‘ବିଶ୍ବ ଖୁସି ରିପୋର୍ଟ’ରେ ୧୩୬ତମ ସ୍ଥାନରେ ଭାରତ, ରାହୁଲ କହିଲେ ଶୀଘ୍ର ଆମେ ‘ଘୃଣା’ ଓ ‘କ୍ରୋଧ’ ତାଲିକାର ଶୀର୍ଷରେ ପହଞ୍ଚିବା

ନୂଆଦିଲ୍ଲୀ: ଜାତିସଂଘର ଓ୍ବାର୍ଲ୍ଡ ହାପିନେସ୍ ବା ବିଶ୍ବ ଖୁସି ରିପୋର୍ଟରେ ଲଗାତାର ପଞ୍ଚମ ବର୍ଷ ପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ଖୁସି ଦେଶର ମାନ୍ୟତା ପାଇଛି। ଅବଶ୍ୟ ଭାରତର ମାନ୍ୟତାରେ ଉନ୍ନତି ଆସିଛି | ତଥାପି ଭାରତ ବହୁତ ତଳେ ଅଛି | ଓ୍ବାର୍ଲ୍ଡ ହାପିନେସ୍ ତାଲିକାରେ ଅନ୍ତର୍ଭୁକ୍ତ ମୋଟ ୧୪୬ ଦେଶ ମଧ୍ୟରୁ ଭାରତ ୧୩୬ତମ ସ୍ଥାନରେ ରହିଛି | ଗତ ବର୍ଷ ତୁଳନାରେ ଭାରତର ର଼୍ୟାଙ୍କିଙ୍ଗରେ ତିନୋଟି ସ୍ଥାନର ଉନ୍ନତି ଘଟିଛି। ଭାରତ ତଳେ ଜିମ୍ବାୱେ, ରୁୱାଣ୍ଡା ଏବଂ ଆଫଗାନିସ୍ତାନ ଭଳି ଦେଶ ଅଛନ୍ତି | ଏହି ତାଲିକାରେ ପାକିସ୍ତାନ କିନ୍ତୁ ଆମ ଠାରୁ ଉପରେ ରହିଛି । ପାକିସ୍ତାନର ସ୍ଥାନ ହେଉଛି ୧୨୧ | ଓ୍ବାର୍ଲ୍ଡ ହାପିନେସ୍ ରିପୋର୍ଟ ଆସିବା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଆମେ ଶୀଘ୍ର ‘ଘୃଣା ଏବଂ କ୍ରୋଧ’ର ତାଲିକାରେ ପ୍ରଥମ ସ୍ଥାନ ହାସଲ କରିବା | ଏହି କଂଗ୍ରେସ ନେତା ବିଶ୍ବ କ୍ଷୁଧା ତାଲିକା ଏବଂ ସ୍ବାଧିନତା ର଼୍ୟାଙ୍କିଙ୍ଗ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ଓ୍ବାର୍ଲ୍ଡ ହାପିନେସ୍ ରିପୋର୍ଟର ଦଶମ ସଂସ୍କରଣ ଅନୁଯାୟୀ, ଚଳିତ ବର୍ଷ ଏହି ତାଲିକାରେ ମୋଟ ୧୪୬ ଟି ଦେଶ ସ୍ଥାନିତ ହୋଇଛି | ଏହି ରିପୋର୍ଟ ୧୮ ମାର୍ଚ୍ଚରେ ପ୍ରକାଶ ପାଇଥିଲା | ମିଳିତ ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କ ଏହି ରିପୋର୍ଟ ପ୍ରକାଶ କରିଥାଏ | ଏଥିରେ ସୁଖ, ଜିଡିପି ସ୍ତର, ଆୟୁଷ, ଜୀବନଶୈଳୀ ବାଛିବାର ସ୍ବାଧୀନତା, ଉଦାରତା ଏବଂ ଦୁର୍ନୀତିର ଧାରଣା ଭଳି ମାପଦଣ୍ଡ ଭିତ୍ତିରେ ଦେଶମାନଙ୍କର ମାନ୍ୟତା ନିର୍ଣ୍ଣୟ କରାଯାଇଛି |

ଚଳିତ ବର୍ଷର ଓ୍ବାର୍ଲ୍ଡ ହାପିନେସ୍ ତାଲିକାରେ ଭାରତ ୩ଟି ସ୍ଥାନ ଉପରକୁ ଉଠିଛି। ଗତ ଥର ରିପୋର୍ଟରେ ଭାରତ ୧୩୯ ତମ ସ୍ଥାନରେ ରହିଥିଲା | ସବୁଠୁ ସୁଖୀ ଦେଶ ତାଲିକାରେ ଫିନଲ୍ୟାଣ୍ଡ ଶୀର୍ଷରେ ଅଛି | ଏହା ପରେ ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ ଅଛନ୍ତି | ଆଫଗାନିସ୍ତାନ ସବାତଳେ ଅଛି | ତା’ପରେ ଲେବାନନ୍, ରୁୱାଣ୍ଡା, ବୋତସ୍ୱାନା ଏବଂ ଲେସୋଥୋ ଅଛନ୍ତି |

ଏହି ରିପୋର୍ଟ ବିରୋଧୀଙ୍କୁ ସରକାରଙ୍କ ଉପରେ ଆକ୍ରମଣ କରିବାର ସୁଯୋଗ ଦେଇଛି। ରିପୋର୍ଟ ଆସିବା ପରେ ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି। ରିପୋର୍ଟକୁ ଦର୍ଶାଇ ସେ ଲେଖିଛନ୍ତି, ‘କ୍ଷୁଧା ମାନ୍ୟତା ୧୦୧, ସ୍ବାଧୀନତା ମାନ୍ୟତା ୧୧୯, ସୁଖ ମାନ୍ୟତା ୧୩୬ … ଆମେ ଶୀଘ୍ର ଘୃଣା ଏବଂ କ୍ରୋଧର ତାଲିକାରେ ଶୀର୍ଷକୁ ପହଞ୍ଚିବା।’ ସେ ନିଜ ଟ୍ୱିଟ୍ ସହିତ ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୨ ର ଚାର୍ଟ ମଧ୍ୟ ସେୟାର କରିଛନ୍ତି |

Comments are closed.