍ତା। ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ ଏହି ହାଇବ୍ରିଡ୍ ମଡେଲ୍ ପ୍ରସ୍ତାବ ଦେଇଥିଲେ ସେଠୀ ।

ତେବେ ପାକିସ୍ତାନ ବାହାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କୁ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ସମର୍ଥନ କରିଥିବା ସ୍ପଷ୍ଟ ହୋଇଛି । ଏହି ବିଷୟରେ ଅବଗତ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏସୀୟ କ୍ରିକେଟ୍ ପରିଷଦର କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟଙ୍କ ଏକ ବୈଠକ ଡକାଯିବା ଔପଚାରିକତା ବାକି ରହିଛି । ନୂଆ ଭେନ୍ୟୁ ଶୀଘ୍ର ଘୋଷଣା ହୋଇପାରେ । ପିସିବି ବର୍ତ୍ତମାନ ଜାଣିସାରିଛି ଯେ ଏସିଆ କପ୍ ପାଇଁ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଏହାର ପ୍ରସ୍ତାବିତ ହାଇବ୍ରିଡ୍ ମଡେଲକୁ ସମର୍ଥନ କରୁନାହାଁନ୍ତି।

ଯଦି ଏସିଆ କପ୍ ପାକିସ୍ତାନ ପରିବର୍ତ୍ତେ ଏକ ନିରପେକ୍ଷ ଦେଶରେ ଅନୁଷ୍ଠିତ ହୁଏ ତେବେ ତାଙ୍କ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ନାହିଁ ବୋଲି ପିସିବି ଅଧ୍ୟକ୍ଷ ସେଠୀ ପୂର୍ବରୁ ଅନେକଥର କହିଆସିଛନ୍ତି । ଏବେ ତାଙ୍କ ହାଇବ୍ରିଡ୍ ମଡେଲକୁ ତିନୋଟି ଦେଶର ବୋର୍ଡ ପ୍ରତ୍ୟାଖ୍ୟାନ କରିବା ପରେ ପିସିବି ଏସିଆ କପ୍ ବର୍ଜନ କରିବା ସମ୍ଭାବନା ରହିଛି ।

ପାକିସ୍ତାନ ପାଖରେ ଏବେ କେବଳ ଦୁଇଟି ବିକଳ୍ପ ଅଛି – ନିରପେକ୍ଷ ଭେନ୍ୟୁରେ ଖେଳିବା ନହେଲେ ଟୁର୍ଣ୍ଣାମେଣ୍ଟରୁ ଓହରିବା । ପାକିସ୍ତାନ ନ ଖେଳିଲେ ମଧ୍ୟ ଏହାକୁ ଏସିଆ କପ୍ କୁହାଯିବ ବୋଲି ଏସିସି ସୂତ୍ର ପ୍ରକାଶ କରିଛନ୍ତି ।

ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ଭାରତର ମତ ଯେ ପାକିସ୍ତାନ ତଥା ଅନ୍ୟ କୌଣସି ଦେଶରେ ଏସିଆ କପ୍ ଆୟୋଜନ କରିବା ଯୁକ୍ତିଯୁକ୍ତ କିମ୍ବା ଆର୍ଥିକ ଦୃଷ୍ଟିରୁ ସମ୍ଭବ ନୁହେଁ । ଭାରତୀୟ ଟିମ୍ ପାକିସ୍ତାନ ଗସ୍ତ କରିବାକୁ ଚାହୁଁନଥିବାରୁ ଶ୍ରୀଲଙ୍କାରେ ଏସିଆ କପ୍ ଆୟୋଜନ କରାଯିବା ଠିକ୍ ହେବ। ତେବେ ଚଳିତ ବର୍ଷର ଏସିଆ କପ୍ ସମ୍ପୂର୍ଣ୍ଣ ବାତିଲ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ବିଶ୍ୱକପ ପୂର୍ବରୁ ଭାରତ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ୫୦ ଓଭର ଫର୍ମାଟରେ ଏକ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳିପାରନ୍ତି।

ସୂତ୍ରରୁ ପ୍ରକାଶ ଯେ, ଏ ବର୍ଷ ଏସିଆ କପ୍ ଅନୁଷ୍ଠିତ ନ ହେବା ସମ୍ଭାବନା ମଧ୍ୟ ରହିଛି । କାରଣ ଭାରତ-ପାକିସ୍ତାନ ମ୍ୟାଚ୍ ବିନା ଏହି ଟୁର୍ଣ୍ଣାମେଣ୍ଟର କୌଣସି ଆକର୍ଷଣ ରହିବ ନାହିଁ । ଏଭଳି ସ୍ଥିତିରେ ପ୍ରସାରଣକାରୀ ସଂସ୍ଥା ଏସିସିକୁ ଧାର୍ଯ୍ୟ ଚୁକ୍ତି ରାଶି ଠାରୁ କମ୍ ଟଙ୍କା ଦେଇପାରେ ।

ଏସିଆ କପ୍ ନ ହେଲେ ଭାରତ ଏକାସାଙ୍ଗରେ ଚାରି କିମ୍ବା ପାଞ୍ଚଟି ଦେଶକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ନିଷ୍ପତ୍ତି ପିସିବି ସହିତ ଏହି ବୋର୍ଡ ଗୁଡ଼ିକର ସମ୍ପର୍କକୁ କିପରି ପ୍ରଭାବିତ କରିବ ତାହା ଦେଖିବାକୁ ରହିଲା ।

ପାକିସ୍ତାନ ଆଗାମୀ ଦୁଇ ଟେଷ୍ଟ ସିରିଜ୍ ପରେ ଏକ ଦିନିକିଆ ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କାର ପ୍ରସ୍ତାବକୁ ପୂର୍ବରୁ ଖାରଜ କରିସାରିଛି। ଶ୍ରୀଲଙ୍କା ପୂରା ଏସିଆ କପ୍ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିବା ପରେ ପାକିସ୍ତାନ ଏପରି ନିଷ୍ପତ୍ତି ନେଇଥିଲା । ସୂତ୍ରରୁ ପ୍ରକାଶ ଯେ ଏସିଆ କପକୁ ନେଇ ସାମ୍ପ୍ରତିକ ଘଟଣାକ୍ରମ ଦୃଷ୍ଟିରୁ ପାକିସ୍ତାନକୁ ଆଗାମୀ ବିଶ୍ୱକପ୍ ପାଇଁ ଭାରତକୁ ନିଜ ଦଳ ନ ପଠାଇବାକୁ ବାଧ୍ୟ କରିପାରେ ।

Comments are closed.