ଆଜି ଆଇପିଏଲ୍ ଏଲିମିନେଟରରେ ଆରସିବି-କେକେଆର୍ ଲଢେଇ

ଶାରଜା: ଆଇପିଏଲରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଏହା ଆଉ ଏକ ପରୀକ୍ଷା ହେବ । ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ କୋହଲିଙ୍କ ଆଗରେ ଅଛନ୍ତି କ୍ୟାପଟେନ କୁଲ୍ ମୋର୍ଗାନ । ଅନ୍ତର୍ଜାତୀୟ କ୍ରିକେଟର ଏହି ଦୁଇ ହାଇ ପ୍ରୋଫାଇଲ୍ ଅଧିନାୟକଙ୍କ ମଧ୍ୟରେ ଏହା ଏକ ପ୍ରକାର ବ୍ୟକ୍ତିଗତ ଲଢେଇ ବୋଲି କହିଲେ ଭୁଲ ହେବ ନାହିଁ । ଏହି ମ୍ୟାଚର ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାକୁ ଥିବା ବେଳେ ବିଜେତା ଦଳ ପ୍ରଥମ କ୍ୱାଲିଫାୟରର ପରାଜିତ ଦଳ ସହ ଖେଳିବ ।

ଚଳିତ ସଂସ୍କରଣ ପରେ କୋହଲି ଆରସିବି ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । କୋହଲିଙ୍କ ନେତୃତ୍ୱରେ ଆରସିବି କେବଳ ଥରେ ୨୦୧୬ରେ ଫାଇନାଲ ଖେଳିଥିଲା । ଏହାଛଡ଼ା ପୂର୍ବରୁ ଆରସିବି ଦୁଇଥର (୨୦୧୫, ୨୦୨୦) ପ୍ଲେ ଅଫକୁ ଉନ୍ନୀତ ହୋଇଥିଲା । ଅଧିନାୟକ ଭାବେ ନିଜ ଶେଷ ଆଇପିଏଲରେ କୋହଲି ଆରସିବିକୁ ଚାମ୍ପିୟନ ମୁକୁଟ ପିନ୍ଧାଇବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ପ୍ରଥମେ ତାଙ୍କ ଦଳକୁ କେକେଆରର ଚ୍ୟାଲେଞ୍ଜ ପ୍ରତିହତ କରିବାକୁ ପଡିବ ।
ଅନ୍ୟପକ୍ଷେ ମୋର୍ଗାନ କେକେଆରର ପୂର୍ବ ଗୌରବ ଫେରାଇ ଆଣିବାକୁ ସଂକଳ୍ପବଦ୍ଧ । ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍ ୨୦୧୨ ଓ ୨୦୧୪ରେ ଟାଇଟଲ୍ ବିଜୟୀ ହୋଇଥିଲା । ଗମ୍ଭୀର ଅବସର ନେବା ପରେ କେକେଆର୍ ଆଇପିଏଲରେ ସଂଘର୍ଷ କରିଆସୁଛି । କେକେଆର ଫାଇନାଲକୁ ଆଉ ଦୁଇ ପାଦ ଦୂରରେ ଥିବା ବେଳେ ମୋର୍ଗାନ ନିଜ ଦଳକୁ ତୃତୀୟ ଟାଇଟଲ୍ ଦେବା ପାଇଁ ବ୍ୟଗ୍ର ।

ଉଭୟ ଦଳ ବେଶ୍ ସନ୍ତୁଳିତ ମନେ ହେଉଛନ୍ତି । ହେଲେ ଦୁଇ ଦଳ ମଧ୍ୟରେ ସାମଗ୍ରିକ ରେକର୍ଡ ଦେଖିଲେ କେକେଆରର ପଲ୍ଲା ଭାରି ରହିଛି । ଉଭୟ ଦଳ ସର୍ବମୋଟ ୨୮ ଥର ମୁହାଁମୁହିଁ ହୋଇଥିବା ବେଳେ ଏଥିମଧ୍ୟରୁ କେକେଆର୍ ୧୫ଟି ମ୍ୟାଚ୍ ଜିତିଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ନିଜ ଶେଷ ଲିଗ୍ ମ୍ୟାଚରେ ଅନ୍ତିମ ଓଭରରେ ରୋମାଞ୍ଚକ ବିଜୟ ପରେ ଆରସିିବିର ମନୋବଳ ଦୃଢ ରହିଛି । ଉକ୍ତ ମ୍ୟାଚରେ କେଏସ୍ ଭରତଙ୍କ ଶେଷ ବଲ୍ ଛକା ବଳରେ ଆରସିବି ବିଜୟୀ ହୋଇଥିଲା । ଦଳ ୧୪ଟି ମ୍ୟାଚରୁ ୧୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଥିଲା ।

କେକେଆର୍ ଚଳିତ ସଂସ୍କରଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମ ପର୍ଯ୍ୟାୟରେ ସଂଘର୍ଷ କରିବା ପରେ ୟୁଏଇରେ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ମ୍ୟାଚରୁ ୫ଟି ଜିତି କେକେଆର୍ ପ୍ଲେ ଅଫରେ ସ୍ଥାନ ପକ୍କା କରିଥିଲା । ରାଜସ୍ଥାନ ରୟାଲ୍ସ ବିପକ୍ଷ ନିଜ ଶେଷ ଲିଗ୍ ମ୍ୟାଚରେ ୮୬ ରନର ବୃହତ ୍ ବିଜୟ ସହ କେକେଆର୍ ଶ୍ରେଷ୍ଠ ୪ ଦଳ ମଧ୍ୟରେ ସ୍ଥାନ ନିଶ୍ଚିତ କରିଥିଲା । ତେବେ ଏଲିମିନେଟର ମ୍ୟାଚରେ ଦ୍ୱିତୀୟ ସୁଯୋଗ ନଥିବାରୁ ଉଭୟ ଆରସିବି ଓ କେକେଆର୍ ପାଇଁ ଅତୀତ ପ୍ରଦର୍ଶନ କିଛି ମାନେ ରଖିବ ନାହିଁ । କୋହଲି ଓ ମୋର୍ଗାନ ଏହା ଭଲ ଭାବେ ଜାଣନ୍ତି । ଉପଲବ୍ଧ ସମ୍ବଳ ସହ ଦୁଇ ଦଳ ପରସ୍ପରକୁ ବିଦା କରି ଫାଇନାଲ ଆଡ଼କୁ ଅଗ୍ରସର ହେବା ଲକ୍ଷ୍ୟରେ ରହିବେ ।
କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ଡି’ଭିଲିୟର୍ସ ଓ ଦେବଦତ୍ତ ପାଡିକ୍କଲଙ୍କୁ ନେଇ ଆରସିବିର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପକୁ ରୋକିବା କେକେଆର୍ ବୋଲିଂ ଆକ୍ରମଣ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଡି’ଭିଲିୟର୍ସଙ୍କ ଫର୍ମ ଆରସିବି ପାଇଁ ସାମାନ୍ୟ ଚିନ୍ତାର କାରଣ ହୋଇଛି । ଏହି ବଡ଼ ମ୍ୟାଚରେ ସେ ଫର୍ମକୁ ଫେରିବେ ବୋଲି ଦଳ ଆଶା ରଖିଛି । ଅନ୍ୟପଟେ କେକେଆର୍ ର ବ୍ୟାଟିଂ ସଫଳତା ଫର୍ମରେ ଥିବା ଶୁଭମାନ ଗିଲ୍‌, ଭେଙ୍କଟେଶ ଆୟାର, ରାହୁଲ ତ୍ରିପାଠୀ ଓ ନୀତିଶ ରାଣାଙ୍କ ଉପରେ ନିର୍ଭର କରିବ । ଚଳିତ ସଂସ୍କରଣରେ ସଂଘର୍ଷ କରିଥିବା ଅଧିନାୟକ ମୋର୍ଗାନଙ୍କ ଠାରୁ ଏକ ବଡ଼ ପାଳିର ଆଶା ରଖିବ କେକେଆର୍ ।

ବୋଲିଂରେ ଆରସିବି ପାଇଁ ହର୍ଷଲ ପଟେଲ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଭୂମିକା ନିର୍ଣ୍ଣାୟକ ହେବ । ହର୍ଷଲ ପଟେଲ ଚଳିତ ସଂସ୍କରଣରେ ଏଯାବତ୍ ୧୪ଟି ମ୍ୟାଚରୁ ୩୦ଟି ୱିକେଟ୍ ନେଇଥିବା ବେଳେ ଚହଲ ୧୬ ୱିକେଟ୍ ହାସଲ କରିଛନ୍ତି । କେକେଆର୍ ବୋଲିଂ ବିଭାଗରେ ପେସ୍ ଯୋଡ଼ି ଶିବମ ମାବି ଓ ଲକି ଫର୍ଗୁସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଥିବାବେଳେ ସ୍ପିନର ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାଇନ୍ ଓ ସାକିବ ଅଲ୍ ହସନ୍ ଆରସିବିର ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି ।

Comments are closed.