ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରେରଣାଦାୟୀ ପ୍ରଦର୍ଶନ ପାଇଁ କଲେ ପ୍ରଶଂସା

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟ୍ ମାନଙ୍କ ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଥଲେଟମାନେ କେବଳ ଦେଶ ପାଇଁ ପଦକ ଜିତି ନାହାଁନ୍ତି ବରଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ମଧ୍ୟ ମଜବୁତ କରିଛନ୍ତି। ଏବଂ ପ୍ରତ୍ୟେକ କ୍ଷେତ୍ରରେ ଯୁବକମାନଙ୍କୁ ଅନୁପ୍ରାଣିତ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତାଙ୍କ ସରକାରୀ ବାସଭବନରେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସମସ୍ତ ପଦକ ବିଜେତାଙ୍କୁ ଭେଟିଛନ୍ତି । ଆଥଲେଟ ମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବା ପୂର୍ବରୁ ମୁଁ ଆପଣଙ୍କୁ କହିଥିଲି ଏବଂ ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଯେତେବେଳେ ଆପଣ ଫେରିବେ ଆମେ ଏକାଠି ‘ବିଜୟୋତ୍ସବ’ ପାଳନ କରିବା। ମୁଁ ନିଶ୍ଚିତ ଥିଲି ଯେ ଆପଣ ବିଜୟୀ ହୋଇ ଫେରିବେ ।

ମୁଁ ଖୁସି ଯେ ଆପଣ ସମସ୍ତେ ପରିବାର ସଦସ୍ୟ ଭାବେ ମୋ ବାସଭବନରେ ମୋତେ ଭେଟିବା ପାଇଁ ନିଜ କାର୍ଯ୍ୟସୂଚୀରୁ ସମୟ ବାହାର କରି ଆସିଛନ୍ତି | ଅନ୍ୟ ସବୁ ଭାରତୀୟଙ୍କ ପରି ମୁଁ ମଧ୍ୟ ଆପଣ ମାନଙ୍କ ସହ କଥା ହୋଇ ଗର୍ବିତ ଅନୁଭବ କରୁଛି | ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣ କେବଳ ଦେଶକୁ ପଦକ ଦେଇ ନାହାଁନ୍ତି, କେବଳ ଉତ୍ସବ ପାଳନ କରିବାର ସୁଯୋଗ ଦେଇ ନାହାଁନ୍ତି କି ଗର୍ବିତ କରି ନାହାଁନ୍ତି ବରଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ମଧ୍ୟ ସୁଦୃଢ଼ କରିଛନ୍ତି | ଆପଣ ଦେଶର ଯୁବପିଢିଙ୍କୁ କେବଳ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରିବାକୁ ନୁହେଁ ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରେରଣା ଯୋଗାଉଛନ୍ତି। ” ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ଦେଶ କ୍ରୀଡ଼ା କ୍ଷେତ୍ରରେ ଦୁଇଟି ପ୍ରମୁଖ ସଫଳତା ହାସଲ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ ପ୍ରଦର୍ଶନ ସହିତ ଦେଶରେ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ୍ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଥଲେଟ୍ ମାନଙ୍କ କଠିନ ପରିଶ୍ରମ ଏବଂ ପ୍ରେରଣାଦାୟୀ ସଫଳତା ସହ ଦେଶ ‘ଆଜାଦି କା ଅମୃତ କାଳ’ରେ ପ୍ରବେଶ କରୁଛି । ଏହା ଏକ ଗର୍ବର ବିଷୟ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ବକ୍ସିଂ ହେଉ ଅବା ଜୁଡୋ କିମ୍ବା କୁସ୍ତି ଆମ ଝିଅମାନଙ୍କ ଯେପରି ଦବଦବା ରହିଛି ତାହା ଅଦ୍ଭୁତପୂର୍ବ | ଗତଥର ତୁଳନାରେ ଏଥର ଆମେ ଚାରୋଟି ନୂଆ ଖେଳରେ ପଦକ ଜିତିଛୁ | ଲନ୍ ବାଉଲ୍ସ ଠାରୁ ଆରମ୍ଭ କରି ଆଥଲେଟିକ୍ସ ପର୍ଯ୍ୟନ୍ତ, ଅଦ୍ଭୁତପୂର୍ବ ପ୍ରଦର୍ଶନ କରାଯାଇଛି | ଏହି ପ୍ରଦର୍ଶନ ଦେଶରେ ନୂତନ କ୍ରୀଡା ପ୍ରତି ଯୁବପିଢିଙ୍କ ଆଗ୍ରହ ବଢାଇବ।

୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପ୍ରାୟ ୨୦୦ ଭାରତୀୟ ଆଥଲେଟ୍ ୧୬ଟି ବିଭିନ୍ନ କ୍ରୀଡ଼ାରେ ପଦକ ପାଇଁ ଲଢ଼ଥିଲେ । ଭାରତ ମଟ ୬୧ ପଦକ (୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଏବଂ ୨୩ ବ୍ରୋଞ୍ଜ) ସହିତ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା | ଭାରତ ରେସଲିଂରେ ୬ଟି ସ୍ୱର୍ଣ୍ଣ ସମେତ ସର୍ବାଧିକ ୧୨ଟି ପଦକ ଜିତିଥିବା ବେଳେ ଭାରୋତ୍ତୋଳନରେ ୧୦ଟି ପଦକ ହାତେଇଥିଲା |

Comments are closed.