ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ରାଜସ୍ଥାନରେ ବିରୋଧ

ଜୟପୁର: ଦେଶକୁ ସର୍ବାଧିକ ସଂଖ୍ୟକ ସୈନିକ ଦେଇଥିବା ରାଜସ୍ଥାନରେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ବିରୋଧ କରାଯାଇଛି । ଚାରିବର୍ଷ ପାଇଁ ସେନାରେ ଚାକିରି କରିବାର ନିଷ୍ପତ୍ତି ବିରୋଧରେ ଅନେକ ବର୍ଷ ଧରି ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଅଗ୍ନିପଥ ଯୋଜନାକୁ ବିରୋଧ କରି ବହୁ ସଂଖ୍ୟାରେ ଯୁବକ ବୁଧବାର ଜୟପୁରର କଲୱାର ରାସ୍ତା ଅବରୋଧ କରିଛନ୍ତି । ଯୁବକମାନେ ପ୍ରାୟ ଏକ ଘଣ୍ଟା ଧରି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ମାର୍ଗରେ ବହୁ ଯାନବାହାନ ଅଟକି ରହିଥିଲା | ଘଟଣାସ୍ଥଳରେ ପହଞ୍ଚି କରଧନୀ ପୋଲିସ ଯୁବକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

କରଧନୀ ପୋଲିସ୍ ଥାନା ଅଧିକାରୀ ବନୱାରୀ ଲାଲ ମୀନା କହିଛନ୍ତି, “ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନେ ରାସ୍ତା ଅବରୋଧ କରିଥିଲେ। ସେମାନଙ୍କୁ ବୁଝାଇବା ପରେ ରାସ୍ତା ଜାମ ହଟିଛି। ଏ ବାବଦରେ କାହାକୁ ଅଟକ କିମ୍ବା ଗିରଫ କରାଯାଇ ନାହିଁ। ” ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନେ ଗତ ଅଢେଇ ବର୍ଷ ଧରି ନିଯୁକ୍ତି ସୁଯୋଗ ନ ପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯୁବକଙ୍କ ଦାବି ହେଉଛି, “କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରାଯିବା ଉଚିତ। ଏହି ଯୋଜନା ଦ୍ୱାରା ଦେଶ ସେବା କରିବାକୁ ଉତ୍ସାହିତ ଥିବା ଯୁବକଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ। ଯୁବକମାନେ କହିଛନ୍ତି ଯେ ଯଦି ସେନା ବାହିନୀରେ ଚୁକ୍ତି ଭିତ୍ତିକ ନିଯୁକ୍ତି ହୁଏ, ତେବେ ଏହା ଦେଶର ପ୍ରତିରକ୍ଷା ସହ ସାଲିସ୍ କଲା ଭଳି ‌ହେବ |

ତିନି ସେନା ମୁଖ୍ୟଙ୍କ ଉପସ୍ଥିତିରେ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ନୂଆ ଯୋଜନା ‘ଅଗ୍ନିପଥ’ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ନିଯୁକ୍ତି ପ୍ରକ୍ରିୟାରେ ଆମୂଳଚୁଳ ପରିବର୍ତ୍ତନ ସହିତ ସୈନିକ ନିଯୁକ୍ତି ଚାରି ବର୍ଷ ପାଇଁ କରାଯିବ | ନୂଆ ‘ଅଗ୍ନିପଥ’ ଯୋଜନାରେ ତିନୋଟି ସେବାର ଦରମା ଏବଂ ପେନସନ୍ ଖର୍ଚ୍ଚ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଦ୍ରୁତ ଗତିରେ ବୃଦ୍ଧି ପାଇଛି |

ସେନାରେ ଏଣିକି ସବୁ ନିଯୁକ୍ତି ଅଗ୍ନିପଥ ଯୋଜନା ଅଧୀନରେ କରାଯିବ। ଯେଉଁ ଯୁବକମାନେ ଆଗରୁ ପରୀକ୍ଷା ଦେଇଥିଲେ| ସେମାନଙ୍କୁ ଅଗ୍ନିପଥ ଯୋଜନା ଅଧୀନରେ ପୁଣି ଆବେଦନ କରିବାକୁ ପଡିବ | ତେବେ ଦୁଇ ବର୍ଷ ଧରି ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଯୁବକମାନଙ୍କ ପାଇଁ ଏହା ସବୁଠାରୁ ବଡ ଝଟକା ବୋଲି ବିବେଚିତ କରାଯାଉଛି | ଏହି ନୂଆ ଯୋଜନା ଦ୍ବାରା ସେହି ଯୁବକମାନେ ମଧ୍ୟ ନିରାଶ ହେବେ ଯେଉଁମାନେ ସେନାରେ ନିଯୁକ୍ତି ପାଇଁ ମେଡିକାଲ ଏବଂ ଫିଜିକାଲ୍ କ୍ଲିୟର କରିଥିଲେ।

Comments are closed.