ସର୍ବୋଚ୍ଚ ନେତା ଅଖୁଣ୍ଡଜାଦାଙ୍କୁ ହତ୍ୟା ! ବରାଦର ବନ୍ଧକ!! ନେତୃତ୍ବ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କାବୁଲ: ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ଏବେ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଥିବା ଜଣାପଡ଼ିଛି । ଏକ ବ୍ରିଟିଶ୍ ମାଗାଜିନ ଦାବି କରିଛି ଯେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁଣ୍ଡଜାଦାଙ୍କୁ ହତ୍ୟା କରାଯାଇଛି ଏବଂ ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ବନ୍ଧକ ରଖାଯାଇଛି। କ୍ଷମତା ପାଇଁ ହକ୍କାନି ଗୋଷ୍ଠୀ ସହ ଏହି ସଂଘର୍ଷରେ ମୁଲ୍ଲା ବରାଦରଙ୍କୁ ସବୁଠୁ ବେଶି ଝଟକା ଲାଗିଛି ।

ବ୍ରିଟେନର ଉକ୍ତ ମାଗାଜିନ୍ ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବରରେ ତାଲିବାନର ଉଭୟ ଗୋଷ୍ଠୀଙ୍କ ଏକ ବୈଠକ ହୋଇଥିଲା । ଏଥିରେ ହକ୍କାନି ନେତା ଖଲିଲ-ଉଲ-ରହମାନ ହକ୍କାନି ତାଙ୍କ ଚେୟାରରୁ ଉଠିପଡ଼ି ହଠାତ୍ ବରାଦରଙ୍କୁ ପିଟିବା ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ ସମୁଦାୟର ମାନ୍ୟତା ପାଇବା ପାଇଁ ଅଣ-ତାଲିବାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ କ୍ୟାବିନେଟରେ ସାମିଲ କରିବାକୁ ବରାଦର କ୍ରମାଗତ ଭାବେ ତାଲିବାନ ସରକାରଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ହକ୍କାନି ଗୋଷ୍ଠୀ ବରାଦରଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା ।

ଏହାକୁ ନେଇ ଝଗଡ଼ା ପରେ ବରାଦର କିଛି ଦିନ ନିଖୋଜ ଥିଲେ ଏବଂ ଏବେ ତାଙ୍କୁ ପୁଣି ଥରେ କାନ୍ଦାହାରରେ ଦେଖିବାକୁ ମିଳିଛି | ରିପୋର୍ଟ ଅନୁଯାୟୀ, ବରାଦର କିଛି ଆଦିବାସୀ ନେତାଙ୍କୁ ଭେଟିଛନ୍ତି, ଯାହାର ସମର୍ଥନ ତାଙ୍କୁ ମଧ୍ୟ ମିଳିଛି। ତେବେ ବରାଦରଙ୍କୁ ଚାପ ପକାଇ ତାଙ୍କ ମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଭିଡିଓ ବାର୍ତ୍ତାରୁ ବରାଦରଙ୍କୁ ବନ୍ଧକ ରଖାଯାଇଥିବା ସଙ୍କେତ ମିଳୁଛି।

ଅନ୍ୟପକ୍ଷେ ଅଖୁଣ୍ଡଜାଦା କେଉଁଠାରେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ସେ ଦୀର୍ଘ ସମୟ ଧରି ତାଙ୍କୁ ନା ଦେଖିବାକୁ ମିଳିଛି ନା ତାଙ୍କଠାରୁ କୌଣସି ବାର୍ତ୍ତା ଜାରି କରାଯାଇଛି। ଏଭଳି ସ୍ଥିତିରେ ଅଖୁଣ୍ଡଜାଦାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କ୍ଷମତା ପାଇଁ ଏଭଳି ସଂଘର୍ଷ ତାଲିବାନରେ ପୂର୍ବରୁ କେବେ ଦେଖାଯାଇ ନଥିଲା। ୨୦୧୬ରେ ତାଲିବାନ ଏବଂ ହକ୍କାନି ନେଟୱାର୍କର ମିଶ୍ରଣ ହୋଇଥିଲା |

ତାଲିବାନର ଏକ ଉଦାର ଛବି ଉପସ୍ଥାପନ କରିବାକୁ ବରାଦରଙ୍କ ଉଦ୍ୟମ ଥିଲା ଯାହ ଫଳରେ ଅନ୍ତର୍ଜାତୀୟ ସମୁଦାୟର ମାନ୍ୟତା ମିଳିପାରିବ। ଅନ୍ୟପଟେ ହକ୍କାନି ନେଟୱାର୍କ ଆତଙ୍କବାଦ ଓ ଆତ୍ମଘାତୀ ଆକ୍ରମଣର ଜଣେ ବଡ଼ ସମର୍ଥକ ହୋଇ ରହିଛି। ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ତାଲିକାରେ ଆଫଗାନିସ୍ତାନର ଶରଣାର୍ଥୀ ମନ୍ତ୍ରୀ ଖାଲିଲ ହକ୍କାନିଙ୍କୁ ସାମିଲ କରାଯାଇଛି।

ପାକିସ୍ତାନ ସହିତ ହକ୍କାନି ଗୋଷ୍ଠୀର ସିଧାସଳଖ ସମ୍ପର୍କ ଅଛି | ତାଲିବାନ ସରକାରରେ ହକ୍କାନି ଗୋଷ୍ଠୀ ଜରିଆରେ ପାକିସ୍ତାନ ମଧ୍ୟ ନିଜ ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛି।

Comments are closed.