ଟାଇମ୍ ମାଗାଜିନ୍ ଜାରି କଲା ୧୦୦ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକା, ସ୍ଥାନ ପାଇଲା ଭାରତର ଏହି ଏକମାତ୍ର ଫିଲ୍ମ 

ନୂଆଦିଲ୍ଲୀ: ଭାରତୀୟ ସିନେମାର ଏକ ମାଇଲଖୁଣ୍ଟ ଫିଲ୍ମ ‘ପଥେର ପାଞ୍ଚାଲି’ ପୁଣି ଚର୍ଚ୍ଚାରେ | ଟାଇମ୍ ମାଗାଜିନ୍ ତରଫରୁ ପ୍ରକାଶିତ ଗତ ୧୦୦ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ଭାରତର ଏକମାତ୍ର ଚଳଚ୍ଚିତ୍ର ଭାବେ ସତ୍ୟଜିତ୍ ରୟଙ୍କ ‘ପଥେର ପାଞ୍ଚାଲି’କୁ ସାମିଲ କରାଯାଇଛି । ଏହି ଫିଲ୍ମ ଅଗଷ୍ଟ ୨୬, ୧୯୫୫ରେ ମୁକ୍ତିଲାଭ କରିଥିଲା |

୧୦୦ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ୧୯୨୦ ରୁ ୨୦୧୦ ମଧ୍ୟରେ ରିଲିଜ୍ ହୋଇଥିବା ବଛା ବଛା ଫିଲ୍ମକୁ ସାମିଲ କରାଯାଇଛି । ଏହି ତାଲିକା ‘ଦି କ୍ୟାବିନେଟ୍ ଅଫ୍ ଡକ୍ଟର କାଲିଗାରୀ’ (୧୯୨୦) ରୁ ଆରମ୍ଭ ହୋଇ ‘ଓ୍ବାନସ୍ ଅପନ୍ ଏ ଟାଇମ୍ ଇନ୍ ହଲିଉଡ୍ (୨୦୧୯)’ ରେ ଶେଷ ହୋଇଛି | ଏହି ତାଲିକାରେ ସତ୍ୟଜିତ୍ ରାୟଙ୍କ ନିର୍ଦ୍ଦେଶିତ ଭାରତୀୟ ଚଳଚ୍ଚିତ୍ର ‘ପଥେର୍ ପାଞ୍ଚାଲି’ (୧୯୫୫)କୁ ସ୍ଥାନ ଦିଆଯାଇଛି।

‘ପଥେର୍ ପାଞ୍ଚାଲି’ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟଙ୍କ ରଚିତ ବଙ୍ଗଳା ଉପନ୍ୟାସ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସତ୍ୟଜିତ୍ ରାୟ। ତାଙ୍କ ନିର୍ଦ୍ଦେଶନାରେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର | ଏଥିରେ କୌଣସି ଜଣାଶୁଣା ଅଭିନେତା ନଥିଲେ। ତଥାପି ଏହା ଭାରତୀୟ ସିନେମାର ଏକ କାଳଜୟୀ ସୃଷ୍ଟି ହୋଇପାରିଥିଲା । ବଙ୍ଗଳାର ନିଶ୍ଚିନ୍ଦପୁର ଗାଁରେ ରହୁଥିବା ଅପୁ ଓ ତା’ର ବଡ଼ ଭଉଣୀ ଦୁର୍ଗାର କାହାଣୀ ଥିଲା ଫିଲ୍ମର କଥାବସ୍ତୁ।

ସତ୍ୟଜିତ୍ ରୟ ପ୍ରଥମେ ଏକ ବ୍ରିଟିଶ ବିଜ୍ଞାପନ ଏଜେନ୍ସିରେ ଜୁନିଅର ଭିଜୁଆଲାଇଜର ଭାବେ କାର୍ଯ୍ୟ କରୁଥିଲେ | ଏହି ସମୟ ମଧ୍ୟରେ ସେ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସ ‘ପଥେର୍ ପାଞ୍ଚାଲି’ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ଫିଲ୍ମ ନିର୍ମାଣ କରିବା ପାଇଁ ତାଙ୍କ ପାଖରେ ଏତେ ଟଙ୍କା ନଥିଲା ।

ଜଣେ ପ୍ରଯୋଜକଙ୍କ ସନ୍ଧାନ ପାଇଁ ସତ୍ୟଜିତ ରାୟଙ୍କୁ ଲାଗି ଯାଇଥିଲା ଦୁଇ ବର୍ଷ | ଶେଷରେ ସେ ୧୯୫୩ ମସିହାରେ ଫିଲ୍ମ ନିର୍ମାତା ରାଣା ଦତ୍ତଙ୍କୁ ଭେଟିଥିଲେ | ତାଙ୍କଠାରୁ ସତ୍ୟଜିତ ରାୟଙ୍କୁ କିଛି ସହାୟତା ମିଳିଥିଲା । ଏକ ବିଜ୍ଞାପନ କମ୍ପାନୀରେ କାମ କରୁଥିଲେ। ତେଣୁ ବିନା ଦରମାରେ ଏକ ମାସ ଛୁଟି ନେଇ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ହେଲେ ଯେତେବେଳେ ପୁଣି ଅର୍ଥର ଅଭାବ ଦେଖାଦେଲା, ସତ୍ୟଜିତ ରାୟ ତାଙ୍କ ପତ୍ନୀଙ୍କ ଅଳଙ୍କାର ବନ୍ଧା ରଖି କିଛି ଦିନ ପାଇଁ ଏହାର ଭରଣା କରିଥିଲେ । ହେଲେ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ସେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ମାଗିଥିଲେ ।

ଶେଷରେ ୨୬ ଅଗଷ୍ଟ ୧୯୫୫ରେ ମୁକ୍ତିଲାଭ କରିଥିଲା ‘ପଥେର୍ ପାଞ୍ଚାଲି’ | ପ୍ରଥମ ଦୁଇ ସପ୍ତାହ ଚଳଚ୍ଚିତ୍ରର ଦର୍ଶକଙ୍କୁ ହଲକୁ ଟାଣିବାରେ ବିଫଳ ହୋଇଥିଲା । କିନ୍ତୁ ତୃତୀୟ ସପ୍ତାହରୁ ଏହି ଫିଲ୍ମ ପାଇଁ ସିନେମା ହଲ୍ ଗୁଡ଼ିକ ‘ହାଉସ୍ ଫୁଲ୍’ ହେବାରେ ଲାଗିଥିଲା । ବକ୍ସ ଅଫିସରେ ‘ପଥେର୍ ପାଞ୍ଚାଲି’ ଅଭୁତପୂର୍ବ ସଫଳତା ହାସଲ କରିଥିଲା | ଏପରିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଏହି ଫିଲ୍ମ ବେଶ୍ ପ୍ରଭାବିତ କରିଥିଲା। ଏହା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା ଓ ‘ବେଷ୍ଟ ହ୍ୟୁମାନ ଡକ୍ୟୁମେଣ୍ଟ ଆଓ୍ବାର୍ଡ’ ପାଇଥିଲା | ଏହା ଦେଶ ତଥା ବିଦେଶରେ ଅନେକ ପୁରସ୍କାର ଜିତିଥିଲା |

ଏହାଛଡ଼ା ‘ପଥେର୍ ପାଞ୍ଚାଲି’ ତୃତୀୟ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିଲା । ୨୦୦୫ରେ ମଧ୍ୟ ଟାଇମ୍ ମାଗାଜିନର ୧୦୦ ସର୍ବକାଳୀନ ଶ୍ରେଷ୍ଠ ଫିଲ୍ମ ତାଲିକାରେ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା ।

Comments are closed.