ପ୍ୟାଟ୍ କମିନ୍ସ ହେଲେ ଅଷ୍ଟ୍ରେଲିଆର ନୂଆ ଟେଷ୍ଟ କ୍ୟାପଟେନ୍

ସିଡନୀ: ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆର ନୂଆ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହା ଘୋଷଣା କରିଛି। ଡେଲି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, କ୍ରିକେଟ୍ ଅଷ୍ଟ୍ରେଲିଆ ଗୁରୁବାର ଦିନ ପ୍ୟାଟ୍ କମିନ୍ସଙ୍କୁ ଆସେସ୍ ୨୦୨୧-୨୨ ପାଇଁ ଟେଷ୍ଟ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଷ୍ଟିଭ ସ୍ମିଥଙ୍କୁ ଉପଅଧିନାୟକ କରାଯାଇଛି । ରିପୋର୍ଟ ଅନୁଯାୟୀ, ପ୍ୟାଟ୍ କମିନ୍ସଙ୍କ ବ୍ୟତୀତ ଷ୍ଟିଭ୍ ସ୍ମିଥ୍ ଅଧିନାୟକ ପଦ ପାଇଁ ଏକମାତ୍ର ଦାବିଦାର ଥିଲେ। ବୋର୍ଡ ଉଭୟଙ୍କ ସାକ୍ଷାତକାର ନେଇଥିଲା | ଉଭୟଙ୍କୁ ଏହାର ନିଷ୍ପତ୍ତି ବୋର୍ଡ ପକ୍ଷରୁ ଅବଗତ କରାଯାଇଛି।

ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ କିଛି ଦିନ ତଳେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ୨୦୧୭ରେ ଜଣେ ମହିଳା ସହକର୍ମୀଙ୍କୁ ତାଙ୍କର ଅଶ୍ଲୀଳ ମେସେଜ୍ ଓ ଫଟୋ ଭାଇରାଲ ହେବା ପରେ ପେନ୍ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇଥିଲେ।

କମିନ୍ସଙ୍କ ପୂର୍ବରୁ ଶେଷ ଥର ପାଇଁ ୧୯୫୬ରେ ଜଣେ ଦ୍ରୁତ ବୋଲର ଅଷ୍ଟ୍ରେଲିଆର ଅଧିନାୟକ ହୋଇଥିଲେ । ସେତେବେଳେ ଦ୍ରୁତ ବୋଲର ରେ ଲିଣ୍ଡୱାଲ୍ ଏକ ଟେଷ୍ଟ ମ୍ୟାଚରେ ନେତୃତ୍ବ ନେଇଥିଲେ । ଅଷ୍ଟ୍ରେଲୀୟ ଦଳର ନେତୃତ୍ୱ ନେବାରେ ଶେଷ ବୋଲର ଥିଲେ ପ୍ରସିଦ୍ଧ ଲେଗ୍ ସ୍ପିନର ରିଚି ବେନୌଡ । ସେ ୨୮ଟି ଟେଷ୍ଟ ମ୍ୟାଚରେ ନେତୃତ୍ବ ନେଇଥିବା ବେଳେ ୧୨ଟି ବିଜୟ, ୧୧ ଡ୍ର, ୧ ଟାଇ ଏବଂ ୪ଟି ପରାଜୟ ବରଣ କରିଥିଲେ।

ଅଷ୍ଟ୍ରେଲିଆର ନୂଆ ଅଧିନାୟକ କମିନ୍ସ ଏପର୍ଯ୍ୟନ୍ତ ୩୫ଟି ଟେଷ୍ଟ ଖେଳି ୧୬୪ ୱିକେଟ୍ ନେଇଛନ୍ତି |

Comments are closed.