‘ଆପଣଙ୍କ କହିବା ଓ କରିବା ମଧ୍ୟରେ ଫରକ ସାରା ଦେଶ ଦେଖୁଛି’, ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଗୁଜରାଟର ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଏହି ମାମଲାର ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସାରା ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା ଓ କରିବା ମଧ୍ୟରେ ଫରକ ଦେଖିପାରୁଛନ୍ତି |

ରାହୁଲ ଟୁଇଟ୍ କରି କହିଛନ୍ତି, “ଯେଉଁମାନେ ୫ ମାସର ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ତାଙ୍କର ୩ ବର୍ଷର ଝିଅକୁ ହତ୍ୟା କରିଥିଲେ, ସେମାନଙ୍କୁ ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ମୁକ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମହୋଦୟ, ସମଗ୍ର ଦେଶ ଆପଣଙ୍କର କହିବା ଏବଂ କରିବା ମଧ୍ୟରେ ଫରକ୍ ଦେଖୁଛି |

ମୁକ୍ତ ହୋଇଥିବା ଏହି ୧୧ ଜଣ ବ୍ୟକ୍ତି ଆଜୀବନ କାରାଦଣ୍ଡ ଭୋଗୁଥିଲେ ଏବଂ ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା ଅଭିଯୋଗରେ ଗୋଧ୍ରା ଜେଲରେ ରହିଥିଲେ।

ଏହାପୂର୍ବରୁ ମଙ୍ଗଳବାର କଂଗ୍ରେସ ମୁଖପାତ୍ର ପୱନ ଖେରା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଥିଲେ ଯେ ଗତକାଲି (ଅଗଷ୍ଟ ୧୫) ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ବଡ଼ ବଡ଼ କଥା କହିଥିଲେ … ମହିଳା ସୁରକ୍ଷା, ମହିଳା ସମ୍ମାନ, ମହିଳା ଶକ୍ତି … ଭଲ ଭଲ ଶବ୍ଦ ବ୍ୟବହାର କରିଥିଲେ । କିଛି ଘଣ୍ଟା ପରେ ଗୁଜୁରାଟ ସରକାର ଏପରି ନିଷ୍ପତ୍ତି ନେଇଥିଲେ ଯାହା ଅପ୍ରତ୍ୟାଶିତ ଥିଲା, ଯାହା କେବେ ହୋଇ ନଥିଲା। ”

ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ ସବୁ ୧୧ ଦୋଷୀଙ୍କୁ ମୁକ୍ତ କରିବା ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭର୍ତ୍ସନା କରିଛନ୍ତି।

Comments are closed.