ପଞ୍ଜାବ ନିର୍ବାଚନ ସପ୍ତାହେ ଘୁଞ୍ଚିଲା, ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ

ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ତାରିଖ ସପ୍ତାହେ ଘୁଞ୍ଚାଇ ଦିଆଯାଇଛି । ଫେବୃଆରୀ ୧୪ ପରିବର୍ତ୍ତେ ଏବେ ଏହି ରାଜ୍ୟରେ ଫେବୃଆରୀ ୨୦ରେ ହେବ ଭୋଟ୍ | ଏହାପୂର୍ବରୁ ନିର୍ବାଚନ ଆୟୋଗ ଫେବୃଆରୀ ୧୪ ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ତାରିଖ ସ୍ଥିର କରିଥିଲେ। ତେବେ ସନ୍ଥ ରବିଦାସଙ୍କ ଜୟନ୍ତୀ ଦୃଷ୍ଟିରୁ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ । ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଆଜି ଏକ ବୈଠକ କରିଥିଲେ। ଏଥିରେ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ତାରିଖ ଘୁଞ୍ଚିଥିଲେ ମଧ୍ୟ ଧାର୍ଯ୍ୟ ତାରିଖ ଅନୁଯାୟୀ ମାର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ |

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମେତ ଆମ୍ ଆଦମୀ ପାର୍ଟି, ବିଜେପି, ଅକାଳି ଦଳ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟରେ ନିର୍ବାଚନ ଘୁଞ୍ଚାଇବାକୁ ଆୟୋଗକୁ ଅନୁରୋଧ କରିଛନ୍ତି। ନିର୍ବାଚନ ଆୟୋଗକୁ ପତ୍ରର ରାଜନୈତିକ ଦଳମାନେ କହିଥିଲେ ଯେ ଫେବୃଆରୀ ୧୬ରେ ଶ୍ରୀ ଗୁରୁ ରବିଦାସଙ୍କ ଜନ୍ମ ବାର୍ଷିକୀ ପଡୁଛି | ଏହି ଅବସରରେ ଲକ୍ଷ ଲକ୍ଷ ଲୋକ ବାରାଣସୀକୁ ଯାଆନ୍ତି | ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ତାରିଖ ପରିବର୍ତ୍ତନ କରିଛନ୍ତି।

Comments are closed.