ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ଯୋଗଦେଲନି ପ୍ରଧାନମନ୍ତ୍ରୀ, ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ଯୋଗଦେଇ ନାହାନ୍ତି । ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାଙ୍କ ଅନୁପସ୍ଥିତିରେ ଆମେ ନିରାଶ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଏହି ବୈଠକରେ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଲୋକସଭାରେ ବିରୋଧୀ ଦଳ ନେତା ଆଧୀର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୂଳ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଇନ୍, ଡିଏମକେର ଟିଆର ବାଲୁ, ଟି.ଶିବ ଏବଂ ଏନସିପିର ଶରଦ ପାୱାର ଯୋଗ ଦେଇଥିଲେ। ସର୍ବଦଳୀୟ ବୈଠକରେ ସରକାରଙ୍କ ସମ୍ମୁଖରେ ତୃଣମୂଳ କଂଗ୍ରେସ ୧୦ଟି ପ୍ରସଙ୍ଗ ଉଠାଇଥିଲା । ​​|

ଟିଏମସି ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ହେଉଛି ବେକାରୀ, ଇନ୍ଧନ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଆଇନରେ ଏମଏସପି ଅନ୍ତର୍ଭୁକ୍ତ କରିବା, ଲାଭକାରୀ ପିଏସୟୁ ଗୁଡ଼ିକରେ ବିନିବେଶକୁ ବନ୍ଦ କରିବା, ବିଏସଏଫର ଅଧିକାର, ପେଗାସସ୍ ପ୍ରସଙ୍ଗ, କରୋନା ପରିସ୍ଥିତି, ମହିଳା ସଂରକ୍ଷଣ ବିଲ୍ ଏବଂ ବହୁ ନଟ୍ ବୁଲଡୋଜ ବିଲ୍ (ସ୍କ୍ରୁଟିନାଇଜ୍ ବିଲ୍) |

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସର୍ବଦଳୀୟ ବୈଠକ ବର୍ଜନ କରି ପଳାଇଥିଲେ। ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସଂସଦରେ କହିବାକୁ ଅନୁମତି ମିଳୁନାହିଁ କି ସର୍ବଦଳୀୟ ବୈଠକରେ ମଧ୍ୟ ମତ ରଖିବାକୁ ସୁଯୋଗ ଦିଆଗଲା ନାହିଁ । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସଞ୍ଜୟ ସିଂ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ସରକାର ତାଙ୍କୁ କଥା ହେବାକୁ ଦେଇନାହାଁନ୍ତି।

ସଂସଦର ଶୀତକାଳୀନ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଏହି ଅଧିବେଶନରେ ସରକାର ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଆଶା କରାଯାଉଛି। ଏହି ବିଲ୍ ଉପରେ ସପକ୍ଷରେ ତଥା ବିରୋଧର ତୀବ୍ର ସଂଘର୍ଷ ହୋଇପାରେ | ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ସରକାର ଏଥିପାଇଁ ପ୍ରସ୍ତୁତି କରୁଛନ୍ତି ।

Comments are closed.