କ୍ରୀଡାରେ ବି ଏକଘରିକିଆ ରୁଷ, ଫିଫା ବିଶ୍ବକପରୁ ବହିଷ୍କୃତ, ଆଇଓସି ଲଗାଇଲା କଟକଣା

ପ୍ୟାରିସ୍: ୟୁକ୍ରେନକୁ ଆକ୍ରମଣ ପାଇଁ ରୁଷକୁ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଏକଘରିକିଆ କରିବା ଅଭିଯାନ ଆରମ୍ଭ ହୋଇଛି। ଏପରିକି କ୍ରୀଡ଼ା ଜଗତ ମଧ୍ୟ ରୁଷ ବିରୋଧରେ କଡ଼ା ପଦକ୍ଷେପ ନେଇଛି । ବିଶ୍ୱର ସବୁଠୁ ବଡ଼ ଫୁଟବଲ୍ ସଂସ୍ଥା ଫିଫା ଏବଂ ୟୁରୋପୀୟ ଫୁଟବଲ୍ ସଂଘ (ୟୁଏଫା) ରୁଷ ଉପରେ କଟକଣା ଲଗାଇଛନ୍ତି । ଚଳିତ ବର୍ଷ ଶେଷରେ କାତାରରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ବିଶ୍ୱକପରୁ ରୁଷକୁ ବାଦ୍ ଦେଇଛି ଫିଫା। କେବଳ ଏତିକି ନୁହେଁ, ରୁଷର ଫୁଟବଲ କ୍ଲବଗୁଡ଼ିକୁ ଉପରେ ମଧ୍ୟ କଟକଣା ଲଗାଯାଇଛି । ରୁଷର ଫୁଟବଲ କ୍ଲବଗୁଡ଼ିକ ଏବେ ବିଶ୍ବର କୌଣସି ଟୁର୍ନାମେଣ୍ଟ ଏବଂ ଚାମ୍ପିଅନସିପରେ ଅଂଶଗ୍ରହଣ କରିପାରିବେ ନାହିଁ | ୟୁଏଫା ଏକ ବିବୃତ୍ତି ଜାରି କରି କହିଛି ଯେ ରୁଷର କ୍ଲବ୍ ସ୍ପୋର୍ଟସ୍ ମସ୍କୋକୁ ମଧ୍ୟ ୟୁରୋପୀୟ ଲିଗ୍ ରୁ ବହିଷ୍କାର କରାଯାଇଛି।

ଫିଫା କହିଛି ଯେ ୟୁକ୍ରେନରେ ପ୍ରଭାବିତ ଲୋକଙ୍କ ସହ ଆମେ ଦୃଢ ଭାବେ ଠିଆ ହୋଇଛୁ। ଫିଫା ଆଶା ପ୍ରକଟ କରିଛି ଯେ ୟୁକ୍ରେନର ସ୍ଥିତି ଶୀଘ୍ର ସୁଧୁରିବ ଏବଂ ଫୁଟବଲ ପୁଣି ଥରେ ଲୋକଙ୍କ ମଧ୍ୟରେ ଏକତା ଏବଂ ଶାନ୍ତିର କାରଣ ହେବ। ୨୦୧୧ ରେ ଭ୍ଲାଦିମିର ପୁଟିନଙ୍କୁ ଦିଆଯାଇଥିବା ‘ଅଲିମ୍ପିକ୍ ଅର୍ଡର’ ସମ୍ମାନ ମଧ୍ୟ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପ୍ରତ୍ୟାହାର କରିନେଇଛି | ଏହା ପରେ ଅନ୍ୟ ରୁଷୀୟ ଅଧିକାରୀମାନଙ୍କୁ ଦିଆଯାଇଥିବା ଏହି ସମ୍ମାନ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି |

ମାର୍ଚ୍ଚ ୨୪ ରେ ରୁଷର ରାଜଧାନୀ ମସ୍କୋରେ ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ର ପ୍ଲେ ଅଫ୍ ଖେଳାଯିବ | ଏହି ପୂର୍ବ ନିର୍ଦ୍ଧାରିତ ମ୍ୟାଚ୍‌ରେ ପୋଲାଣ୍ଡ ଖେଳିବାକୁ ମନା କରିଦେଇଥିଲା। ପୋଲାଣ୍ଡ ବ୍ୟତୀତ ସ୍ୱିଡେନ ଏବଂ ଚେକ୍ ରିପବ୍ଲିକ ମଧ୍ୟ କହିଥିଲେ ଯେ ସେମାନେ ରୁଷ ସହ ଖେଳିବାକୁ ନିଜ ଦଳ ପଠାଇବେ ନାହିଁ।

ଏହାପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମଧ୍ୟ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରିଥିଲା। ଆଇଓଏ କହିଛି ଯେ ବିଶ୍ଵ ସ୍ତରୀୟ କ୍ରୀଡା ଇଭେଣ୍ଟଗୁଡିକର ଅଖଣ୍ଡତା ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବା ଜରୁରୀ | ଆଇଓସିର ଅପିଲ ବେଲାରୁଷର ଖେଳାଳି ଏବଂ ଅଧିକାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ, ଯିଏ ରୁଷର ଆକ୍ରମଣକୁ ସମର୍ଥନ କରୁଛି।

Comments are closed.