ଆଇପିଏଲ୍ ନିଲାମ: ସବୁଠୁ ମହଙ୍ଗା ଖେଳାଳି ଭାବେ ସାମ୍ କରନଙ୍କ ରେକର୍ଡ, ୧୮.୫୦ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ

କୋଚି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୩ ସିଜନ୍ ପାଇଁ ମିନି ନିଲାମ ଆରମ୍ଭ ହୋଇଛି । ଇଂଲଣ୍ଡ ଅଲରାଉଣ୍ଡର ସାମ କରନ୍ ସବୁଠୁ ମହଙ୍ଗା ଖେଳାଳି ଭାବେ ରେକର୍ଡ ଭାଙ୍ଗିଛନ୍ତି । କୋଚିରେ ଚାଲିଥିବା ଆଇପିଏଲ୍ ମିନି ନିଲାମରେ ୨୪ ବର୍ଷୀୟ କରନଙ୍କୁ ପଞ୍ଜାବ କିଙ୍ଗ୍ସ ୧୮.୫୦ କୋଟିରେ କିଣିଛି। ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଥିଲା । ତେବେ ଏହାର ୯ ଗୁଣ ମୂଲ୍ୟ ପାଇଛନ୍ତି କରନ୍ । ମେ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ଥିଲେ।

ଆଇପିଏଲ୍ ନିଲାମ ଇତିହାସରେ ସାମ୍ କରାନ୍ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି | ସବୁଠାରୁ ଦାମୀ ଖେଳାଳିଙ୍କ ପୂର୍ବ ରେକର୍ଡ ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ (୧୬.୨୫ କୋଟି)ଙ୍କ ନାମରେ ଥିଲା |

ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ଦ୍ବିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୭.୫୦ କୋଟିରେ କିଣିଛି | ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସଙ୍କ ଉପରେ ମଧ୍ୟ ପ୍ରଚୁର ଟଙ୍କା ବର୍ଷା ହୋଇଛି । ତାଙ୍କୁ ୧୬.୨୫ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ୍ କିଣିଛି । ସେ ୨୦୨୨ ସିଜନରେ ଖେଳିନଥିଲେ । ଷ୍ଟୋକ୍ସ ୨୦୨୧ ସିଜନରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ । ଓ୍ବେଷ୍ଟଇଣ୍ଡିଜ କ୍ୟାପଟେନ ନିକୋଲାସ ପୁରାନଙ୍କୁ ୧୬ କୋଟିରେ ସନରାଇଜର୍ସ ହାଇଦ୍ରାବାଦ କିଣିଛି । ଗତ ସଂସ୍କରଣ ପାଇଁ ମଧ୍ୟ ସେ ହାଇଦ୍ରାବାଦ ପାଇଁ ଖେଳିଥିଲେ । ଅଲରାଉଣ୍ଡର ଜେସନ ହୋଲ୍ଡର ୫.୭୫ କୋଟିରେ ରାଜସ୍ଥାନ ରୟାଲ୍ସକୁ ଯାଇଛନ୍ତି।

ଇଂଲଣ୍ଡର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ମଧ୍ୟ ମହଙ୍ଗା ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କୁ ନେବାକୁ ସନରାଇଜର୍ସ ଏବଂ ରାଜସ୍ଥାନ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା | ଶେଷରେ ସନରାଇଜର୍ସ ୧୩.୨୫ କୋଟିରେ ବ୍ରୁକଙ୍କୁ କିଣିଛି ।

Comments are closed.