‘ଦେଶବାସୀ ନିଜର ଯତ୍ନ ନିଅନ୍ତୁ, ସରକାର ବିକ୍ରିବଟାରେ ବ୍ୟସ୍ତ’, ସଂକ୍ରମଣ ବଢ଼ିବା ନେଇ କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ:ଦେଶରେ କରୋନା ମାମଲା ପୁଣି ବଢ଼ୁଥିବା ବେଳେ ଟିକାକରଣର ମନ୍ଥର ଗତି ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ଏକ ଟ୍ୱିଟ୍ କରି ଦେଶବାସୀଙ୍କୁ ନିଜର ଯତ୍ନ ନେବା ପାଇଁ ଅପିଲ କରିବା ସହ ‘ନ୍ୟାସନାଲ ମନେଟାଇଜେସନ୍ ପାଇପଲାଇନ୍‌’ ଯୋଜନା ନେଇ ମଧ୍ୟ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟ୍ୱିଟ୍ କରି କହିଛନ୍ତି – ‘ଆପଣମାନେ ନିଜର ଯତ୍ନ ନିଅନ୍ତୁ, କାରଣ ସରକାର ବିକ୍ରିବଟାରେ ବ୍ୟସ୍ତ’ ।

ରାହୁଲ କହିଛନ୍ତି ଯେ, ଦେଶରେ କରୋନା ମାମଲା ବଢ଼ିବା ଚିନ୍ତାଜନକ । ପରବର୍ତ୍ତୀ ଲହରୀର ଗମ୍ଭୀର ପରିଣାମକୁ ଏଡ଼ାଇବା ପାଇଁ ଟିକାକରଣର ଗତି ତ୍ୱରାନ୍ୱିତ କରିବାକୁ ପଡ଼ିବ । ଆପଣମାନେ ନିଜର ଯତ୍ନ ନିଅନ୍ତୁ, କାରଣ ଭାରତ ସରକାର ବର୍ତ୍ତମାନ ବିକ୍ରିବଟାରେ ବ୍ୟସ୍ତ ।

କରୋନା ମାମଲା ବୃଦ୍ଧି ନେଇ ଚିନ୍ତା ବ୍ୟକ୍ତ କରିବା ସହ ରାହୁଲ ‘ନ୍ୟାସନାଲ ମନେଟାଇଜେସନ୍ ପାଇପଲାଇନ(ଏନ୍‌ଏମ୍‌ପି)’ ଯୋଜନା ପାଇଁ ମଧ୍ୟ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ଏହି ଯୋଜନା ଅଧୀନରେ କେନ୍ଦ୍ର ସବୁ ସରକାରୀ ସମ୍ପତ୍ତି ଘରୋଇ କମ୍ପାନୀଙ୍କୁ ବିକ୍ରି କରିବ । କେନ୍ଦ୍ର କହିଛି ଯେ,ଏହି ଯୋଜନାରୁ ସରକାର ୬ ଲକ୍ଷ କୋଟି ଟଙ୍କା ପାଇବେ ।
ଏନ୍‌ଏମ୍‌ପି ଯୋଜନକୁ ସମାଲୋଚନା କରି କଂଗ୍ରେସ କହିଛି ଯେ, ଏହି ଯୋଜନା କେବଳ ମୋଦି ସରକାର ନିଜ ଉଦ୍ୟୋଗପତି ବନ୍ଧୁଙ୍କୁ ଲାଭ ପାଇଁ ଆଣିଛନ୍ତି । ଗତ ୭୦ ବର୍ଷରେ ଯାହା ସବୁ ଭିତ୍ତିଭୂମି ନିର୍ମାଣ ହୋଇଥିଲା ତାକୁ ଏବେ ଶାଗମାଛ ଦରରେ ସରକାର ଘରୋଇ କମ୍ପାନୀଙ୍କୁ ବିକିବାକୁ ବସିଛନ୍ତି ।

Comments are closed.